ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ନକଲି ମାଲିକ ଜାଲ୍ କରି ଜଣେ ମହିଳାଙ୍କ ଜମି ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ୧୬୦ ଡିସିମିଲି ଜମିକୁ ୭୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡ଼ିବା ପରେ ବଡ଼ଗଡ଼ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏହି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ୨ଜଣଙ୍କୁ ପଚରାଉଚରା କରିବା ପରେ ସିଆର୍ପିସି-୪୧ ଧାରାରେ ନୋଟିସ୍ ଦେଇ ଛାଡ଼ିଛି। ତେବେ ପୁଲିସ ଭୁବନେଶ୍ବର ତହସିଲଦାରଙ୍କୁ ଏ ନେଇ ଚିଠି ଲେଖିଛି ଓ ପ୍ରକୃତ କାରଣ ଜଣାପଡ଼ିବା ପରେ ଅଭିଯୁକ୍ତଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛି।
ସୂଚନାନୁସାରେ, ଜୟନ୍ତୀ ଷଡ଼ଙ୍ଗୀଙ୍କର ଅନ୍ଧାରୁଆ ମୌଜାରେ ୨୮୦ ଡିସିମିଲି ଜମି ରହିଛି। ଏହି ଜମିକୁ ସେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପାଵାର ଅଫ୍ ଆଟର୍ଣ୍ଣି କରାଇଛନ୍ତି। ଗତ କିଛି ଦିନ ପୂର୍ବେ ପ୍ରଶାନ୍ତ କୌଣସି ସୂତ୍ରରୁ ଏହି ଜମି ଜାଲିଆତି କରି ବିକ୍ରି ହୋଇଥିବା ଜାଣିବାକୁ ପାଇଲେ। ତୁରନ୍ତ ସେ ଭୂଲେଖ ପୋର୍ଟାଲ୍ ଦେଖି ସେଥିରୁ ଜାଣି ପାରିଲେ ଯେ ୨୮୦ ଡିସିମିଲି ଜମିରୁ ୧୬୦ ଡିସିମିଲ ଜମି ବିକ୍ରି ହୋଇ ସାରିଛି। ଏହା ପରେ ସେ ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଅଫିସରେ ଖୋଳତାଡ଼ କଲେ ଓ ଏହି ଜମି ୭୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି ବୋଲି ଜାଣିପାରିଲେ। ଏହା ପରେ ସେ ଭୁବନେଶ୍ବର ତହସିଲ ଅଫିସରେ ବୁଝିବା ପରେ ଜମି ବିକ୍ରିରେ ଜାଲିଆତି ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ ଏ ନେଇ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଖୋଳତାଡ଼ କରିବା ପରେ ପୁରୀର ସୁରେନ୍ଦ୍ର ଦାଶ ଓ ଅନ୍ଧାରୁଆର ପ୍ରମୋଦ ମାନ୍ଧାତାଙ୍କୁ ଏହି ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଥାନାକୁ ଡାକି ପଚରାଉଚରା କରିଥିଲା।