ଭୁବନେଶ୍ବର : ୧୭ ସ୍ତ୍ରୀଙ୍କ ସ୍ବାମୀ ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁର ମୋବାଇଲ୍‌ ଫୋନ୍‌ରୁ ମିଳୁଛି ମାଳମାଳ ମହିଳାଙ୍କ ତାଲିକା। ହ୍ବାଟ୍‌ସଆପ୍ କଲିଂ, ଚାଟିଂ ଓ ଫୋନ୍ କଲ୍‌ରୁ ଏସବୁ ତଥ୍ୟ ପାଇଛି ପୁଲିସ। ସଦ୍ୟ ସୂଚନାନୁସାରେ ରମେଶ ଦେଶର ବିଭିନ୍ନ ସହରରେ ୧୭ ସ୍ତ୍ରୀ କରି ସାରିଥିବା ବେଳେ ପୁଣି ୨୫ ଜଣ ମହିଳା ତା’ ସ୍ତ୍ରୀ ହେବାକୁ ଲାଇନ୍‌ରେ ଥିଲେ। ଆଜି ପୁଲିସ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସହ ଫୋନ୍‌ରେ ଯୋଗାଯୋଗ କରିଛି। ଠକାମିର ଶିକାର ହୋଇଥିଲେ ପୁଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି। ସେହିଭଳି କେବଳ ପ୍ରାଥମିକ ସମ୍ପର୍କରେ ଥିବା ପ୍ରାୟ ୩୫ ମହିଳାଙ୍କ ସହ ବି ପୁଲିସ ଯୋଗାଯୋଗ କରିଛି। ଗତକାଲି ଏଭଳି ୬୦ ଜଣ ମହିଳାଙ୍କୁ ପୁଲିସ ଯୋଗାଯୋଗ କରିଥିଲା। ତେଣୁ ଏପର୍ଯ୍ୟନ୍ତ ପୁଲିସ ଧୂର୍ତ୍ତ ରମେଶ ଜାଲରେ ଫସିବାକୁ ଯାଉଥିବା ମୋଟ ୯୫ ଜଣ ମହିଳାଙ୍କ ସହ ଯୋଗାଯୋଗ କଲାଣି। ଏମାନଙ୍କ ମଧ୍ୟରେ ଅଛନ୍ତି କିଛି ମହିଳା ଓ ମେଡିକାଲ କଲେଜରେ ନାମ ଲେଖାଇବାକୁ ଥିବା କିଛି ଆଶାୟୀ ଛାତ୍ରଛାତ୍ରୀ।

Advertisment

publive-image

ଓ୍ୱାଇଫ୍ ଓ୍ୱାନ୍, ଓ୍ୱାଇଫ୍ ଡକ୍ଟର, ଓ୍ୱାଇଫ୍ ଭିଲ୍ଲାଇ, ଓ୍ୱାଇଫ୍ ଗୌହାଟି
ତା’ ମୋବାଇଲ୍‌ ଫୋନ୍‌ରୁ ପୁଲିସକୁ ଅନ୍ୟ ଏକ ରୋଚକ ତଥ୍ୟ ମିଳିଛି। ସ୍ତ୍ରୀମାନଙ୍କ ନାଁକୁ ସେ ବଡ଼ ସୁନ୍ଦର ଭାବେ ମୋବାଇଲ୍‌ ଫୋନ୍‌ରେ ସେଭ୍‌ କରିଛି। ଅସଲ ବା ପ୍ରଥମ ସ୍ତ୍ରୀଙ୍କୁ ସେ ୱାଇଫ୍‌ ୱାନ୍‌ ବୋଲି ସେଭ୍‌ କରିଛି। ଅନ୍ୟମାନଙ୍କୁ ୱାଇପ୍‌ ଡକ୍ଟର, ୱାଇଫ୍ ଭିଲ୍ଲାଇ, ୱାଇଫ୍‌ ଗୌହାଟି, ୱାଇଫ୍‌ ବେଙ୍ଗାଲୁର୍‌ ଆଦି ନାଁରେ ସେଭ୍‌ କରିଛି। ସେମିତି ଆଉ କେତେକଙ୍କୁ ୱାଇଫ୍‌ ଟିଚର୍‌, ୱାଇଫ୍‌ ପଞ୍ଜାବୀ ଭଳି ନାଁରେ ସେଭ୍‌ କରିଛି। ସେହିଭଳି ଲାଇନ୍‌ରେ ଥିବା ମହିଳାଙ୍କୁ ଟୁ ବି ୱାଇଫ୍‌ ଢେଙ୍କାନାଳ, ଟୁ ବି ୱାଇଫ୍‌ ଜଗତସିଂହପୁର ଭଳି ନାଁରେ ସେଭ୍‌ କରିଛି। ତଦନ୍ତକାରୀ ଟିମ୍‌ ରମେଶର ଏଭଳି କାରନାମା ଦେଖି ଯେତିକି ବିସ୍ମିତ ସେତିକି କୌତୁହଳୀ ହୋଇପଡ଼ୁଥିବା ଜଣାପଡ଼ିଛି।

ଏମ୍‌ସରେ ଆଡ୍‌ମିସନ୍‌ ନାଁରେ ଚୂନ

ନିଜକୁ ‌କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉପନିର୍ଦ୍ଦେଶକ ବୋଲି ପରିଚୟ ଦେଇଆସୁଥିବା‌ ରମେଶ ବିଭିନ୍ନ ଦାମୀ ମେଡିକାଲ କଲେଜରେ ନାମ ଲେଖାଇବା ଲୋଭ ଦେଖାଇ ଠକିଛି। କାହାକୁ ଏସ୍‌ସିବିରେ ତ ଆଉ କାହାକୁ ଏମ୍ସରେ। ପୁଣି କାହାକୁ ଘରୋଇ ମେଡିକାଲ କଲେଜରେ ଏମ୍‌ବିବିଏସ୍ ଆଡ୍‌ମିସନ୍‌ କରାଇବା ନାଁରେ ଏକାଧିକ ଛାତ୍ରଙ୍କୁ ଚୂନ ଲଗାଇଛି। କେବଳ ଏମ୍‌ବିବିଏସ୍ ଆଡ୍‌ମିସନ୍‌ ନୁହେଁ, ଚାକିରି କରାଇଦେବା ଆଳରେ ମଧ୍ୟ ଠକିଛି। ଆଜି ପୁଲିସ ହାତରେ ଏପରି କିଛି ତଥ୍ୟ ପ୍ରମାଣ ଲାଗିଛି। ତା’ ମୋବାଇଲ ଫୋନ୍‌ରୁ କିଛି ବ୍ୟକ୍ତିଙ୍କର ଟଙ୍କା କାରବାରକୁ ନେଇ ଚାଟିଂ ତଥ୍ୟ ତଦନ୍ତକାରୀ ଟିମ୍ ହାତରେ ଲାଗିଛି। ପୁଲିସ ସେମାନଙ୍କ ସହ ଯୋଗାଯୋଗ ଜାରି ରଖିଛି। ବଡ଼ କଥା ହେଉଛି, ମେଡିକାଲ ପ୍ରତିଷ୍ଠା ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ କହି ସେ କିଛି ଲୋକଙ୍କୁ ଚୂନ ଲଗାଇଥିବା ସନ୍ଦେହ କରାଯାଉଛି। ଏନେଇ ବି ଖୋଳତାଡ୍‌ ଜାରି ରହିଛି। ଏବେ ସୁଦ୍ଧା ପୁଲିସ ହାତରେ ଯେତିକି ତଥ୍ୟ ଲାଗିଛି, ଠକେଇ ପରିମାଣ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

publive-image

ରିମାଣ୍ଡରେ ଆଣିବ ଖଣ୍ଡଗିରି ଥାନା ପୁଲିସ
ଧୂର୍ତ୍ତ ରମେଶକୁ ଖଣ୍ଡଗିରି ଥାନା ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ଏଥିପାଇଁ ଆସନ୍ତାକାଲି ପୁଲିସ କୋର୍ଟରେ ଆବେଦନ କରିବ। ବିଜୟଶ୍ରୀ ରମେଶ କୁମାର ନାଁରେ ନକଲି ପ୍ୟାନ୍ କାର୍ଡ କରିବା, ଝାଡ଼ଖଣ୍ଡରେ ନକଲି ଭୋଟର୍ ପରିଚୟପତ୍ର କରିବା ବିଷୟରେ ଖୋଳତାଡ୍‌ କରିବ। ଏସବୁ ଜାଲ୍ କାର୍ଡ କରି ତାକୁ ଆପରାଧିକ କାଣ୍ଡ ଘଟାଇବାରେ ସାହାଯ୍ୟ କରୁଥିବା ଗ୍ୟାଙ୍ଗ୍‌କୁ ଧରିବାକୁ ଉଦ୍ୟମ ହେବ ବୋଲି ଜଣାପଡ଼ିଛି। ପାତ୍ରପଡ଼ାସ୍ଥିତ ଆପାର୍ଟମେଣ୍ଟର ଘର ମାଲିକ ଉପେନ୍ଦ୍ର କୁମାର ନାୟକଙ୍କ କହିବାନୁଯାୟୀ ୨୦୨୧ ନଭେମ୍ବର ୨୧ରେ ରମେଶ ତାଙ୍କୁ ଯୋଗାଯୋଗ କରିଥିଲା। ନିଜକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉପମହାନିର୍ଦ୍ଦେଶକ ପ୍ରଫେସର ଡା. ବିଜୟଶ୍ରୀ ରମେଶ କୁମାର ବୋଲି କହିଥିଲା। ମେଡିକାଲ କଲେଜଗୁଡ଼ିକରେ ନିଟ୍ କାଉନସିଲିଂ କରିବା ପାଇଁ ସେ ଭୁବନେଶ୍ବର ଆସିଛି ବୋଲି କହିଥିଲା। ତା’ ଭଉଣୀ ପଟିଆସ୍ଥିତ ଏକ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଚାକିରି ପାଇଥିବାରୁ ସେହି ଘରେ ରହିବ ବୋଲି କହିଥିଲା। ଘର ଭଡ଼ା ବାବଦକୁ ୨ ମାସର ଅଗ୍ରୀମ ୨୦ହଜାର ଟଙ୍କା ଗଣି ଦେଇଥିଲା। ଘର ଭଡ଼ା ତଥ୍ୟ ପୁଲିସକୁ ଦେବାକୁ ଉପେନ୍ଦ୍ର କହିବା ପରେ ଧୂର୍ତ୍ତ ରମେଶ ଆଉ ଧରାଛୁଆଁ ଦେଇନଥିଲା। କାଉନସିଲିଂ ଚାଲିଥିବାରୁ ସେ କେତେବେଳେ ଦିଲ୍ଲୀ ତ କେତେବେଳେ ଗୌହାଟିରେ ଥିବା କହି ଦିନ ଗଡ଼ାଇ ଚାଲିଥିଲା। ତେବେ ସେ ଗିରଫ ହେବା ଖବର ପ୍ରଚାରିତ ହେବା ପରେ ଉପେନ୍ଦ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।