ମେଟ୍ରୋ ସିଟିରେ ରମେଶର ମାୟାଜାଲ: ୬୦ ମହିଳାଙ୍କ ସହ ଯୋଗାଯୋଗରେ ପୁଲିସ

ଭୁବନେଶ୍ବର : ମାଟ୍ରିମୋନି ସାଇଟ୍‌ରେ ବିଧବା ଓ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଖୋଜି ଖୋଜି ଫସାଇବା ପରେ ବିବାହ କରୁଥିବା ଓ ପରେ ସେମାନଙ୍କୁ ଲୁଟୁଥିବା ନକଲି ଡାକ୍ତର ରମେଶ ସ୍ବାଇଁ ବାବଦରେ ପୁଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳୁଛି। ପୁଲିସ ତା’ ମୋବାଇଲ୍‌ ଫୋନ୍‌କୁ ଯେତିକି ଘାଣ୍ଟୁଛି, ସେତିକି ଅଧିକ ରୋଚକ ଖବର ସାମ୍ନାକୁ ଆସୁଛି। ଏବେ ସୁଦ୍ଧା ରମେଶ ୧୭ ମହିଳାଙ୍କୁ ବିବାହ କରିଥିବା ଜଣାପଡ଼ିଥିବା ବେଳେ ଶହଶହ ମହିଳାଙ୍କ ସହ ସେ ଯୋଗାଯୋଗରେ ଥିଲା ବୋଲି ଜଣାପଡ଼ିଛି। ତା’ ଫୋନ୍‌ କଲ୍‌ ଓ ଚାଟିଂରୁ ପୁଲିସକୁ ଏହି ତଥ୍ୟ ମିଳିଛି। ଆହୁରି ଅନେକ ମହିଳାଙ୍କୁ ବିବାହ କରିବାକୁ ସେ ଯୋଗାଯୋଗ କରିଥିଲା ବୋଲି ତା’ ମୋବାଇଲ୍‌ କଲ୍‌ ରେକର୍ଡ କହୁଛି। ଦିଲ୍ଲୀ, ହାଇଦ୍ରାବାଦ୍, କୋଲାକାତା, ବେଙ୍ଗାଲୁର, ଚେନ୍ନାଇ, ମୁମ୍ବାଇ ଭଳି ମେଟ୍ରୋ ସିଟିମାନଙ୍କରେ ସେ ତା’ ମାୟାଜାଲ ବିଛାଇଥିବା ଜଣାପଡ଼ିଛି।

ଗତ କିଛି ଦିନର କଲ୍‌ ରେକର୍ଡ ଅନୁସାରେ ସେ ପ୍ରାୟ ୬୦ ମହିଳାଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ସେମାନଙ୍କ ଭିତରୁ ୧୦ରୁ ଅଧିକ ମହିଳାଙ୍କୁ ବିବାହ କରିବ ବୋଲି ପୂରା ଯୋଜନା କରିଥିଲା। ସେହି ୧୦ ଜଣଙ୍କ ମଧ୍ୟରୁ କେତେକଙ୍କୁ ସେ ଭୁବନେଶ୍ବର ବୁଲାଇଥିଲା ବୋଲି ଜଣାପଡ଼ିଛି। ସେମାନେ ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଓ କୋଲକାତା ସହରର ବାସିନ୍ଦା ବୋଲି ଜଣାପଡ଼ିଛି। ଏବେ ତଦନ୍ତକାରୀ ଟିମ୍ ଉକ୍ତ ୬୦ ମହିଳାଙ୍କ ସହ ଯୋଗାଯୋଗ କରିଛି। ସେମାନଙ୍କୁ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ରମେଶ ସେମାନଙ୍କଠାରୁ କିଛି ଠକି ନେଇଛି କି ନାହିଁ, ସେବାବଦରେ ଖୋଳତାଡ୍‌ କରିବ ବୋଲି ସୂଚନା ମିଳିଛି।

CamScanner 02-15-2022 18.24.32

ନକଲି ଡାକ୍ତରର ସବୁ ଜାଲ୍
ତା’ର ଅସଲ ନାଁ ହେଉଛି ରମେଶଚନ୍ଦ୍ର ସ୍ବାଇଁ। ବାକି ସବୁ ନକଲି। ନକଲି ଡାକ୍ତର ସାଜି ସେ ନିଜକୁ କେତେବେଳେ ବିଧୁ ପ୍ରକାଶ ସ୍ବାଇଁ ତ କେତେବେଳେ ରମଣୀ ରଞ୍ଜନ ସ୍ବାଇଁ ଓ କେତେବେଳେ ବିଜୟଶ୍ରୀ ରମେଶ କୁମାର ବୋଲି କହୁଥିଲା। ସେହି ଅନୁସାରେ ସେ ନକଲି ପରିଚୟପତ୍ର ପ୍ରସ୍ତୁତ କରିଥିଲା। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପରିଚୟପତ୍ରରେ ତା’ ନାଁ ହେଉଛି ପ୍ରଫେସର ଡାକ୍ତର ବିଜୟଶ୍ରୀ ରମେଶ କୁମାର। ଜନ୍ମ ତାରିଖ ୧୯୭୧ ମେ ୨। ତାହା ବି ନକଲି। ପଦବି ହେଉଛି ଉପମହାନିର୍ଦ୍ଦେଶକ। ସେହିପରି ଭୋଟର ପରିଚୟପତ୍ର ଓ ପାନ୍ କାର୍ଡରେ ମଧ୍ୟ ସେହି ଜନ୍ମ ତାରିଖ ଓ ନାଁ ରହିଛି। ଏମିତି ନକଲି କାଗଜପତ୍ର କରି ସେ ମହିଳାମାନଙ୍କୁ ଫସାଉଥିଲା। ମହିଳାମାନେ ବି ଏତେ ବଡ଼ ପଦ ପଦବି ଦେଖି ଫସୁଥିଲେ।

ବିଚଳିତ ମହିଳାଙ୍କୁ କାଉନ୍‌ସେଲିଂ
ରମେଶର କଳା କାରନାମା ଖୋଲିଯିବା ପରେ ତା’ସହ ସମ୍ପର୍କରେ ଥିବା ମହିଳାମାନେ ବିଚଳିତ ହୋଇପଡ଼ିଛନ୍ତି। ପ୍ରାୟ ସମସ୍ତେ ଭଲ ପଦ ପଦବିରେ ଥିବାରୁ ଓ କିଛି ସମ୍ଭ୍ରାନ୍ତ ଶ୍ରେଣୀର ହୋଇଥିବାରୁ ଲୋକଲଜ୍ଜା ଭୟରେ ସେମାନେ ସାମ୍ନାକୁ ଆସିବାକୁ ନାରାଜ ହେଉଥିବା ଜଣାପଡ଼ିଛି। ଏମିତିକି ତାକୁ ବିବାହ କରିଥିବା ୧୭ ମହିଳା ବି ପୁଲିସକୁ ସହଯୋଗ କରିବାକୁ ମନ କରୁନାହାନ୍ତି। ତେଣୁ ସେମାନଙ୍କୁ ପୁଲିସର ସ୍ବତନ୍ତ୍ର ଟିମ୍‌ ଯୋଗାଯୋଗ କରୁଛି ଓ ସେମାନଙ୍କୁ କାଉନ୍‌ସେଲିଂ କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କୁ ସାଧାରଣ ଲୋକଙ୍କଠାରୁ ଯଥାସମ୍ଭବ ଦୂରେଇ ରଖିବା ସହ ସେମାନଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୁଲିସ ସୂଚନା ଦେଇଛି। ମାନସିକ ସ୍ତରରେ ସେମାନେ ଯେମିତି ଭାଙ୍ଗି ନ ପଡ଼ିବେ, ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ପୁଲିସ କହିଛି।

ମୋବାଇଲରେ ଭର୍ତ୍ତି ହୋଇଛି ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ
ତା’ ମୋବାଇଲ ଫୋନ୍‌ରେ କିଛି ମହିଳାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଥିବା କୁହାଯାଉଛି। ତେବେ ଏସବୁକୁ ସେ ଖୁସି ପାଇଁ ରଖିଥିଲା କି ଏହା ଦ୍ବାରା ସେ ମହିଳାମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା, ଜଣାପଡ଼ିନାହିଁ। ଏସବୁ ଫଟୋ ଓ ଭିଡିଓ ମହିଳାମାନଙ୍କ ଇଛାରେ ପ୍ରସ୍ତୁତ ହୋଇଛି। କିଛି ସେମାନଙ୍କ ସରଳତାର ସୁଯୋଗ ନେଇ ଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି।

ଆଉ ଏକ ଫ୍ଲାଟ୍‌ ଠାବ
ଖଣ୍ଡଗିରି ଅଞ୍ଚଳରେ ପୁଲିସ ତା’ର ଆଉ ଏକ ଫ୍ଲାଟ୍‌ ଠାବ କରିଛି। ପୂର୍ବରୁ ସେ ରାଜଧାନୀରେ ୩ଟି ଫ୍ଲାଟ୍‌ ଭଡ଼ାରେ ରଖିଥିବା ଜଣାପଡ଼ିଥିଲା। ଏବେ ଖଣ୍ଡଗିରିସ୍ଥିତ ସାଇ ପାରାଡାଇଜ୍‌ରେ ସେ ଆଉ ଏକ ଫ୍ଲାଟ୍‌ ଭଡ଼ା ନେଇଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ମହିଳାମାନଙ୍କୁ ଆଣି ସେଠାରେ ସେ ରାତି ବିତାଉଥିଲା। ରାତିରେ ରହି ପୁଣି ସକାଳୁ ପଳାଉଥିଲା। ଜଣେ ଅଣଓଡ଼ିଆ ମହିଳା ଏହି ଫ୍ଲାଟ୍‌ରେ କିଛି ଦିନ ଧରି ରହିଥିଲେ। ମାତ୍ର ୧୦/୧୫ ଦିନ ପର୍ଯ୍ୟନ୍ତ ରମେଶ ନ ଆସିବାରୁ ସେ ପଳାଇଥିଲେ। ଧୂର୍ତ୍ତ ରମେଶ ଏପର୍ଯ୍ୟନ୍ତ ଉକ୍ତ ଫ୍ଲାଟ୍‌ର ଭଡ଼ା ଦେଇନଥିବା ଜଣାପଡ଼ିଛି। ଗଣମାଧ୍ୟମରୁ ରମେଶ ବାବଦରେ ଖବର ଜାଣିବା ପରେ ଫ୍ଲାଟ୍‌ ମାଲିକ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।

ଆର୍ଥିକ କାରବାରର ଖୋଳତାଡ୍‌ ହେବ

ମହିଳାମାନଙ୍କୁ ଫସାଇ ରମେଶ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଛି। ସେହିଭଳି ଏମ୍‌ବିବିଏସ୍ ଆଡ୍‌ମିସନ୍‌ ନାଁରେ ଠକେଇ କରିଛି, ମେଡିକାଲ୍‌ ଷ୍ଟଡି ଲୋନ୍‌ କରାଇବା ବାହାନାରେ ଠକିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜରିଆରେ କାମ କରାଇଦେବା ବାହାନାରେ ଓ ମେଡିକାଲ ଲାଇସେନ୍ସ ପ୍ରଦାନ କରିବା ନାଁରେ କୋଟି କୋଟି ଟଙ୍କା ଠକିଛି। ପୁଲିସ ହାତରେ ଏବେ ସୁଦ୍ଧା ୧୨ଟି ବ୍ୟାଙ୍କ ପାସବୁକ୍ ଲାଗିଛି। ବ୍ୟାଙ୍କରୁ ସବିଶେଷ ବିବରଣୀ ମଗାଯାଇଛି। ପୂରା ଆର୍ଥିକ କାରବାରର ଖୋଳତାଡ୍‌ ଚଳାଇଛି ପୁଲିସ। ପରେ ତା’କୁ ରିମାଣ୍ଡରେ ଅଣାଯିବ।

ବିଦେଶରେ ଡାକ୍ତର ଚାକିରି କରାଇବା ନାଁରେ ଠକିଛି

ତା’ର ୨ ଡାକ୍ତର ପୁଅ ଓ ଜଣେ ଝିଅ ଆମେରିକାରେ ଅବସ୍ଥାପିତ। ତେଣୁ ବିଦେଶରେ ଡାକ୍ତରୀ ପଢ଼ିବା ଓ ବିଦେଶରେ ଡାକ୍ତର ଚାକିରି କରାଇବା ଆଳରେ ସେ ବହୁ ପିଲାଙ୍କୁ ଠକିଛି। ଏମିତିରେ ସେ ହାଇଦ୍ରାବାଦରୁ କୋଟି କୋଟି ଟଙ୍କା ଠକିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର