ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ନକଲି ଡାକ୍ତର(କ୍ବାକ୍)। ନିଜକୁ ବିଶେଷଜ୍ଞ ଦର୍ଶାଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ତାହା ପୁଣି ଖୋଲାଖୋଲି। ବିଶେଷକରି ରାଜଧାନୀ ଉପକଣ୍ଠରେ ଏଭଳି ନକଲି ଡାକ୍ତରଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏସବୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀ ଭଲ ହେବେ କ’ଣ ଓଲଟା ଗୁରୁତର ହୋଇଯାଉଛନ୍ତି। ଜିଲ୍ଲାସ୍ତରରେ ଏହି କ୍ବାକ୍ମାନଙ୍କୁ ଚିହ୍ନଟ ପାଇଁ କ୍ବାକ୍ ନିରୋଧୀ ସେଲ୍ ରହିଛି। ତେଣୁ ଖୋର୍ଦ୍ଧା ଜିଲ୍ଲାର ଏହି ସେଲ୍ଟି ଚିକିତ୍ସା କରୁଥିବା କ୍ବାକ୍ଙ୍କୁ ଚିହ୍ନଟ କରିବାରେ ବିଫଳ ହେବାକୁ ନେଇ ପ୍ରଶ୍ନ ଉଠିଛି।
ଭୁବନେଶ୍ବର ଉପକଣ୍ଠ କଳିଙ୍ଗ ବିହାରରେ ଏଭଳି ଜଣେ କ୍ବାକ୍ ଚିକିତ୍ସା କରୁଥିବା ଅଭିଯୋଗ ଆସିଛି। ଜଣେ ୫୩ବର୍ଷର ପୁରୁଷ ତାଙ୍କ ପାଇଁ ଗତ ଜୁନ୍ ମାସରେ ଚିକିତ୍ସା ପାଇଁ ଯାଇଥିଲେ। ମାତ୍ର ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ଏହି ପ୍ରେସ୍କ୍ରିପସନ୍କୁ ଦେଖାଇବା ପରେ ସଂପୃକ୍ତ ଡାକ୍ତରଙ୍କୁ ନେଇ ସନ୍ଦେହ ବଢ଼ିଥିଲା। ନିଜକୁ ଡାକ୍ତର କହୁଥିବା ବ୍ୟକ୍ତି ଜଣକ ତାଙ୍କର ପ୍ରେସ୍କ୍ରିପସନ୍ରେ ଡାକ୍ତରୀ ପଞ୍ଜୀକରଣ ନମ୍ବର ଉଲ୍ଲେଖ କରିନାହାନ୍ତି। ଡିଗ୍ରିରେ ଲେଖିଛନ୍ତି ‘ସିନିଅର ମେଡିସିନ୍ ସ୍ପେଶାଲିଷ୍ଟ ଓ ଡାଏବେଟୋଲୋଜିଷ୍ଟ’। ଏହାସହ ‘ସ୍ପେଶାଲିଷ୍ଟ ଇନ୍ ଡାଇବେଟିସ୍୍’ ବୋଲି ଉଲ୍ଲେଖ କରିଛନ୍ତି। ସାଧାରଣଭାବେ ଡାଇବେଟିକ୍ ବା ମଧୁମେହ ରୋଗର ଚିକିତ୍ସା କରୁଥିବା ବିଶେଷଜ୍ଞଙ୍କୁ ଡାକ୍ତରୀ ଭାଷାରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ବୋଲି କୁହାଯାଏ। ସାଧାରଣ ଲୋକଙ୍କ ବୁଝିବା ପାଇଁ କେହି କେହି ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ସହ ଡାଇବେଟିସ୍ ବୋଲି ଉଲ୍ଲେଖ କରିଥା’ନ୍ତି। ବିନା ଡାକ୍ତରୀ ପଞ୍ଜୀକରଣରେ ସଂପୃକ୍ତ ଡାକ୍ତର ଜଣକ କିଭଳି ରୋଗୀ ଦେଖୁଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି। ଏହାଦ୍ବାରା ଅନେକ ଲୋକଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହୋଇଛି।
ଡାକ୍ତରୀ ପଞ୍ଜୀକରଣ ନମ୍ବର ନାହିଁ
‘ସ୍ପେଶାଲିଷ୍ଟ ଇନ୍ ଡାଇବେଟିସ୍’ ଲେଖିଛନ୍ତି
ଅଭିଯୋଗ ଆସିଲେ ପଦକ୍ଷେପ ନେବୁ: ସ୍ବାସ୍ଥ୍ୟ ଅଧିକାରୀ
ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ଅନେକ ସମୟରେ ଲୋକମାନେ ପ୍ରାଣ ହରାଇବା ଅଭିଯୋଗ ହୋଇଆସୁଛି। ଅନେକ ଧରାପଡ଼ି ଗିରଫ ହେଉଛନ୍ତି। କ୍ବାକ୍ ଚିକିତ୍ସାରେ ନିୟନ୍ତ୍ରଣ ଆଣିବା ଲାଗି ଗତବର୍ଷ ଏପ୍ରିଲ ମାସରେ ରାଜ୍ୟ ସରକାର ଜିଲ୍ଲା କ୍ବାକ୍ ନିରୋଧୀ ସେଲ୍ ଗଠନ ସଂପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଜିଲ୍ଲାପାଳ, ଏସ୍ପିଙ୍କ ପ୍ରତିନିଧି, ସିଡିଏମ୍ଓ, ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଓ ଭାରତୀୟ ମେଡିକାଲ ସଂଘର ପ୍ରତିନିଧି ସଦସ୍ୟ ରହିଛନ୍ତି। ନକଲି ଡାକ୍ତରଙ୍କ ସଂପର୍କରେ କୌଣସି ସୂତ୍ରରୁ ଖବର ପାଇଲେ ସେମାନେ ଚଢ଼ାଉ କରିବେ। ହେଲେ ଜିଲ୍ଲାସ୍ତରରେ ଏହି କ୍ବାକ୍ ନିରୋଧୀ ସେଲ୍ର ପ୍ରଦର୍ଶନ ଆଦୌ ଉତ୍ସାହଜନକ ନୁହେଁ। କ୍ବାକ୍ମାନେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବେଳେ ସେମାନଙ୍କୁ ଧରିବ ଲାଗି କ୍ବାକ୍ ନିରୋଧୀ ସେଲ୍ ଯେଉଁ ତତ୍ପରତା ଦେଖାଇବା କଥା ନଜରକୁ ଆସୁନାହିଁ।
ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ବିଜୟ ମହାପାତ୍ର କହିଛନ୍ତି, ବିନା ଡାକ୍ତରୀ ପଞ୍ଜୀକରଣରେ କୌଣସି ଏମ୍ବିବିଏସ୍ ଡାକ୍ତର ଚିକିତ୍ସା କରିପାରିବେ ନାହିଁ। ଯଦି କୌଣସି ଡାକ୍ତରଙ୍କ ଉପରେ ସାଧାରଣ ଲୋକଙ୍କ ସନ୍ଦେହ ଉପୁଜୁଛି ତାହାଲେ ସେମାନେ ଜିଲ୍ଲାସ୍ତରରେ ଥିବା କ୍ବାକ୍ ନିରୋଧୀ ସେଲ୍କୁ ଜଣାନ୍ତୁ। ନଚେତ୍ ଓଡ଼ିଶା ମେଡିକାଲ ପଞ୍ଜୀକରଣ ପରିଷଦ (ଓସିଏମ୍ଆର)ର ୱେବ୍ସାଇଟ୍ରେ ସଂପୃକ୍ତ ଡାକ୍ତରଙ୍କ ପଞ୍ଜୀକରଣ ନମ୍ବର ଲେଖି ତାଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପାଇପାରିବେ। ଏହାସହ ସ୍ବାସ୍ଥ୍ୟ ବିଭାଗ ନିକଟକୁ ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ। ତେବେ ମଧୁମେହ ରୋଗର ଚିକିତ୍ସା କରୁଥିବା ଡାକ୍ତର ଏଣ୍ଡୋକ୍ରାଇନୋଲୋଜିଷ୍ଟ ନ ଲେଖି କେବଳ ଡାଇବେଟିକ୍ ସ୍ପେଶାଲିଷ୍ଟ ଲେଖିବା ନିଶ୍ଚିତ ଭାବେ ସନ୍ଦେହଜନକ। ଲୋକମାନଙ୍କୁ ନକଲି ଡାକ୍ତରଙ୍କ ସଂପର୍କରେ ସଚେତନ ହେବାକୁ ପଡ଼ିବ ବୋଲି ଡା.ମହାପାତ୍ର କହିଛନ୍ତି।
ଉଲ୍ଲେଖ ଯେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ ବର୍ଷ ବର୍ଷ ଧରି ଏଭଳି ଜଣେ ନକଲି ଡାକ୍ତର ଚିକିତ୍ସା କରୁଥିବା ଖବର କିଛି ମାସ ତଳେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ନିଜର ପ୍ରେସ୍କ୍ରିପସନ୍ରେ ସେ ଭୁଲ୍ ପଞ୍ଜୀକରଣ ନମ୍ବର ଦେବା ସହ ସନ୍ଦେହଜନକ ଡିଗ୍ରି ଉଲ୍ଲେଖ କରିଥିଲେ। ଡାକ୍ତରୀ ବିଜ୍ଞାନରେ ଏଭଳି କୌଣସି ଡିଗ୍ରି ସଂପର୍କରେ କେହି ଜାଣିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/sfhfshhfsxvbxbxv-2025-10-30-03-00-36.jpg)