ଭୁବନେଶ୍ବର: ଆଜି କମିସନରେଟ୍‌ ପୁଲିସ ରାଜଧାନୀରେ ଠାବ କରିଛି ଏକ ନକଲି ମୋବିଲ୍‌ କାରଖାନା। ବଡ଼ଗଡ଼ ଥାନା ପୁଲିସ ରାଜାରାଣୀ କଲୋନିରେ ଥିବା ଏହି ଜାଲ୍‌ କାରଖାନାରେ ଚଢ଼ଉ କରି ସିଲ୍‌ କରିଛି। ସେଠାରୁ ବିପୁଳ ପରିମାଣର ଲୁବ୍ରିକାଣ୍ଟ୍‌ ତଥା ଇଞ୍ଜିନ୍‌ ଅଏଲ୍‌ ସହିତ ବିଭିନ୍ନ ବାଇକ୍‌ ଓ ସ୍କୁଟିର ଜାଲ ପାର୍ଟସ୍‌ ଜବତ କରାଯାଇଛି। ଜବତ ସାମଗ୍ରୀର ବଜାର ମୂଲ୍ୟ ୧୨ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ନକଲି ଗୋଡାଉନ୍‌ରୁ ୨ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି। କିନ୍ତୁ ନକଲି କାରଖାନାର ମାଲିକ ରୁଷ୍‌ ଭ୍ରମଣରେ ଥିବାରୁ ତାଙ୍କୁ ପୁଲିସ ପାଇନାହିଁ। ସତରେ ସେ ରୁଷ୍‌ ଭ୍ରମଣରେ ଯାଇଛନ୍ତି କି ପୂର୍ବରୁ ତାଲିମ ପାଇଥିବା କର୍ମଚାରୀମାନେ ପୁଲିସକୁ ଭୂଆଁ ବୁଲାଇବାକୁ ଏଭଳି ମିଛ କହିଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ। ବଡ଼ଗଡ଼ ଥାନା ଅଧିକ ତଦନ୍ତ ଚାଲୁରଖିଛି।   

Advertisment

ରାଜାରାଣୀ କଲୋନିରେ ଏହି ନକଲି ମୋବିଲ୍‌ କାରଖାନା ଚାଲିଥିଲେ ବି କେହି ଏହାର ଟେର୍‌ ପାଇନଥିଲେ। ବିଭିନ୍ନ ନାମୀ କମ୍ପାନିର ଡବାରେ ଭର୍ତ୍ତି ହେଉଥିଲା ନକଲି ମୋବିଲ୍। ଡବା ଓ ଷ୍ଟିକରିଂରୁ କେହି ବି ସହଜରେ ତାହା ନକଲି ଜିନିଷ ବୋଲି ବୁଝିପାରିବ ନାହିଁ। ରାଜଧାନୀର ବିଭିନ୍ନ ବଜାରକୁ ଏହି ଜାଲ୍‌ ମାଲ ଯାଉଥିଲା। ବିଶେଷକରି ବହୁ ଗ୍ୟାରେଜ୍‌ର ମିସ୍ତ୍ରିମାନେ ଏହି ମୋବିଲ୍‌ କିଣୁଥିଲେ। ବୁଧବାର ସନ୍ଧ୍ୟାରେ ବଡ଼ଗଡ଼ ଥାନା ପୁଲିସ ହାତରେ ଏହି ଖବର ଲାଗିଥିଲା। ତେଣୁ ବିଳମ୍ବ ନ କରି ଆଇଆଇସି ତୃପ୍ତିରଂଜନ ନାୟକଙ୍କ ନେତୃତ୍ବରେ ୨ଟି ଟିମ୍‌ ଗୋଦାମକୁ ଘେରି ଯାଇଥିଲା। ସମ୍ମୁଖ ଗେଟ୍‌ରେ ପୁଲିସକୁ ଦେଖି କର୍ମଚାରୀମାନେ ପଛ ଫାଟକ ପଟେ ଫେରାର ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୂର୍ବରୁ ଜଗି ରହିଥିବା ପୁଲିସ ପଞ୍ଝାରୁ ସେମାନେ ଖସିପାରି ନଥିଲେ। ପୁଲିସ ଟିମ୍‌ ଗୋଡାଉନ୍‌ ଭିତରକୁ ପଶିଥିଲା। ପୁଲିସକୁ ଦେଖି କର୍ମଚାରୀମାନେ ପଳାଉଥିବାରୁ ଡବାରେ ନକଲି ଓ ନିମ୍ନମାନର ମୋବିଲ୍‌ ଭର୍ତ୍ତି ହେଉଥିବା କାମ ଅଧା ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୋଦାମରେ ବିପୁଳ ପରିମାଣର ଲୁବ୍ରିକାଣ୍ଟ ଡବା ପ୍ରସ୍ତୁତ ହୋଇ ବିକ୍ରି ପାଇଁ ମହଜୁଦ ଥିଲା। ସେହିଭଳି ଗଦାଗଦା ଖାଲି ଡବା ସହିତ ‌ଷ୍ଟିକର୍‌ ଓ ପ୍ୟାକିଂ ରହିଥିଲା। ଏତିକି ନୁହେଁ ହୋଣ୍ଡା, ଟିଭିଏସ୍‌ ଭଳି ପ୍ରତିଷ୍ଠିତ ସଂସ୍ଥାର ବାଇକ୍‌ ପାଇଁ ବିଭିନ୍ନ ନକଲି ପାର୍ଟସ୍‌ ମଧ୍ୟ ଦେଖିବାକୁ ମିଳିଥିଲା।

କର୍ମଚାରୀମାନଙ୍କୁ ଜେରା କରିବାରୁ ସେମାନେ ସତ ମାନିଥିଲେ। କିନ୍ତୁ ଏସବୁ କଞ୍ଚାମାଲ୍‌ କେଉଁଠୁ ଆସୁଛି, କିଏ ଯୋଗାଉଛି ଏବଂ କେଉଁଠି ବିକ୍ରି ହେଉଛି, ସେନେଇ ସେମାନେ କିଛି କହିପାରି ନଥିଲେ। ମାଲିକ ସେସବୁ କଥା ବୁଝନ୍ତି  ବୋଲି ସେମାନେ କହିଥିଲେ। ବାବୁଙ୍କ ସମ୍ପର୍କରେ ପଚାରିବାରୁ ସେ ରୁଷ ଯାଇଛନ୍ତି ବୋଲି ସେମାନେ କହିଥିଲେ। ପୁଲିସ ଗୋଡାଉନ୍‌କୁ ସିଲ୍‌ କରିବା ପୂର୍ବରୁ ବହୁ ରେକର୍ଡପତ୍ର ଜବତ କରିଥିଲା। ରେଜିଷ୍ଟର ବହିରୁ ଜଣାପଡ଼ିଛି ଯେ  ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଏଠାରୁ ନକଲି ପାର୍ଟସ୍‌ ଓ ମୋବିଲ୍‌ ଚାଲାଣ କରାଯାଇଛି। ରେଜିଷ୍ଟରରୁ ପୁଲିସ ବହୁ ବ୍ୟବସାୟୀଙ୍କ ସମ୍ପର୍କରେ ତଥ୍ୟ ପାଇଛି। ଦରକାର ପଡ଼ିଲେ, ପୁଲିସ ସେମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ଦେଇଛି।