ଏମ୍ସରେ କାମ କରୁଛନ୍ତି ଜାଲ୍ କର୍ମଚାରୀ!

ଟଙ୍କା ନେଇ ଆଟେଣ୍ଡାଣ୍ଟ୍ କାମ କରାଉଥିଲେ, ଧରାପଡ଼ିବା ପରେ ମାମଲା ରଫାଦଫା କରିବାକୁ ଉଦ୍ୟମ

ଭୁବନେଶ୍ବର : ଭୁବନେଶ୍ବରରଏମ୍ସରେ ବି ଟଙ୍କା ନେଇ ଜାଲିଆତି ଚାଲିଛି। କିଛି ଅଣନିଯୁକ୍ତିପ୍ରାପ୍ତ ଜାଲ୍ କର୍ମଚାରୀଙ୍କୁ ରୋଗୀଙ୍କ ସ୍ବାସ୍ଥ୍ୟସେବା ଭଳି ଗୁରୁଦାୟିତ୍ବରେ ଲଗାଇଛନ୍ତି ଏମ୍ସର ଜଣେ ମହିଳା କର୍ମଚାରୀ। ଏଥିପାଇଁ ରୋଗୀଙ୍କ ଜୀବନକୁ ବି ବାଜିରେ ଲଗାଇବାକୁ ପଛାଉନାହାନ୍ତି। ତେବେ ସେଥିମଧ୍ୟରୁ ଦୁଇଜଣ ଜାଲିଆତି କରି ହସ୍ପିଟାଲ ଭିତରେ ଆଟେଣ୍ଡାଣ୍ଟ କାମ କରିବା ବେଳେ ଧରାପଡ଼ିଛନ୍ତି। ଉଭୟ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯିବା ସହିତ ସେମାନଙ୍କୁ କାମରେ ଲଗାଇଥିବା ମହିଳା କର୍ମଚାରୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପ୍ରାୟ ମାସାଧିକ କାଳ ଦୁଇଜଣ ସେଠାରେ କାମ କରୁଥିଲେ। ମାତ୍ର ଏମ୍ସ ପକ୍ଷରୁ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ଅପରପକ୍ଷରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏମ୍ସ ଭଳି ଏକ ଜାତୀୟସ୍ତରର ଡାକ୍ତରଖାନାରେ କାହିଁକି ବାହାର କର୍ମଚାରୀ କାମରେ ନିୟୋଜିତ ଥିଲେ? ଏହା ପଛରେ ଉକ୍ତ ମହିଳା କର୍ମଚାରୀଙ୍କ ବ୍ୟତୀତ ଆଉ କିଏ କିଏ ସାମିଲ ଅଛନ୍ତି? ସେମାନେ ମେଡିକାଲରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ବେଳେ ସେମାନଙ୍କୁ ଡ୍ୟୁଟି କିଏ ବାଣ୍ଟୁଥିଲା? ଏମ୍ସର ଡ୍ରେସକୋର୍ଡ ସେମାନେ ପାଇଲେ କେଉଁଠୁ? ବିନା ରେଜିଷ୍ଟ୍ରେସନ ଆଇକାର୍ଡରେ କେମିତି ମାସେ କାଳ ଭିତରକୁ ଯାଇ କାମ କଲେ? ମାସାଧିକ କାଳ ଅଣନିଯୁକ୍ତିପ୍ରାପ୍ତ କର୍ମଚାରୀ ସେଠାରେ କାମ କରୁଥିଲେ ହେଁ ମେଡିକାଲ୍ ସୁପରିଟେଣ଼୍ଡେଣ୍ଟଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ କେମିତି ଜାଣିପାରିଲେ ନାହିଁ? ଯଦି ଏତେ ସବୁ ଘଟଣା ଘଟିଗଲା, ତେବେ ଏମ୍ସ କର୍ତ୍ତୃପକ୍ଷ କାହିଁକି ଏ ପର୍ଯ୍ୟନ୍ତ ଥାନାରେ ଅଭିଯୋଗ କରିନାହାନ୍ତି?ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏମ୍ସରେ ଏହିଭଳି ଅନେକ କର୍ମଚାରୀ ଅଛନ୍ତି। ନିଯୁକ୍ତି ପାଇବା ଆଶାରେ ଟଙ୍କା ଦେଇଛନ୍ତି ଏବଂ ଜାଲ୍ ନିଯୁକ୍ତିପତ୍ରରେ କାମ ବି କରୁଛନ୍ତି। ଯେତେବେଳେ ମାସେ କାଳ ଖଟିବା ପରେ ଦରମା ମାଗୁଛନ୍ତି, ସେମାନଙ୍କୁ ଟଙ୍କା ଦେବା ବଦଳରେ ଚାଲିଯିବାକୁ କୁହାଯାଉଛି।

ସମ୍ବନ୍ଧିତ ଖବର