ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା: ପ୍ରଥମ ପତ୍ନୀଙ୍କୁ ମାରାଥନ୍ ଜେରା, କଠୋର ଦଣ୍ଡ ଦେବାକୁ ଦାବି କଲେ

ଆଜି ମିଛଧରା ପରୀକ୍ଷା: ପ୍ରଥମ ପତ୍ନୀଙ୍କ ବୟାନରୁ ୯୦ ପ୍ରଶ୍ନ ପ୍ରସ୍ତୁତ

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶର ପ୍ରଥମ ପତ୍ନୀ ଶାନ୍ତିଲତାଙ୍କୁ ଆଜି ମହିଳା ଥାନା ପୁଲିସ ମାରାଥନ ଜେରା କରିଛି। ଜେରା ବେଳେ ସେ ରମେଶର ଠକେଇ ବାବଦରେ ପୁଲିସକୁ ବହୁ ତଥ୍ୟ ଦେଇଛନ୍ତି। ତେବେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସେ ୨୦୧୦ମସିହାରୁ ‌ରମେଶଠାରୁ ଦୂରେଇ ଯାଇଥିବା ସ୍ପଷ୍ଟ କରିଛନ୍ତି। ଦ୍ବିତୀୟ ପତ୍ନୀ ଗ୍ରହଣ କରିବା ପରେ ସେ ନିଜ ପିଲାଙ୍କୁ ନେଇ ରମେଶଠାରୁ ଅଲଗା ହୋଇଯାଇଥିବା କହିଛନ୍ତି। ସେହିଭଳି ଗଣମାଧ୍ୟମକୁ ହାତଯୋଡ଼ି ସେ କହିଛନ୍ତି ଯେ ରମେଶକୁ କଠୋରରୁ କଠୋର ଦଣ୍ଡ ଦେଲେ, ସେ ଆପତ୍ତି କରିବେ ନାହିଁ।

ଆଜି ମହିଳା ଥାନାରେ ଶାନ୍ତିଲତା ପୂର୍ବାହ୍ନ ପ୍ରାୟ ୧୧ଟାରେ ପହଞ୍ଚିଥିଲେ। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ତାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଜେରା କରାଯାଇଥିଲା। ରମେଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପୁଲିସ ପଚରାଉଚରା କରିଥିଲା। ଶାନ୍ତିଲତା ପୁଲିସକୁ ଦେଇଥିବା ସୂଚନାନୁସାରେ, ଢେଙ୍କାନାଳ କାମାକ୍ଷାନଗରରେ କ୍ଲିନିକ୍ ଖୋଲିବା ଭିତରେ ରମେଶ ଦ୍ବିତୀୟ ପତ୍ନୀଙ୍କୁ ବିବାହ କରି ସାରିଥିଲେ। ମାଟ୍ରିକ୍ ଫେଲ୍‌ ହୋଇ ବି ନକଲି ଡାକ୍ତର ସାଜି ଲୋକଙ୍କୁ ଚିକିତ୍ସା କରି ଠକୁଥିଲେ। ରମେଶଙ୍କର ଏଭଳି ୪୨୦ କଥା ଜାଣିବା ପରେ ସେ ତାଙ୍କଠାରୁ ଦୂରେଇ ଯାଇଥିଲେ।

ନିଜ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯିବା ଡରରେ ସେ ରମେଶଠାରୁ ଅଲଗା ହୋଇଯାଇଥିଲେ ବୋଲି ଶାନ୍ତିଲତା ତଦନ୍ତକାରୀ ପୁଲିସ ଆଗରେ କହିଛନ୍ତି। ତେବେ ରମେଶ ତାଙ୍କ ପିଲାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି କି ନାହିଁ, ସେନେଇ ପଚରାଉଚରା କରାଯାଇଥିବା ପ୍ରଶ୍ନର ଉତ୍ତରରେ ଶାନ୍ତିଲତା କ’ଣ କହିଛନ୍ତି, ତାହା ଜଣାପଡ଼ିନାହିଁ। ସେହିଭଳି ନକଲି ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିବା କଥା ଜାଣିଥିଲେ ମଧ୍ୟ ଏନେଇ ସେ କାହିଁକି ଅଭିଯୋଗ କରିନଥିଲେ? ଦ୍ବିତୀୟ ବିବାହ କଥା ଜାଣି ମଧ୍ୟ କାହିଁକି ଅଭିଯୋଗ କରିନଥିଲେ? ସ୍ବାମୀଙ୍କର ଠକେଇ ସଂକ୍ରାନ୍ତରେ ପୂର୍ବରୁ କାହା ନିକଟରେ ଅଭିଯୋଗ କରିଥିଲେ କି? ତାଙ୍କ ଆକାଉଣ୍ଟକୁ ଠକେଇ ଟଙ୍କା ଯାଇଛି କି? ରମେଶଙ୍କର ଆଉ କେଉଁଠି ସମ୍ପତ୍ତି ରହିଛି? ଏମିତି ଏକାଧିକ ଦିଗକୁ ଆଧାର କରି ପୁଲିସ ଶାନ୍ତିଲତାଙ୍କୁ ପଚରାଉଚରା କରିଛି ଓ ସେ ସମ୍ପର୍କରେ ଶାନ୍ତିଲତା କି ଉତ୍ତର ଦେଇଛନ୍ତି, ସେନେଇ ପୁଲିସ କିଛି ସୂଚନା ଦେଇନାହିଁ।

ଆଜି ମିଛଧରା ପରୀକ୍ଷା: ପ୍ରଥମ ପତ୍ନୀଙ୍କ ବୟାନରୁ ୯୦ ପ୍ରଶ୍ନ ପ୍ରସ୍ତୁତ

୧୮ ମହିଳାଙ୍କୁ ବିବାହ, ଏମ୍‌ବିବିଏସ୍ ଆଡମିସନ୍ ନାଁରେ ଠକେଇ, ଚାକିରି ନାଁରେ ଚୂନ, ପୁଳାପୁଳା ବ୍ୟବସାୟୀଙ୍କୁ ଠକିବା ମାମଲାରେ ତିନିଟି ପର୍ଯ୍ୟାୟରେ ୧୩ଦିନ ରିମାଣ୍ଡରେ ଆଣି ନକଲି ଡାକ୍ତର ରମେଶ ସ୍ବାଇଁଠାରୁ ତଥ୍ୟ, ପ୍ରମାଣ କାଢ଼ିବାରେ ବିଫଳ ହୋଇଥିବା ପୁଲିସର ଏକମାତ୍ର ସାହାରେ ଏବେ ମିଛଧରା ପରୀକ୍ଷା। କୋର୍ଟରୁ ଅନୁମତି ମିଳିବା ପରେ ଆସନ୍ତାକାଲି(ବୁଧବାର) ପୁଲିସ ରାଜ୍ୟ ଫୋରେନସିକ୍ ଲାବରେଟୋରିରେ ରମେଶର ମିଛଧରା ପରୀକ୍ଷା କରାଇବ। ଏଥିରେ ପ୍ରାୟ ୯୦ଟି ପ୍ରଶ୍ନ ପଚରାଯିବା ପାଇଁ ପ୍ରସ୍ତୁତି କରାଯାଇଛି।

ବୁଧବାର ସକାଳୁ ପୁଲିସ ରମେଶକୁ ଝାରପଡ଼ା ଜେଲରୁ ଆଣି ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ଯିବ। ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ମିଛଧରା ପରୀକ୍ଷା କରାଯିବ। ଅଭିଯୋଗ, ତଦନ୍ତ ବେଳେ ସାମ୍ନାକୁ ଆସିଥିବା କେତୋଟି ଦିଗ ଉପରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଛି। ସେହିପରି ରମେଶର ପ୍ରଥମ ପତ୍ନୀଙ୍କ ବୟାନରୁ ମଧ୍ୟ କେତେକ ପ୍ରଶ୍ନ ତିଆରି କରାଯାଇଥିବା ଜଣାପଡ଼ିଛି। ଠକେଇ ଭଳି ମାମଲାରେ ମିଛଧରା ପରୀକ୍ଷା କେତେ ଦୂର ସହାୟକ ହେବ ଓ ଏହାକୁ ଆଧାର କରି ପୁଲିସ ତଦନ୍ତକୁ କେତେ ବାଟ ଆଗେଇ ନେବ, ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର