ଫସିଗ‌ଲେ ନକଲି ନାବାର୍ଡ ନିର୍ଦ୍ଦେଶକ, ପୂର୍ବରୁ ଓମ୍‌ଫେଡ୍‌ର ନିର୍ଦ୍ଦେଶକ ଭାବେ ଠକିଥିଲା

ବାଲିଅନ୍ତା: ନିଜକୁ ନାବାର୍ଡର ନିର୍ଦ୍ଦେଶକ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକଙ୍କୁ ଠକିବାକୁ ଆସି ଫସି ଯାଇଛି ଧୂର୍ତ୍ତ। ପୂର୍ବରୁ ନିଜକୁ ଓମ୍‌ଫେଡ୍‌ ନିର୍ଦ୍ଦେଶକ କହି ସେହି ପ୍ରାଣୀଧନ ନିରୀକ୍ଷକଙ୍କଠାରୁ ଅଢ଼େଇ ହଜାର ଟଙ୍କା ଠକି ନେଇଥିବା ଏହି ଧୂର୍ତ୍ତ ଏଥର କିନ୍ତୁ ନିଜ ଜାଲରେ ନିଜେ ଛନ୍ଦି ହୋଇ ଯାଇଛି। ଏହି ନକଲି ନିର୍ଦ୍ଦେଶକଙ୍କ ନାମ ଅସ୍ମିତ୍ ସେଠୀ ବୋଲି ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପୁଲିସ ଜିମା ଦେଇଛନ୍ତି। ବାଳକାଟି ଫାଣ୍ଡି ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣାଟି ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧ଟା ବେଳେ ଅଭିଯୁକ୍ତ ଅସ୍ମିତ୍ ଏକ କାର୍‌ ଯୋଗେ ଆସି ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଡମ୍ବରୁଧର ବିଶ୍ବାଳଙ୍କ ଶିଶିଲୋ ଗ୍ରାମସ୍ଥିତ ଘରେ ପହଞ୍ଚିଥିଲେ। ନିଜକୁ ନାବାର୍ଡର ନିର୍ଦ୍ଦେଶକ ବୋଲି ପରିଚୟ ଦେଇଥିଲେ ଓ ଅଫିସ୍‌ କାଗଜପତ୍ର ଯାଞ୍ଚ ପାଇଁ କହିଥିଲେ। ମାତ୍ର ଡମ୍ବରୁଧର ଚାକିରିରୁ ଅବସର ନେଇ ସାରିଥିବାରୁ କାଗଜପତ୍ର ଯାଞ୍ଚକୁ ନେଇ ତାଙ୍କର ସନ୍ଦେହ ହୋଇଥିଲା। ପ୍ରଥମେ ଡମ୍ବରୁଧର ତାଙ୍କୁ କେଉଁଠି ଦେଖିଥିବା ଓ ଚିହ୍ନିଥିବା ଭଳି ମନେ କରିଥିଲେ। ହଠାତ୍ ତାଙ୍କର ୫ବର୍ଷ ତଳର କଥା ମନେ ପଡ଼ି ଯାଇଥିଲା। ଏହି ବ୍ୟକ୍ତି ଅସ୍ମିତ୍ ସେତେବେଳେ ଓମ୍‌‌ଫେଡ୍‌ ନିର୍ଦ୍ଦେଶକ ଭାବେ ତାଙ୍କ କାର୍ଯ୍ୟାଳୟକୁ ଆସି ରେକର୍ଡପତ୍ର ଠିକ୍ ନଥିବା ଧମକ ଦେଇ ତାଙ୍କଠାରୁ ଅଢ଼େଇ ହଜାର ଟଙ୍କା ନେଇ ପାର୍ ହୋଇ ଯାଇଥିଲେ। ପରେ ଡମ୍ବରୁଧର ସବୁ କଥା ଜାଣିପାରିଥିଲେ ବି କାନମୁଣ୍ଡା ଆଉଁସି ଚୁପ୍ ରହିଥିଲେ। କିନ୍ତୁ ଏଥର ତାଙ୍କ ଆଖି ଆଉ ଧୋ‌କା ଖାଇନଥିଲା। ତୁରନ୍ତ ସେ ଏ ସଂପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ତେଣୁ ଗାଁ ଲୋକମାନେ ଅସ୍ମିତ୍‌ଙ୍କୁ ଘେରିଯାଇଥିଲେ ଓ ପରିଚୟପତ୍ର ଦେଖାଇବା ପାଇଁ ଅଡ଼ି ବସିଥିଲେ। ଫଳରେ ନକଲି ନାବାର୍ଡ ନିର୍ଦ୍ଦେଶକ ସାଜିଥିବା ଧୂର୍ତ୍ତ ଅସ୍ମିତ୍‌ ଫସି ଯାଇଥିଲେ। ଖସିବା ପାଇଁ ସେ ଗ୍ରାମବାସୀଙ୍କ ଆଗରେ ବହୁ ନାଟକ ରଚିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଉତ୍ତ୍ୟକ୍ତ ଯୁବକମାନେ ଅସ୍ମିତ୍‌କୁ ଗାଳିମନ୍ଦ କରିବା ସହ ମୋବାଇଲ ଫୋନ୍‌ରେ ରେକର୍ଡିଂ କରି ଭିଡିଓ ଭାଇରାଲ କରିଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଫାଣ୍ଡିକୁ ନେଇ ଯାଇଥିଲେ।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସୂଚନାନୁସାରେ, ଅସ୍ମିତ୍‌ ଏକାଧିକ ଏନ୍‌ଜିଓ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତେବେ ନକଲି ନିର୍ଦ୍ଦେଶକ ସାଜିବା ପଛରେ କି କାରଣ ରହିଛି, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ଓ ଖୁବ୍‌ ଶୀଘ୍ର ତାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ସେ ଡମ୍ବରୁଧରଙ୍କୁ ଥରେ ଠକି ଥିବାରୁ ଏଥର ମଧ୍ୟ ସେହି ଉଦ୍ଦେଶ୍ୟରେ ଆସିଥିବା ଅନୁମାନ କରାଯାଉଛି। ସେ ଗତ ଜୁଲାଇ ୩୧ ତାରିଖରେ ଚାକିରିରୁ ଅବସର ନେଇଥିବାରୁ ଏହି ମଉକାରେ କୌଣସି ଭୁଲ୍‌ଭଟକା ଦେଖାଇ ବ୍ଲାକ୍‌ମେଲ କରିବା ପାଇଁ ଅସ୍ମିତ୍ ଜାଲ ବିଛାଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର