ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା: ଅବଧିର ଦିନକ ପୂର୍ବରୁ ଛାଡ଼ିଦେଲା ପୁଲିସ

‌‌‌ଜେରାରେ ପୁଲିସକୁ ନାକେଦମ୍‌ କଲେ

ଭୁବନେଶ୍ବର: ପୁଲିସ ଯାହା ଭାବି ନକଲି ଡାକ୍ତର ରମେଶ ଓ ତା’ ସହଯୋଗୀ ବିଶ୍ବରଂଜନ ଦାସକୁ ରିମାଣ୍ଡରେ ଆଣିଥିଲା, ସେଭଳି କିଛି ହେଲା ନାହିଁ। ଓଲଟି ଜେରା ବେଳେ ଦୁହେଁ ପୁଲିସକୁ ନାକେଦମ୍‌ କଲେ। ୟାଡୁସିଆଡୁ ମିଛ କଥା କହି ପୁଲିସକୁ ଭୁଆଁ ବୁଲାଇଲେ। ତେଣୁ ବାଧ୍ୟ ହୋଇ ରିମାଣ୍ଡ ଅବଧି ସରିବାର ଦିନକ ପୂର୍ବରୁ ପୁଲିସ ଉଭୟଙ୍କୁ କୋର୍ଟରେ ହାଜର କରାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।
ଗତ ମାସ ୨୮ ତାରିଖରେ ପୁଲିସ୍‌ ରମେଶର ସହଯୋଗୀ ବିଶ୍ବରଂଜନ ଦାସକୁ ଗିରଫ କରିଥିଲା। ସେ ରମେଶର ସୋସିଆଲ୍‌ ମିଡିଆ ଆକାଉଣ୍ଟ ସମ୍ଭାଳୁଥିଲା।

ହ୍ବାଟ୍‌ସଆପ୍‌ଠାରୁ ଆରମ୍ଭ କରି ଫେସ୍‌ବୁକ୍‌, ମେସେଞ୍ଜର୍‌ ଆକାଉଣ୍ଟରୁ ମହିଳା ଓ ଯୁବତୀଙ୍କ ସହ କଥା ହେଉଥିଲା। ଏପରିକି ମାଟ୍ରିମୋନି ସାଇଟ୍‌ରେ ବି ଚାଟିଂ କରି ରମେଶର ପ୍ରାଧାନ୍ୟ ବଢ଼ାଉଥିଲା। କିଛି ମହିଳାଙ୍କ ସହ ରମେଶର ବାହାଘର କରାଇଥିଲା। ତେଣୁ ଉଭୟଙ୍କୁ ମୁହାଁମୁହିଁ ଜେରା କଲେ, ଅଧିକ ତଥ୍ୟ ପଦାକୁ ଆସିବ ଭାବି ଗତ ୩୦ ତାରିଖରେ ପୁଲିସ ଉଭୟଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଥିଲା। ପ୍ରଥମେ ଦୁହିଁଙ୍କୁ ଅଲଗା ଅଲଗା ଜେରା କରିବା ପରେ ୩ଦିନ ଉଭୟଙ୍କୁ ମୁହାଁମୁହିଁ ଜେରା କରିଥିଲା। କିନ୍ତୁ ଜେରା ବେଳେ ଦୁହେଁ ଏମିତିଆ ଉତ୍ତର ଦେଇଥିଲେ ଯେ ପୁଲିସର ଅକଲଗୁଡୁମ୍‌ ହୋଇଯାଇଥିଲା। ଦୁହେଁ ପୁଲିସ୍‌କୁ ଆଦୌ ସହଯୋଗ କରିନଥି‌ଲେ। ପୁଲିସ ସେମାନଙ୍କୁ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଓ କମ୍ପ୍ୟୁଟର୍‌ର ପାସ୍‌ୱାର୍ଡ ମାଗିଥିଲେ ହେଁ ସେମାନେ ବାରମ୍ବାର ଭୁଲ୍‌ ପାସ୍‌ୱାର୍ଡ ଦେଇଥିଲେ। ତେଣୁ ବାଧ୍ୟ ହୋଇ ପୁଲିସ ପାସ୍‌ୱାର୍ଡ ବ୍ରେକ୍‌ କରି ସୋସିଆଲ୍‌ ମିଡିଆ ଓ କମ୍ପ୍ୟୁଟର୍‌ରୁ କିଛି ତଥ୍ୟ ପାଇଛି। ସେମାନେ ଏପରି ଅସହଯୋଗ କରିବାରୁ ପୁଲିସ୍‌ ଅତିଷ୍ଠ ହୋଇ ଦୁହିଁଙ୍କୁ ଅବଧିର ଦିନକ ପୂର୍ବରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର