ଭୁବନେଶ୍ବର: ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ୫ ଲକ୍ଷ ଟଙ୍କା ଠକିନେବା ଅଭି‌ଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରିଛି। ଅଭିଯୁକ୍ତ ହେଲା ସହିଦନଗର ଅଞ୍ଚଳରେ ରହୁଥିବା ଆସାମ ବାରପ୍ତା ଜିଲ୍ଲାର ମୁସ୍ତାଫା ନାଜ୍‌ମୁଲ୍‌ ହାସନ୍‌(୨୮)। ପୁଲିସ ସୂଚନାନୁସାରେ ୨୦୨୪ ମାର୍ଚ୍ଚ ୫ ତାରିଖ ଦିନ ଅଭିଯୋଗକାରିଣୀ ବିଷମକଟକର ଏକ ହସ୍ପିଟାଲ୍‌କୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ମୁସ୍ତାଫା ସହ ତାଙ୍କର ଦେଖାହୋଇଥିଲା। ମୁସ୍ତାଫା ନିଜକୁ ଜଣେ ଡାକ୍ତର ବୋଲି ପରିଚୟ ଦେଇଥିଲା। ସେମାନଙ୍କ ମଧ୍ୟରେ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲା। ସେବେଠୁ ସେମାନଙ୍କ ଭିତରେ ଫୋନ୍‌ ଯୋଗ କଥାବାର୍ତ୍ତା ଚାଲିଥିଲା ଏବଂ ଧୀରେଧୀରେ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଲା। 

Advertisment

ଶେଷରେ ମୁସ୍ତାଫା ତାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଲା। ପରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲରେ ଏକାଠି ହୋଇଥିଲେ। ବାହାଘର କଥା ହେବା ଛଳରେ ମୁସ୍ତାଫା ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଲା। ମାତ୍ର ଯୁବତୀ ରାଜି ହୋଇ ନଥିଲେ। ମୁସ୍ତାଫା କିନ୍ତୁ ଜୋର୍‌ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲା। ବିବାହ ପ୍ରତିଶ୍ରୁତି ପାଇଥିବାରୁ ଯୁବତୀ ବାଧ୍ୟ ହୋଇ  ନିରବ ରହିଲେ। ଏମିତିକି ପରେ ମୁସ୍ତାଫା ତାଙ୍କୁ ଫୁସୁଲାଇ ୫ ଲକ୍ଷ ଟଙ୍କା, ଗୋଟିଏ ସୁନା‌ଚେନ୍‌ ଓ ଗୋଟିଏ ଦାମୀ ମୋବାଇଲ୍‌ ଫୋନ୍‌ ନେଇଗଲା। ଏସବୁ ଦିଆନିଆ ଭିତରେ ଯୁବତୀ ବାହାଘର ପ୍ରସଙ୍ଗ ଉଠାଉଥିଲେ। କିନ୍ତୁ ବିଭିନ୍ନ ବାହାନା କରି ମୁସ୍ତାଫା ଦିନ ଗଡ଼ାଇ ଚାଲିଲା। ଗତବର୍ଷ ସେପ୍ଟେମ୍ବର ୩ ତାରିଖ ଦିନ ସେମାନେ ବାହାଘର ପ୍ରସ୍ତାବ ଚୂଡ଼ାନ୍ତ କରିବାକୁ ଖଣ୍ଡଗିରିସ୍ଥିତ ଏକ ହୋଟେଲ୍‌ରେ ଏକାଠି ହୋଇଥିଲେ। ସେଠାରେ ମୁସ୍ତାଫା ପୁଣି ତାଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ରଖିଲା। କିନ୍ତୁ ଏହାପରଠୁ ସେ ଯୁବତୀଙ୍କୁ ଆଉ ଧରାଛୁଆଁ ଦେଲା ନାହିଁ। ପାଲଟା ଫୋନ୍‌ରେ ଗାଳିଗୁଲଜ ଓ ଧମକଚମକ ଦେଲା। ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରି ଜୀବନ ମାଟି କରିଦେବ ବୋଲି ଚେତାବନୀ ଦେଲା। ତେଣୁ ବାଧ୍ୟ ହୋଇ ପୀଡ଼ିତା ପୁଲିସର ଦ୍ବାରସ୍ଥ ହୋଇଥିଲେ।