ମୋବାଇଲ୍‌ ପାଇଁ ମିଛରେ ମାଡ଼ ଖାଇଗଲେ

ଦୁର୍ଭାଗ୍ୟ ଏମିତି ଆସେ....

ଭୁବନେଶ୍ୱର: ବରମୁଣ୍ଡା ଖେଳ ପଡ଼ିଆ। ସଂଧ୍ୟା ପ୍ରାୟ ୭ଟା। କୃଷି ବିଭାଗ ପକ୍ଷରୁ କୃଷି ମହୋତ୍ସବ କାର୍ଯ୍ୟକ୍ରମ ଚାଲୁଥାଏ। ହଠାତ୍‌ ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ମାରପିଟ୍‌, ଭିଡା ଓଟରା ଆଦି। ଜଣେ ବ୍ୟକ୍ତି ବିନା ଦୋଷରେ ଜଣେ ମହିଳା ଓ ତାଙ୍କର କେତେକ ସମର୍ଥକଙ୍କଠାରୁ ନିର୍ଧୁମ ଛେଚା ଖାଇଥିଲେ। ଅଭିଯୋଗ ଥିଲା ମହିଳାଙ୍କ ମୋବାଇଲ୍‌ ଫୋନ୍‌ ଚୋରାଇ ନେଇଛନ୍ତି ବୋଲି। କିନ୍ତୁ ପରେ ଜଣା ପଡ଼ିଥିଲା ମହିଳାଙ୍କ ମୋବାଇଲ୍‌ ଫୋନ୍‌ ତାଙ୍କ ଭ୍ୟାନିଟିରେ ଅଛି।

ଘଟଣା ଏହିଭଳି:- କୃଷି ମହୋତ୍ସବରେ ଜଣେ ମହିଳା ବସିଥିଲେ। ତାଙ୍କ ନିକଟରେ ଜଣେ ବ୍ୟକ୍ତି ବସିଥିଲେ। ସେହି ବ୍ୟକ୍ତିଙ୍କର ମୋବାଇଲ୍‌ ଫୋନ୍‌ ରିଙ୍ଗ ହେବାରୁ ସେ ପକେଟରୁ ମୋବାଇଲ ଫୋନ୍‌ କାଢ଼ି କଥାବାର୍ତା ହୋଇଥିଲେ। ଏହି ସମୟରେ ହଠାତ୍‌ ମହିଳା ଜଣକ ଚିତ୍କାର କରି ଉଠିଲେ କି ମୋବାଇଲ୍‌ ଫୋନ୍‌ ନେଇ ଯାଇଛ ଦିଅ। ଚୋର ଚୋର। ମହିଳାଙ୍କ ଏଭଳି କହି ଚିତ୍କାର କରିଥିଲେ। ମହିଳାଙ୍କ ପାଟିଶୁଣି ଆଖପାଖରେ ଥିବା ଲୋକମାନେ ଧାଇଁ ଆସି ଉକ୍ତ ବ୍ୟକ୍ତିଙ୍କୁ କବୁ କରିଥିଲେ। ବ୍ୟକ୍ତି ଜଣଙ୍କ କିଛି ବୁଝିବା ପୂର୍ବରୁ ତାଙ୍କୁ ଅତର୍କିତ ଆକ୍ରମଣ ସେ କିଛି ବୁଝିପାରି ନଥିଲେ। ଆଉ ସେ ବୁଝିବା ବେଳକୁ ପରିସ୍ଥିତି ଅଣଆୟତ ହୋଇଯାଇଥିଲା। ବ୍ୟକ୍ତିକୁ ଆକ୍ରମଣ ଦେଖି ତାଙ୍କ ସମର୍ଥକମାନେ ମଧ୍ୟ ଧାଇଁ ଆସିଥିଲେ। ଫଳରେ ମହିଳାଙ୍କ ସମର୍ଥକ ଓ ବ୍ୟକ୍ତିଙ୍କ ସମର୍ଥକଙ୍କ ମଧ୍ୟରେ ଏକ ପ୍ରକାର ଖଣ୍ଡ ଯୁଦ୍ଧ ହୋଇଥିଲା। ଟଣାଓଟରା, ମୁଥ ମରାମରି, କପଡ଼ା ଚିରାପଟା ଓ ଗଳିଗୁଲଜରେ ପଡ଼ିଆ କମ୍ପିଥିଲା। ମହୋତ୍ସବକୁ ଆସିଥିବା ଲୋକମାନେ ଏଭଳି କାଣ୍ଡ ଦେଖି ଚକିତ ହୋଇପଡ଼ିଥିଲେ। କେତେକ ଲୋକ ଭୟରେ ମହୋତ୍ସବରୁ ଫେରିଯାଇଥିଲେ। ଫଳରେ ଘଣ୍ଟାଏ ପାଖାପାଖି ସେଠାରେ ଉତ୍ତେଜନା ଲାଗିରହିଥିଲା। ପରିସ୍ଥିତି ଅଣଆୟତ ହେବାରୁ କେତେକ ଲୋକ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେବା ପରେ ପରିସ୍ଥିତି ଆୟତ ହୋଇଥିଲା। ପୁଲିସ ଉଭୟ ପକ୍ଷକୁ ନେଇ ପଚରା ଉଚରା ବେଳେ ମୋବାଇଲଟି ତାଙ୍କର ବୋଲି ବ୍ୟକ୍ତି ଜଣ କହିଥିଲେ। ଅନ୍ୟପଟେ ମହିଳା ଜଣଙ୍କ ମଧ୍ୟ ମୋବାଇଲ୍‌ଟି ତାଙ୍କର ବୋଲି ଦାବି କରିଥିଲେ। ହେଲେ ପୁଲିସ ମହିଳାଙ୍କୁ ଭ୍ୟାନିଟ୍‌ ଚେକ୍‌ ପାଇଁ କହିଥିଲେ। ମହିଳା ଜଣଙ୍କ ଭ୍ୟାନିଟ୍‌ ଚେକ୍‌ ପରେ ସେଠାରୁ ତାଙ୍କ ମୋବାଇଲ୍‌ ମିଳିଥିଲା। ପରେ ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର