ନକଲି ଡାକ୍ତର ଧରାପଡ଼ିବା ମାମଲା: ରିମାଣ୍ଡରେ ଆସିବେ ରମେଶ ଓ ବିଶ୍ବରଂଜନ

ଅଭିଯୋଗ କରିବେ ଆଉ ଜଣେ ସ୍ତ୍ରୀ!

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁ ନାଁରେ ଯୋଡ଼ି ହେବ ଆଉ ଏକ ମାମଲା। ୧୮ ପତ୍ନୀଙ୍କ ମଧ୍ୟରୁ ଆଉ ଜଣେ ଧୂର୍ତ୍ତ ରମେଶ ନାଁରେ ଅଭିଯୋଗ କରିବାକୁ ମହିଳା ଥାନା ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି। ତେଣୁ ଦିଲ୍ଲୀ ଶିକ୍ଷୟିତ୍ରୀ, ଆସାମ ଡାକ୍ତରାଣୀ ଓ ପଞ୍ଜାବ ଅଧ୍ୟାପିକା ସ୍ତ୍ରୀଙ୍କ ପରେ ଏ ମହିଳା ଜଣକ କେଉଁ ବର୍ଗର, ତାହାକୁ ନେଇ ଉତ୍କଣ୍ଠା ସୃଷ୍ଟି ହୋଇଛି। ଅଭିଯୋଗ କରିବାକୁ ଥିବା ମହିଳା ଓଡ଼ିଆ କି ଅଣଓଡ଼ିଆ, ସେନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ। ସେହିଭଳି ବିବାହ ବାହାନାରେ ରମେଶ ଏହି ମହିଳାଙ୍କୁ କେତେ ଲକ୍ଷ ଟଙ୍କାର ଚୂନ ଲଗାଇଛି ଓ କେତେ ଗହଣା ଠକି ନେଇଛି, ତାହା ଅଭିଯୋଗ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ଅପରପକ୍ଷେ ରମେଶର ମୁଖ୍ୟ ସହଯୋଗୀ ବିଶ୍ବରଞ୍ଜନ ଗିରଫ ହେବା ପରେ ଦୁଇ ଜଣଙ୍କୁ ମୁହାଁମୁହିଁ ଜେରା କରିବାକୁ ପୁଲିସ ଯୋଜନା କରିଛି। ରବିବାର ବିଶ୍ବରଂଜନକୁ କମିସନରେଟ୍‌ ପୁଲିସ ଗିରଫ କରିବା ପରେ ତା’ଠାରୁ ଅନେକ ତଥ୍ୟ ମିଳିଛି। ତେବେ ସେ କେତେ ସତ ବା ମିଛ କହିଛି, ଜଣାପଡ଼ିନାହିଁ। ତେଣୁ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପାଇଁ ମହିଳା ଥାନା ପୁଲିସ ଉଭୟଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି। ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ଅନେକ ରହସ୍ୟର ଗୁମର ଫିଟିବ ବୋଲି ଆଶା କରାଯାଉଛି।

ପ୍ରକାଶଯୋଗ୍ୟ, ପୂର୍ବରୁ ଅଭିଯୋଗ କରିଥିବା କେତେଜଣ ମହିଳା ବିଶ୍ବରଂଜନ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ତା’ର ଫଟୋ ମଧ୍ୟ ଦେଇଥିଲେ। ତା’ର ସମ୍ପୃକ୍ତି ଜାଣିବା ପରେ ପୁଲିସ ତାକୁ ଗିରଫ କରିବା‌ ପାଇଁ ତତ୍ପର ହୋଇଉଠିଥିଲା। ଶନିବାର ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍‌ କଟକସ୍ଥିତ ତା’ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର