ବାଲିଅନ୍ତା: ଆଜି ଖାଦ୍ୟ ନିରାପତ୍ତା ବିଭାଗ ରାଜଧାନୀରେ ନକଲି ଲୁଣ ଓ ଡିଟରଜେଣ୍ଟ କାରଖାନା ଠାବ କରିଛି। ପାହାଳ ଥାନା ଶିବଶକ୍ତିନଗରରେ ଦୀର୍ଘ ୩ ବର୍ଷ ହେଲା ଚାଲିଥିବା ଏହି ନକଲି କାରଖାନାରୁ ଟାଟା ଲୁଣ ଓ ସର୍ଫ ଏକ୍ସେଲ୍ ଲୋଗୋ ଲଗାଇ ବଜାରକୁ ନକଲି ସାମଗ୍ରୀ ଛଡ଼ାଯାଉଥିଲା। ଆଜି ଚଢ଼ଉ ବେଳେ କାରଖାନା ଭିତରୁ ୭୦ କ୍ବିଣ୍ଟାଲ ଟାଟା ସଲ୍ଟ ପ୍ୟାକେଟ୍ ଓ ୫୦ କ୍ବିଣ୍ଟାଲ ସର୍ଫ ଏକ୍ସେଲ୍ ପ୍ୟାକେଟ ଜବତ କରାଯାଇଛି। ଏସବୁର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
ଏହାବାଦ୍ ନକଲି ଜିନିଷ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ କଞ୍ଚାମାଲ ଜବତ କରାଯାଇଛି। ଏସବୁର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏଥିସହିତ ଦୁଇଟି ପ୍ୟାକିଂ ମେସିନ, ଓଜନ ମେସିନ, ଲୋଗୋ ମେସିନ ମଧ୍ୟ ଜବତ କରାଯାଇଛି। ତେବେ କୌଣସି ସୂତ୍ରରୁ ଖବର ପାଇ ଠିକ ଚଢ଼ଉ ପୂର୍ବରୁ କାରଖାନା ମାଲିକ ହୃଷିକେଶ ନାୟକ ଛୁ’ ମାରିବାରେ ସକ୍ଷମ ହୋଇଛି। ଏନ୍ଫୋର୍ସମେଣ୍ଟ ଟିମ୍ କେବଳ କାରଖାନାର ଜଣେ କର୍ମଚାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
/sambad/media/post_attachments/wp-content/uploads/2022/09/31-4.jpg)
ସୂଚନାଯୋଗ୍ୟ ଯେ ରାଜଧାନୀ ସମେତ କଟକ, ପୁରୀ, ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ନକଲି ଟାଟା ଲୁଣ ବିକ୍ରି ହେଉଛି ବୋଲି କମ୍ପାନି କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ସେହିଭଳି ସର୍ଫ ଏକ୍ସେଲ୍ର ନକଲି ଉତ୍ପାଦ ମଧ୍ୟ ବଜାରରେ ଉପଲବ୍ଧ ହେଉଛି ବୋଲି କମ୍ପାନି କର୍ତ୍ତୃପକ୍ଷଙ୍କ ନିକଟରେ ଖବର ପହଞ୍ଚିଥିଲା। ହୃଷିକେଶ କମ୍ପାନିରୁ ବଜାରକୁ ଆସୁଥିବା ମାଲ୍ ଦର କମ୍ ଥିଲା। ପୁଣି ଅବିକଳ ନକଲ ହୋଇଥିବାରୁ ଗ୍ରାହକମାନେ ବି ସହଜରେ ଜାଣିବା ବାଟନଥିଲା। ତେଣୁ ବହୁ ଦୋକାନୀ କମ୍ ଦାମ୍ରେ କିଣି ଅସଲ କମ୍ପାନିର ଧାର୍ଯ୍ୟ ମୂଲ୍ୟରେ ବିକି ଅଧିକ ଲାଭ ପାଉଥିଲେ। ଫଳରେ ଅସଲ କମ୍ପାନିର ମାଲ୍ ବଜାରରେ ବେଶି ବିକ୍ରି ହେଉନଥିଲା।
ତେଣୁ ଏହି ଦୁଇ କମ୍ପାନି ପକ୍ଷରୁ ସ୍ବତନ୍ତ୍ର ଏଜେଣ୍ଟ ନିଯୁକ୍ତ କରାଯାଇଥିଲା ଓ ଏଭଳି ମାଲ୍ କେଉଁଠୁ ବଜାରକୁ ଆସୁଛି ବୋଲି ତଦନ୍ତ କରାଯାଇଥିଲା। ତଦନ୍ତ ଦାୟିତ୍ବରେ ଥିବା ଏଜେଣ୍ଟମାନେ ବହୁ ଦୋକାନରେ ନକଲି ମାଲ ମହଜୁଦ୍ ଥିବା ଦେଖିଥିଲେ। ତଦନ୍ତରୁ ସେମାନେ ନହରକଣ୍ଟାସ୍ଥିତ ହୃଷିକେଶ କମ୍ପାନି ଏଭଳି କରୁଛି ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ଦୁଇ କମ୍ପାନି ପକ୍ଷରୁ ବିଧିବଦ୍ଧ ଭାବେ ଖାଦ୍ୟ ନିରାପତ୍ତା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବା ପରେ ଆଜି ବିଭାଗୀୟ ଅଧିକାରୀମାନେ କମିସନରେଟ୍ ପୁଲିସ ସହଯୋଗରେ ଚଢ଼ଉ କରିଥିଲେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛାନ୍ଭିନ କରାଯାଇଥିଲା। ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାଶ ମହାପାତ୍ରଙ୍କ ନେତୃତ୍ବରେ ବିଭାଗୀୟ ଅଧିକାରୀଙ୍କ ସମେତ ଏସିପି ଶୁଭ ନାରାୟଣ ମୁଦୁଲି ଓ ପାହାଳ ଥାନା ଆଇଆଇସି ସୁଚିତ୍ରା ପରିଡ଼ା ଏହି ଚଢ଼ଉରେ ସାମିଲ୍ ହୋଇଥିଲେ। ଏନେଇ ପାହାଳ ଥାନାରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/balianta-1.jpg)