ଭୁବନେଶ୍ୱର : ‘ହେଲୋ, ରିଜର୍ଭ ଇନ୍ସ୍ପେକ୍ଟର କହୁଥିଲେ? ମତେ ଜାଣି ପାରୁଛନ୍ତି? ମୁଁ ଆଇପିଏସ୍ ଅଫିସର ଶର୍ମିଷ୍ଠା ବେହେରା କହୁଛି। ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରୁ କୋଭିଡ୍-୧୯ ମୁକାବିଲା ପାଇଁ ସ୍ପେସାଲ ଡ୍ୟୁଟିରେ ଆସିଛି। ମୋ ଫରେଷ୍ଟ ପାର୍କ ଘରେ କାମ କରିବା ପାଇଁ ହୋମଗାର୍ଡ, ଗାଡ଼ି ଆଉ ଏସେନ୍ସିଆଲ କିଛି ପ୍ଲିଜ୍ ବ୍ୟବସ୍ଥା କର।’ ନିଜକୁ ଜଣେ ଆଇପିଏସ୍ ଭାବରେ ଅଭିହିତ କରିବା ସହ ପୁଲିସକୁ ଅର୍ଡର୍ ଦେଇ ଫସିଛନ୍ତି ଜଣେ ଯୁବତୀ। ଏହି ନକଲି ଆଇପିଏସ୍ ଅଫିସର୍ଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଗିରଫ ପରେ ସିଆରପିସି ଧାରା ୪୧ ବଳରେ ତାଙ୍କୁ ଛାଡ଼ି ଦିଆଯାଇଛି।
ଦୁଇଦିନ ତଳେ ଏଭଳି ଏକ ଫୋନ୍ କଲ ପୁଲିସ ରିଜର୍ଭ ଇନ୍ସ୍ପେକ୍ଟରଙ୍କୁ ଆସିଥିଲା। କେବଳ ଏହି ସବୁ କଥା ନୁହେଁ, ବରଂ କେତେକ ପୁଲିସ କର୍ମଚାରୀ ରାତି ଦିନ ଡ୍ୟୁଟି କରୁଥିବାରୁ ସେମାନଙ୍କୁ ହେଡ୍କ୍ବାର୍ଟର ଡ୍ୟୁଟି ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। କୋଭିଡ୍-୧୯ ଭଳି ମହାମାରୀ ମୁକାବିଲା ବେଳେ ଅନେକ ପୁଲସ ଅଫିସର ଓ ଡାକ୍ତର ଜରୁରୀକାଳୀନ ଡ୍ୟୁଟି ପାଇଁ ବାହାରୁ ଆସିଥାନ୍ତି। ଏଣୁ ସେହିପରି କେହି ଅଧିକାରୀ ଆସିଥିବେ ଭାବି ସେ ବେଶ୍ ସମ୍ମାନ ଦେଇ କଥା ହୋଇଥିଲେ। କିନ୍ତୁ ତାଙ୍କ କଥା ରଖି ପାରି ନଥିଲେ। ଇଚ୍ଛା ପୂରଣ ନ ହେବାରୁ ସମ୍ପୃକ୍ତ ଯୁବତୀଜଣକ ଆଉ ଜଣେ ବରିଷ୍ଠ ଅଧିକାରୀଙ୍କୁ ସେହି ଶୈଳୀରେ ଫୋନ୍ କରିଥିଲେ। ହେଲେ ଅଭିଜ୍ଞ ଅଧିକାରୀଜଣକ ତାଙ୍କ କଥାରୁ ସେ ଯେ ଜଣେ ଅସଲି ଅଫିସର୍ ନୁହନ୍ତି, ତାହା ଠଉରେଇ ନେଇଥିଲେ ଏବଂ ମୋବାଇଲର ଲୋକେସନ୍ ଟ୍ରେସ୍ କରି ଘରେ ପହଞ୍ଚି ଯାଇଥିଲେ।
ସେ ପୁଲିସ ଅଧିକାରୀ ନୁହନ୍ତି ବୋଲି ଜଣାପଡ଼ିବା ପରେ ଘର ଖାନତଲାସ ହୋଇଥିଲା। ଘରୁ ଏକ ଖାକି ପୋଷାକ, ଖେଳଣା ବନ୍ଧୁକ ଓ ନକଲି ଆଇପିଏସ୍ ଅଫିସରର ପରିଚୟପତ୍ର ଜବତ ହୋଇଥିଲା। କେତେକ ଫଟୋଗ୍ରାଫ୍ରେ ସମ୍ପୃକ୍ତ ଯୁବତୀ ଖାକି ପୋଷାକ ପିନ୍ଧି, ବନ୍ଧୁକ ଧରି ପୋଜ୍ ଦେଇଥିବାର ଫଟୋ ବି ମିଳିଥିଲା। ପୁଲିସ ସେଗୁଡ଼ିକ ଜବତ କରିଥିଲା। ତାଙ୍କୁ ଅଧିକ ପଚରାଉଚରା ହୋଇଛି। ବାସ୍ତବରେ ସେ କ’ଣ କରନ୍ତି? କେହି ପୁଲିସ ଅଫିସର୍ ତାଙ୍କୁ ଏ ବାବଦରେ ସମର୍ଥନ ଦିଅନ୍ତି କି? ପୂର୍ବରୁ ପୁଲିସ ଅଫିସର ବେଶରେ କାହାକୁ ଏଭଳି ଠକିଛନ୍ତି କି? ତାଙ୍କ ନାମରେ କେଉଁ ଥାନାରେ କିଛି ମାମଲା ରହିଛି କି? ଏ ସବୁର ଉତ୍ତର ପାଇବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ତାଙ୍କର ଜଣେ ସମ୍ପର୍କୀୟ ପୁଲିସ ବିଭାଗରେ କାମ କରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେ ଉଚ୍ଚଶିକ୍ଷିତା ଓ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପୁଲିସ କହିଛି।