ଭୁବନେଶ୍ବର: କିଛିଦିନ ବ୍ୟବଧାନ ପରେ ପୁଣି ରାଜଧାନୀରେ ନକଲି ପୁଲିସ ଗ୍ୟାଙ୍ଗ ସକ୍ରିୟ ହୋଇଛି। କାହାକୁ ଚାକିରି ଦେବାକୁ କହି ତ କାହାକୁ ମାମଲାରେ ଫସାଇବାର ଧମକ ଦେଇ ଏମାନେ ଲୁଟୁଛନ୍ତି। ଖାଲି ସେତିକି ନୁହେଁ; ଜାଲ୍ନୋଟ୍ କାରବାର କରି ପୁଲିସ ନିଦ ହଜାଇଛନ୍ତି। ରାତ୍ରିକାଳୀନ ବ୍ଲକିଂ ବେଳେ ସହିଦନଗର ଥାନା ପୁଲିସ ଜଣେ ନକଲି ଡିଏସ୍ପି ଓ କନେଷ୍ଟବଳକୁ ଗିରଫ କରିବା ପରେ ଏଭଳି ଘଟଣା ପଦାକୁ ଆସିଛି। ସେମାନେ ହେଲେ ଭଦ୍ରକଜିଲ୍ଲା ନାୟକାଣିଡିହି ଅଞ୍ଚଳର ମାନସ ରଂଜନ ସେନାପତି(୨୬) ଓ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଆଶିଷ ସ୍ବାଇଁ (୨୩)। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ କାର୍, ୨ଲକ୍ଷ ଟଙ୍କାର ଜାଲ୍ନୋଟ୍, ନକଲି ନିଯୁକ୍ତିପତ୍ର, ନକଲି ପୁଲିସ ପରିଚୟପତ୍ର, ନକଲି ଷ୍ଟାମ୍ପ୍, ନକଲି ପୁଲିସ ପୋଷାକ ଆଦି ଜବତ କରିଛି। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ଏସ୍. ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି।
ଚେକିଂ ବେଳେ ପୁଲିସକୁ ନାଲିଆଖି ମହଙ୍ଗା ପଡ଼ିଲା
ରବିବାର ବିଳମ୍ବିତ ରାତିରେ ସହିଦନଗର ଥାନା ପୁଲିସ ଆଇଡିବିଆଇ ଛକରେ ଚେକିଂ କରୁଥାଏ। ଏହି ସମୟରେ ହଠାତ୍ ଏକ ନୀଳ ରଙ୍ଗର କାର୍ ଭୁଲ୍ ପାର୍ଶ୍ବରେ ମାଡ଼ିଆସିଥିଲା। ଚେକିଂ କରୁଥିବା ପୁଲିସ ନିଶାସକ୍ତ ଚାଳକ ଭାବି ଗାଡ଼ିକୁ ଅଟକିବା ପାଇଁ ଇଙ୍ଗିତ କରିଥିଲା। ଗାଡ଼ିରେ ପୁଲିସ ଲେଖାଥିବା ଦେଖି କର୍ମଚାରୀ ଟିକେ ପଛଘୁଞ୍ଚା ଦେଇଥିଲେ। ହେଲେ ଅଟକାଇବାରୁ ନକଲି ଡିଏସ୍ପି ମାନସ ରାଗି ଯାଇଥିଲା। କାର୍ରୁ ବାହାରି ଆସି ଗମ୍ଭୀର ସ୍ବରରେ କହିଥିଲା ‘ମୁଁ ଡିଏସ୍ପି ମାନସ ସେନାପତି। କାହା କାର୍କୁ ଅଟକାଉଛ ଜାଣିପାରୁନ। କାହିଁକି କାର୍କୁ ଅଟକାଇଲ? ତୁମର କେଉଁ ବ୍ୟାଚ୍? କାଲି ସକାଳୁ ନିଲମ୍ବନ କରିଦେବି?’ ଏମିତି କହି ମାନସ ପାଲଟା ପୁଲିସ ଉପରେ ଚଢ଼ାଉ କରିଥିଲା। ମାନସର ତାଉ ଦେଖି ପୁଲିସ କର୍ମଚାରୀ ବି ଛାନିଆ। କାହିଁକି ଡିଏସ୍ପିଙ୍କ କାର୍କୁ ଅଟକାଇଲେ ବୋଲି ଚିନ୍ତାରେ ପଡ଼ିଥିଲେ। ହେଲେ କାର୍ ଭିତରେ ଥିବା ପୁଲିସ ଟୋପିରୁ ସନ୍ଦେହ ବଢ଼ିଥିଲା। କାର୍ ଭିତରେ ଥିବା କନେଷ୍ଟବଳ ଓ ଏସ୍ଆଇ କ୍ୟାପ୍କୁ ଦେଖି ଡ୍ୟୁଟିରେ ଥିବା ପୁଲିସ୍ଙ୍କର ଟିକିଏ ସାହସ ଜୁଟିଥିଲା। ତେଣୁ ନକଲି ଡିଏସ୍ପିଙ୍କୁ ପରିଚୟପତ୍ର ଦେଖାଇବାକୁ କହିଥିଲେ। ସାଙ୍ଗରେ ଥିବା ନକଲି କନେଷ୍ଟେବଳ କାର୍ ଭିତରୁ ବାହାରିଆସି ‘ସାର୍ଙ୍କୁ କ’ଣ ପରିଚୟପତ୍ର ମାଗୁଛ ଜାଣିପାରୁନ’ ବୋଲି କହିଥିଲା। ଉଭୟଙ୍କ ଏଭଳି ଆଚରଣ ସନ୍ଦେହକୁ ଦ୍ବିଗୁଣ କରିଥିଲା। ପରିଚୟ ପତ୍ର ଯାଞ୍ଚ ବେଳେ ଗୋଟିଏ ଜାଲ୍ ଏସ୍ଆଇ ପରିଚୟପତ୍ର ମିଳିଥିଲା। କାର ଯାଞ୍ଚ ବେଳ ସେଥିରୁ ପୁଳା ପୁଳା ଜାଲ୍ନୋଟ୍ ମଧ୍ୟ ଜବତ କରାଯାଇଥିଲା। ସବୁ ଜାଲ୍ ଜଣାପଡ଼ିବା ପରେ ପୁଲିସ ଉଭୟଙ୍କୁ ଥାନାକୁ ନେଇଥିଲା। ପଚରାଉଚରା ବେଳେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା। ଜେରା ପରେ ସହିଦନଗର ଥାନା ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ପୂର୍ବରୁ ମାନସ ନାଁରେ ନୟାଗଡ଼ ରଣପୁର ଥାନାରେ ଠକେଇ ମାମଲା ଥିବା ଜଣାପଡ଼ିଛି। ଏମିତି ବିଭିନ୍ନ ଥାନାରେ ୫ଟି ମାମଲା ଥିବା ପୁଲିସ୍ କହିଛି।
ଚଳାଇଥିଲେ ଜାଲ୍ନୋଟ୍ ରୢାକେଟ୍
ଉଭୟ ବହୁଦିନ ହେବ ଖାରବେଳନଗର ଅଞ୍ଚଳରେ ଥିବା ମଧୁସୁଦନନଗରରେ ରହି ଜାଲ୍ନୋଟ୍ ରୢାକେଟ୍ ଚଳାଇଥିଲେ। ଯେପରି କେହି ସନ୍ଦେହ କରିବେ ନାହିଁ, ଏଥିପାଇଁ ସେମାନେ ପୁଲିସ ବେଶକୁ ବାଛିଥିଲେ। ସବୁଠୁ ବଡ଼କଥା ହେଲା ସେମାନଙ୍କ ବେଶ ପୋଷାକ ସାଙ୍ଗକୁ ଚାଲିଚଳଣି ସବୁ ଅସଲି ପୁଲିସ୍ ସହିତ ମିଶିଯାଉଥିଲା। ତେଣୁ ଯେଉଁଆଡ଼େ ଜାଲ୍ ନୋଟ୍ ନେଇ ଯାଉଥିଲେ, ଯାହାକୁ ବି ଦେଉଥିଲେ କେହି ସହଜରେ ଠଉରେଇପାରୁ ନଥିଲେ। ତେବେ ଏମାନେ ଜାଲ୍ ନୋଟ୍ ଆଣୁଥିଲେ କେଉଁଠୁ? କିଏ ଯୋଗାଉଥିଲା? ନା ନିଜେ ପ୍ରସ୍ତୁତ କରୁଥିଲେ? ତାହା ଏବେ ବି ଅସ୍ପଷ୍ଟ ଅଛି। ତେବେ ଉଭୟ କେବଳ ଜାଲ୍ ନୋଟ୍ କାରବାର କରୁ ନଥିଲେ; ଲୋକଙ୍କୁ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଜଣାପଡ଼ିଛି। ଏମାନଙ୍କ ପଛରେ ଆଉ କେଉଁମାନଙ୍କ ହାତ ରହିଛି? କାହାଠାରୁ କେତେ ଟଙ୍କା ଠକିଛନ୍ତି? ରୢାକେଟ୍ର ଗୁମର ଖୋଲିବା ପାଇଁ ପୁଲିସ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।