ସିବିଏସ୍‌ଇ ନାଁରେ ନକଲି ସ୍କୁଲ

ନାମ ଫଳକରେ ସିବିଏସ୍‌ଇ ଲେଖି ପିଲାଙ୍କୁ ଠକେଇ, ସଚେତନ ରହିବାକୁ ସିବିଏସ୍‌ଇର ପରାମର୍ଶ

ଭୁବନେଶ୍ୱର: ରାଜଧାନୀର ଯୁଆଡ଼େ ଚାହିଁଲେ ଘରୋଇ ସ୍କୁଲ। କେଉଁଠି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ସହବନ୍ଧିତ ସ୍କୁଲ ତ ଆଉ କେଉଁଠି ରାଜ୍ୟ ସରକାରଙ୍କଠାରୁ ଅନୁମତି ପାଇ ଖୋଲିଛି ଘରୋଇ ସ୍କୁଲ୍‌। ଏହାର ସୁଯୋଗ ନେଇ ଆଉ କିଛି ନକଲି ସ୍କୁଲ ମୁଣ୍ଡ ଟେକିଛନ୍ତି। ସେମାନେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠକି ଚାଲିଛନ୍ତି। ସିବିଏସ୍‌ଇ ସହବନ୍ଧନ ପାଇଥିବା ଦର୍ଶାଇ ସ୍କୁଲ କର୍ତୃପକ୍ଷ ନାମଫଳକ ଲଗାଇଛନ୍ତି। ବାହାରୁ ଦେଖିଲେ ସ୍କୁଲଟି ଅସଲି କି ନକଲି ସାଧାରଣ ଲୋକଙ୍କ ପକ୍ଷେ ଜାଣିବା କଷ୍ଟକର ହୋଇପଡ଼ିବ। ଅସଲରେ ସେମାନେ ସିବିଏସ୍‌ଇ ଅନୁମତିି ପାଇନାହାନ୍ତି କି ସେମାନଙ୍କର ସିବିଏସ୍‌ଇ ସହବନ୍ଧନ ବି ନାହିଁ। ‘ସିବିଏସ୍‌ଇ ପାର୍ଟନ’ରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। କିନ୍ତୁ ବିଦ୍ୟାଳୟ ଆଗରେ ଲଗାଇଥିବା ନାମ ଫଳକରେ ‘ସିବିଏସ୍‌ଇ ଆଫିଲେସନ୍‌’ ବୋଲି ଲେଖିଦେଉଛନ୍ତି। ଗତ ୪ ବର୍ଷ ମଧ୍ୟରେ ଏଭଳି ଏକାଧିକ ନକଲି ସ୍କୁଲ ଧରାପଡ଼ିବା ପରେ ମାଲିକମାନେ ସ୍କୁଲରେ ତାଲା ପକାଇ ଛୁ ହୋଇଯାଇଛନ୍ତି। ଆଉ କିଛି ଏବେ ବି ସେମାନଙ୍କ  ପତିଆରା ରାଜଧାନୀରେ ଜାରି ରଖିଛନ୍ତି। ସେମାନଙ୍କୁ ଧରିବାକୁ ସିବିଏସ୍‌ଇ କିମ୍ବା ପ୍ରଶାସନର ହାତ ଯାଉନି। ଉଭୟ ପରସ୍ପରକୁ ଦୋଷ ଦେଇ ଖସି ଯିବାକୁ ବସିଛନ୍ତି। ପରିଣାମ ସ୍ୱରୂପ ଛାତ୍ରଛାତ୍ରୀ ଓ ଅଭିଭାବକ ଠକାମିର ଶିକାର ହେବାର ଆଶଙ୍କା ପ୍ରକାଶ ପାଇଛି।

୨୦୧୮-୧୯ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଧିକାଂଶ ସ୍କୁଲରେ ନାମଲେଖା ସରିଥିବା ବେଳେ ଆଉ କିଛି ସ୍କୁଲ ଏବେ ବି ନାମଲେଖା କରାଉଛନ୍ତି। ଗ୍ରୀଷ୍ମ ଛୁଟି ପରେ ସେଠାରେ ବି ପାଠପଢ଼ା ହେବ। ଭୁବନେଶ୍ୱରର ଏବେ ପ୍ରାୟ ୬୦ଟି ସ୍କୁଲ ସିବିଏସ୍‌ଇ ଅଧୀନରେ ରହିଥିବାବେଳେ ଏବେ ସୁଦ୍ଧା ସିବିଏସ୍‌ଇ ନଜରକୁ ୬ଟି ନକଲି ସ୍କୁଲ ରହିଥିବା ଦୃଷ୍ଟିକୁ ଆସିଛି। ଯେଉଁମାନେ କି ସିବିଏସ୍‌ଇ ସହବନ୍ଧନ ପାଇନାହାନ୍ତି। ଏଭଳି ଜଣାପଡ଼ିବା ପରେ ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ସଜାଗ ହୋଇପଡ଼ିଛି। ଅଭିଭାବକ ସେମାନଙ୍କ ପିଲାଙ୍କ ନାମଲେଖା କରିବା ପୂର୍ବରୁ ସ୍କୁଲର ସିବିଏସ୍‌ଇ ସହବନ୍ଧନ ରହିଛି କି ନାହିଁ, ଭିତ୍ତିଭୂମି ଅଛି କି ନାହିଁ, କ୍ଲାସରୁମ୍‌, ଶିକ୍ଷାଦାନ ପ୍ରଣାଳୀକୁ ଠିକ୍‌ଭାବେ ଯାଞ୍ଚ କରନ୍ତୁ। ନକଲି ପ୍ରତି ସାବଧାନ ହେବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟ ଯଦି ସିବିଏସ୍‌ଇଠାରୁ ଅନୁମତି ନ ପାଇ ଛାତ୍ରଛାତ୍ରୀଙ୍କ ନାମ ଲେଖାଉଛି ତେବେ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନାରେ ଖବର ଦେବାକୁ ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ସିବିଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେ ପୁଣିଥରେ ରାଜଧାନୀରେ ନକଲି ସ୍କୁଲ କାୟା ମେଲାଇଲେଣି। ସେଥିମଧ୍ୟରୁ କିଛି ସ୍କୁଲକୁ ଆମେ ଚିହ୍ନଟ କରିଛୁ। ଭିତ୍ତିଭୂମିକୁ ଦେଖି ଅଭିଭାବକମାନେ ସେଠାରେ ପିଲାଙ୍କ ନାମ ଲେଖାଉଛନ୍ତି। ହେଲେ ତାହା ସିବିଏସ୍‌ଇ ଅନୁମତି ପାଇ ନାହିଁ। ଗୋଟିଏ ବିଦ୍ୟାଳୟ ନାଁରେ ଅନୁମତି ଦିଆଯାଇଥିବାବେଳେ ଉକ୍ତ ନାଁକୁ ନେଇ ଆଉ କିଛି ବିଦ୍ୟାଳୟ ମଧ୍ୟ ସହରରେ ଖୋଲିଛି। ଯେଉଁମାନେ କି ନାମ ଫଳକରେ ସିବିଏସ୍‌ଇ ଆଫିଲେସନ୍‌ ବୋଲି ଦର୍ଶାଇଛନ୍ତି।

ସିବିଏସ୍‌ଇ ଆଞ୍ଚଳିକ ଜୋନ୍‌ ଆଞ୍ଚଳିକ ନିର୍ଦେଶକ ଟି. ମାଟେ କହିଛନ୍ତି ଯେ ନକଲି ବିଦ୍ୟାଳୟ ଉପରେ ଚଢ଼ଉ କରିବା ଆମ ଦ୍ୱାରା ସମ୍ଭବ ନୁହେଁ। କର୍ମଚାରୀ ଅଭାବ ରହିଛି। ତଥାପି ଯଦି କୌଣସି ସ୍କୁଲ ନାଁରେ ଅଭିଯୋଗ ଆସେ ତାହା ହେଲେ ଆମେ ପୁଲିସର ସହାୟତା ନେଇ ଚଢ଼ଉ କରିବୁ। ଲୋକଙ୍କ ନଜରକୁ ଯଦି ଏଭଳି ନକଲି ସ୍କୁଲ ଆସେ ତେବେ ସଙ୍ଗେ ସଙ୍ଗେ ସିବିଏସ୍‌ଇ ଦୃଷ୍ଟିକୁ ଆଣିବାକୁ ସେ ଅନୁରୋଧ କରିଛନ୍ତି।

ସହବନ୍ଧନ ସରିଯାଇଥିଲେ ବି ଚାଲିଛି ନାମଲେଖା

ରାଜଧାନୀରେ ଏଭଳି ଅନେକ ସ୍କୁଲ ରହିଛି ଯେଉଁମାନଙ୍କର ସିବିଏସ୍‌ଇ ସହବନ୍ଧନର ସମୟ ସୀମା ସରିଯାଇଛି। ନିୟମ ଅନୁଯାୟୀ ଗୋଟିଏ ନର୍ଦ୍ଦିଷ୍ଟ ସମୟ ସୀମା ପାଇଁ ସ୍କୁଲ୍‌ଗୁଡ଼ିକ ଅନୁମତି ପାଇଥାନ୍ତି। ଏହି ସମୟ ସୀମା ସରିଯିବା ପରେ ପୁଣିଥରେ ଅନୁମତି ଆଣିବାକୁ ପଡ଼ିଥାଏ। ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସାଙ୍ଗକୁ ବିଦ୍ୟାଳୟଗୁଡ଼ିକର ବିଭିନ୍ନ ନିୟମ ପୂରଣ କରୁଥିବା ଆବଶ୍ୟକ। ହେଲେ କିଛି ସ୍କୁଲର ସମୟ ସୀମା ଇତି ମଧ୍ୟରେ ସରିଯାଇଥିଲେ ମଧ୍ୟ ସିବିଏସ୍‌ଇଠାରୁ ଆଉ ଅନୁମତି ଆଣିନାହାନ୍ତି। ତା’ ପରେ ବି ପିଲାଙ୍କ ନାମ ଲେଖାଉଛନ୍ତି। ଏଭଳି ସ୍କୁଲରେ ନାମଲେଖା ହେବା ଦ୍ୱାରା ପିଲାମାନେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ନାମଲେଖା ସମୟରେ ଅଭିଭାବକମାନେ ସିବିଏସ୍‌ଇ େଓ୍ଵବସାଇଟ୍‌ରୁ ଭଲ ଭାବେ ଯାଞ୍ଚ କରିବାକୁ ଆଞ୍ଚଳିକ ନିର୍ଦେଶକ ଶ୍ରୀ ମାଟେ କହିଛନ୍ତି।

ସମ୍ବନ୍ଧିତ ଖବର