୬ ଲକ୍ଷରେ ବିକିଦେଲେ ନକଲି ସୁନା

ଧରାପଡ଼ିଲା ଗ୍ୟାଙ୍ଗ୍‌, ୪ ଗିରଫ, ଦେଢ଼କେଜି ନକଲି ସୁନା, ୫ ଗ୍ରାମ ଓଜନର ସୁନା, ୩ ଲକ୍ଷ ନଗଦ ଟଙ୍କା ଓ ୪ଟି ମୋବାଇଲ ଫୋନ୍‌ ଜବତ

ଭୁବନେଶ୍ବର : କମିସନରେଟ୍‌ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ମୋବାଇଲ ଟ୍ରାକିଂ କରିବା ସହ ଦୀର୍ଘ ଦୁଇମାସ ଜଗିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଗ୍ୟାଙ୍ଗ୍‌କୁ ଗିରଫ କରିଛି। ସୁନାର ଅଧା ଦରରେ ଲୋକଙ୍କୁ ନକଲି ସୁନା ବିକ୍ରି କରୁଥିବା ଏହି ଗ୍ୟାଙ୍ଗ୍‌ର ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦେଢ଼କେଜି ନକଲି ସୁନା, ୫ ଗ୍ରାମ ଓଜନର ସୁନା, ୩ ଲକ୍ଷ ନଗଦ ଟଙ୍କା ଓ ୪ଟି ମୋବାଇଲ ଫୋନ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଆସାମର ଫକିର ଚାନ୍ଦ ଖାନ୍‌, ନିଜାମୁଦ୍ଦିନ୍ ଫକିର, ମନୋହର ଅଲ୍ଲି ଓ ମୁଜାମ୍ ଅଲ୍ଲି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ବରରେ ହୋଇଥିବା ଏକ ଅଭିଯୋଗକୁ ଆଧାର କରି ଏହି ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏମାନଙ୍କ ନାମରେ ଆଉ କେଉଁଠି ଅଭିଯୋଗ ରହିଛି ସେ ନେଇ ବିଭିନ୍ନ ଥାନାକୁ ସୂଚନା ଦିଆଯାଇଛି। କଟକରେ ଆଉ ଜଣେ ଲୋକକୁ ଏଭଳି ଠକିବା ପୂର୍ବରୁ ପୁଲିସ ଏହି ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି।

କେମିତି ଫସିଲେ
ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ୱରରେ ରହୁଥିବା ସିଆରପିଏଫ୍ କନଷ୍ଟେବଳ ଦ୍ବୈତାରୀ ମଲ୍ଲିକ ଏଭଳି ଠକାମିର ଶିକାର ହୋଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଫକିର ଚାନ୍ଦ ଖାନ୍‌ ଓ ନିଜାମୁଦିନ୍ ଫକିର ମାଛ ବେପାର କରୁଥିଲେ। ନିୟମିତ ଗ୍ରାହକ ଭାବରେ ସେ ଏହି ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ। ନଭେମ୍ବର ୧ ତାରିଖ ଦିନ ଦୁହେଁ ଦ୍ବୈତାରୀଙ୍କୁ ମାଛ ବିକିଥିଲେ। ବିକିବା ବେଳେ କହିଥିଲେ, ମୋ’ ଜଣେ ସାଙ୍ଗ ୭୫୦ ଗ୍ରାମର ସୁନାମୁଣ୍ଡା ପାଇଛି। ତୁମେ ୬ଲକ୍ଷ ଟଙ୍କା ଦେଇ ନେଇଯାଅ। ଆମେ ଗରିବ ବେପାରୀ ତାକୁ ରଖି କ’ଣ କରିବୁ! ଦ୍ବୈତାରୀ ରାଜି ହେବା ସହ ସୁନା ଅସଲି କି ନକଲି ଜାଣିବା ପାଇଁ ଚାହିଥିଲେ। ସେମାନେ ଖଣ୍ଡେ ଅସଲି ସୁନା ଆଣି ସେଥିରୁ ଛୋଟିଆ ଖଣ୍ଡେ କାଟି ଦ୍ବୈତାରୀଙ୍କୁ ଦେଇଥିଲେ। ସୁନା ଅସଲି ଜାଣିବା ପରେ ସୁନା ମୁଣ୍ଡା ପାଇଁ ୬ ଲକ୍ଷ ଟଙ୍କା ଦେଇ ଦେଇଥିଲେ। ସେମାନେ ୭୫୦ ଗ୍ରାମ୍‌ ଓଜନର ନକଲି ସୁନାମୁଣ୍ଡାକୁ ଦ୍ବୈତାରୀଙ୍କୁ ଦେଇ ଖସି ଯାଇଥିଲେ। ବଣିଆକୁ ଦେଖାଇବା ପରେ ତାହା ନକଲି ବୋଲି ଜଣାପଡିବାରୁ ସେମାନଙ୍କୁ ଫୋନ୍‌ କରିଥିଲେ। ହେଲେ ମୋବାଇଲ ଅଫ୍ ଥିବାରୁ ଠକାମିର ଶିକାର ହୋଇଥିବା ଜାଣି ଦ୍ବୈତାରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ମୋବାଇଲ ଅଫ୍‌ ଥିବାରୁ ପୁଲିସ ନିରାଶ ହୋଇଥିଲା।

କେମିତି ଧରାପଡ଼ିଲେ
ଫେବ୍ରୁ୍ଆରି ମାସରେ ଗୋଟିଏ ମୋବାଇଲ ନମ୍ବର ଆସାମରେ ଅନ୍‌ ହୋଇଥିଲା। ପୁଲିସ ଆସାମ ଯିବା ପାଇଁ ଯୋଜନା କରୁଥିଲା। ଆଉ ବାକି ମୋବାଇଲ ସବୁ ଅନ୍‌ ହେବା ପାଇଁ ପୁଲିସ ଅପେକ୍ଷା କଲା। ଦୁଇଦିନ ତଳେ ଆଉ ଦୁଇଟି ମୋବାଇଲ ଫୋନ୍‌ ଅନ୍‌ ହେଲା। ତେବେ ସମସ୍ତ ମୋବାଇଲ ଫୋନ୍‌ କଟକରେ ଥିବା ପୁଲିସ ଜାଣିବାକୁ ପାଇଲା। ଦୁଇଟି ଟିମ୍‌ ଅଜଣା ଅଭିଯୁକ୍ତଙ୍କ ପିଛା କରି କଟକ ପହଞ୍ଚିଲା। ସେମାନଙ୍କର ପୂର୍ବ ଯୋଜନା ମୁତାବକ ସେମାନେ ଗତକାଲି ସୁନା ବିକିବା ପାଇଁ ପହଞ୍ଚିବାରୁ ପୁଲିସ ମାଡ଼ି ବସିଥିଲା। ଦୁଇ ଅଭିଯୁକ୍ତଙ୍କ ସହ ଆଉ ଦୁଇଜଣ ରହିଥିଲେ। ସମସ୍ତଙ୍କୁ ପୁଲିସ ଗିରଫ କରିଥିଲା।

ନୂଆ ଶୈଳୀରେ ଠକେଇ
ଏମାନେ ପ୍ରଥମେ ଗୋଟିଏ ସହରକୁ ଟାର୍ଗେଟ କରନ୍ତି। ସେଠାରେ ଅତି କମ୍‌ରେ ୩ ମାସ ରହିବା ପାଇଁ ଯୋଜନା କରନ୍ତି। ରହିବା ବେଳେ ସେମାନେ ବୁଲି ବୁଲି ମାଛ, ପରିବା, ଘର ସାମଗ୍ରୀ ପ୍ରଭୃତି ବିକ୍ରି କରନ୍ତି। ସରଳ ବିଶ୍ବାସୀଙ୍କୁ ଚିହ୍ନିବା ପରେ ତାଙ୍କ ସହ ବନ୍ଧୁତା କରନ୍ତି। ଫୋନ୍‌ ଜରିଆରେ ମଧ୍ୟ ହୋମ୍‌ ଡେଲିଭରି ଦିଅନ୍ତି। ଲୋକ ବିଶ୍ବାସ କରିଯିବା ପରେ ଏମାନେ ତାଙ୍କ ସହ ଏହି ଠକେଇ ଖେଳ ଖେଳନ୍ତି ଆଉ ସହଜରେ ସଫଳ ହୁଅନ୍ତି। ପୁଣି ମାସ ମାସ ଧରି ସେମାନେ ଆସାମ ଚାଲି ଯାଆନ୍ତି।

ସମ୍ବନ୍ଧିତ ଖବର