ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା: ଆଜି ମୁହାଁମୁହିଁ ଜେରା ହେବେ ଠକ ଦମ୍ପତି

ଭୁବନେଶ୍ବର: ଶୁକ୍ରବାର ମୁହାଁମୁହିଁ ଜେରା ହେବେ‌ ନକଲି ଡାକ୍ତର ରଙ୍ଗିଲା ରମେଶ ଓ ପତ୍ନୀ କମଳା ସ୍ବାଇଁ। ଏଥିପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିଥିବା ବେଳେ ଗତ ୭ ତାରିଖରେ କମଳାଙ୍କୁ ୫ଦିନିଆ ରିମାଣ୍ଡ ମଞ୍ଜୁର ହୋଇଥିଲା। ହେଲେ ରମେଶଙ୍କୁ ରିମାଣ୍ଡ ମିଳିବା ବିଳମ୍ବ ହୋଇଥିଲା। ପତ୍ନୀଙ୍କ ରିମାଣ୍ଡ ମଞ୍ଜୁରର ଦୁଇଦିନ ପର ରମେଶ ରିମାଣ୍ଡ ମଞ୍ଜୁର ହୋଇଥିଲେ ବି ଅସୁସ୍ଥତା କାରଣରୁ ପୁଲିସ ଆଣିନଥିଲା। ଶୁକ୍ରବାର ମହିଳା ଥାନା ପୁଲିସ ଉଭୟଙ୍କୁ ଜେରା କରିବ।

କମଳାଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି। ଠକ ଟଙ୍କାରେ କମଳା ପାହାଳ ଅଞ୍ଚଳରେ ୨ହାଜର ବର୍ଗଫୁଟ୍‌ର ଜାଗା କିଣିଥିଲେ। ଖୁଣ୍ଟୁଣିରେ ୬ବର୍ଷ ତଳୁ ପାଖାପାଖି ୨୦ ଏକର ଜାଗାରେ ଏକ ଫାର୍ମାହାଉସ୍‌ କରାଯିଥିଲା। ସେହିପରି ମଞ୍ଚେଶ୍ବର ଅଞ୍ଚଳରେ ମଧ୍ୟ ପାଖାପାଖି ୩ ଏକରର ଜାଗା ରହିଛି। ଏହାଛଡ଼ା ଝାଡ଼ଖଣ୍ଡ ସମେତ ଅନ୍ୟସ୍ଥାନରେ ମଧ୍ୟ ତାଙ୍କ ନାଁରେ ସମ୍ପତ୍ତି ରହିଛି। ଏତେ ସମ୍ପତ୍ତିର ମାଲିକ କେମିତି ହେଲେ, ଏନେଇ ଉଭୟଙ୍କୁ ମୁହାଁ ମୁହିଁ ଜେରା କରାଗଲେ ଗୁମର ଖୋଲିବ ବୋଲି ପୁଲିସ ଆଶା ରଖିଛି। ଅନ୍ୟପଟେ ଆହ୍ଲାବାଦ୍‌ରେ ଥିବା କମଳାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଠାବ କରାଯାଇଛି। ଏଥିପାଇଁ ସ୍ପେସାଲ୍‌ ସ୍କ୍ବାଡ୍‌ର ଏକ ଟିମ୍‌କୁ ଆହ୍ଲାବାଦ ପଠାଯାଇଛି। ସେଠାରେ ଥିବା ଏକ ସିଆଜ୍‌ କାରକୁ ଜବତ କରି ରାଜଧାନୀ ଅଣାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର