ମହଙ୍ଗା ପଡ଼ିଲା ଦ୍ବିତୀୟ ବିବାହ ମୋହ, ପୁଲିସ ହାତରେ ନକଲି ଆଇଆର୍‌ଏସ୍‌ ଅଧିକାରୀ

ଭୁବନୋଶ୍ବର: ମାଟ୍ରିମନି ସାଇଟ୍‌ରେ କେତେ‌ବେଳେ ନିଜକୁ ଇଂଜିନିୟର ତ କେତେବେଳେ ଡାକ୍ତର ପୁଣି ଆଉ କେତେବେଳେ ଆଇଆର୍‌ଏସ୍‌ ଅଧିକାରୀ ଦର୍ଶାଇ ଯୁବତୀଙ୍କୁ ଠକୁଥିଲା। ଏଭଳି ଜଣେ ଠକ ଯୁବକକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଲା, ସାଲିଆସାହି ତାରିଣୀ ନଗର ଅଞ୍ଚଳର ବିରଞ୍ଚି ନାରାୟଣ ନାଥ(୩୮)। ପୁଲିସ ସୂଚନା ମୁତାବକ, କିଛି ବର୍ଷ ତଳେ ବିରଞ୍ଚି ବିବାହ କରିଥିଲା। ତା’ର ଦୁଇଟି ପିଲା ଅଛନ୍ତି। ହେଲେ ଦ୍ବିତୀୟ ବିବାହ ପାଇଁ ମନରେ ଆଗ୍ରହ ବଢ଼ିଲା। ଏଥିପାଇଁ ମାଟ୍ରିମନି ସାଇଟ୍‌ରେ ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ବୋଲି ଦର୍ଶାଇ ବିଜ୍ଞାପନ ଦେଲା। ପ୍ରୋଫାଇଲ୍‌ରେ ନିଜ ଫଟୋ ବଦଳରେ ସୁନ୍ଦର ଯୁବକଙ୍କ ଫଟୋ ଦେଇ ସମସ୍ତଙ୍କୁ ଆକର୍ଷିତ କରୁଥିଲା। ମାଟ୍ରିମନି ସାଇଟ୍‌ରେ ବିବାହ ପାଇଁ ନିଜର ‌ପ୍ରୋଫାଇଲ୍‌ ଦେଇଥିବା ବାଲେଶ୍ବର ମେଡିକାଲ୍‌ କଲେଜ୍‌ର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଜ ପାଲରେ ପକାଇଥିଲା। ଯୁବତୀଜଣଙ୍କ ବ୍ରାହ୍ମଣ ହୋଇଥିବାରୁ ସେ ନିଜ ନାମକୁ ବଦଳାଇ ବିରଞ୍ଚି ରଥ କରିଥିଲା। ଆଉ ଏହାପରେ ଯୁବତୀଙ୍କ ନମ୍ବର ଆଣି ତାଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରିଥିଲା। ନିଜକୁ ଜଣେ ଆଇଆର୍‌ଏସ୍‌ ଅଫିସର ବୋଲି ପରିଚୟ ଦେଇଥିଲା। ଭୁବନେଶ୍ବରରେ ନିଜର ଘର ଓ ଗାଡ଼ି ଅଛି। ସେ ଚଣ୍ଡୀଗଡ଼ରେ ଆଇଆର୍‌ଏସ୍‌ ଅଫିସର ଭାବେ କାମ କରୁଥିବା କହିଥିଲା। ଏଭଳି ପ୍ରସ୍ତାବ ପାଇବା ପରେ ଯୁବତୀଙ୍କ ପରିବାର ଲୋକ ଖୁସି ହୋଇଯାଇଥିଲେ। ଏହାର ସୁଯୋଗ ନେଇ ବିରଞ୍ଚି ଯୁବତୀଙ୍କ ନମ୍ବର ନେଇଯାଇଥିଲା। ତାଙ୍କ ସହ ବିଭିନ୍ନ ସମୟରେ ଚାଟିଂ କରିଥିଲା। ଯୁବତୀଙ୍କ ବାପା ଖୋଳତାଡ଼ କରି ବିରଞ୍ଚି ଠକୁଥିବା ଜାଣିବା ପରେ ନୂଆପଲ୍ଲୀ ପୁଲିସକୁ ଜଣାଇଥିଲେ। ‌ଆଉ ଯୋଜନା ମୁତାବକ ଯୁବତୀଙ୍କ ବାପା ଦେଖା କରିବା ପାଇଁ ରବିବାର ସନ୍ଧ୍ୟାରେ ବିରଞ୍ଚିଙ୍କୁ ହୋଟେଲ୍‌ ମେ’ ଫେୟାର ଡାକିଥିଲେ। ବିରଞ୍ଚି ସେଠାକୁ ଆସି ପୁଲିସ ହାତରେ ଧରାପଡ଼ିଥିଲା। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତାକୁ ପଚରା ଉଚରା କରୁଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧିତ ଖବର