ଭୁବନେଶ୍ବର: ନିଜକୁ ଏନ୍‌ଆଇଏ ଅଧିକାରୀ ବୋଲି ପରିଚୟ ଦେଉଥିବା ଜଣେ ଧୂର୍ତ୍ତକୁ ଖାରବେଳନଗର ଥାନା ପୁଲିସ ଆଇ-‌ଫୋନ୍‌ ଚୋରି କରିବା ଅଭିଯୋଗରେ ଗିରଫ କରିଛି। ହୋଟେଲ ସ୍ବସ୍ତିକ୍‌ରୁ ଗିରଫ ହୋଇଥିବା ଏହି ଧୂର୍ତ୍ତ ହେଲା ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ସୁଦେହିର ବାରୋଦା‌(୨୨)। ସେ ରାଜସ୍ଥାନର ଜଣେ ଯୁବକଙ୍କ ମୋବାଇଲ୍‌ ଚୋରି କରିବା ପରେ ଫେରାର୍ ହୋଇ ଭୁବନେଶ୍ବରରେ ଲୁଚିଥିଲା।
ପୁଲିସ ସୂଚନାନୁସାରେ ରାଜସ୍ଥାନର ସୁନିଲ କୁମାର ଓ ତାଙ୍କର ତିନି ସାଙ୍ଗ ବିଶାଖାପାଟଣା ବୁଲିବାକୁ ଆସିଥିଲେ। ପୂର୍ବରୁ ରାଜସ୍ଥାନରେ ସୁନିଲ୍‌ ଓ ଅଭିଯୁକ୍ତ ସୁଦେହିର ମଧ୍ୟରେ ପରିଚୟ ହୋଇଥିଲା। ସୁଦେହିର ଜଣେ ଏନ୍‌ଆଇଏ ଅଧିକାରୀ ବୋଲି ପରିଚୟ ଦେଇଥିଲା ଏବଂ ବିଶାଖାପାଟଣା ବୁଲିଆସିବାକୁ ନିମନ୍ତ୍ରଣ କରିଥିଲା।

Advertisment

ଗତ ୨୭ ତାରିଖରେ ସୁନିଲ ଓ ତାଙ୍କ ସାଙ୍ଗମାନେ ବିଶାଖାପାଟଣାରେ ପହଞ୍ଚିବ‌ା ପରେ ସୁଦେହିର ଏକ ହୋଟେଲରେ ସେମାନଙ୍କୁ ରଖାଇଥିଲା। ବିଶାଖାପାଟଣାର ସ୍ମୃତି ସାଇତିବା ପାଇଁ ସୁନିଲ୍‌ ସେଠାରେ ଏକ ଆଇ-ଫୋନ୍‌ କିଣିଥିଲେ। ତେବେ ସେହିଦିନ ରାତିରେ ଧୂର୍ତ୍ତ ସୁଦେହିର ଉକ୍ତ ନୂଆ ଫୋନ୍‌ ସହ ସୁନିଲଙ୍କ ପୁରୁଣା ଫୋନ୍‌ ନେଇ ଚମ୍ପଟ ମାରିଥିଲା। ସୁନିଲ୍‌ ମୋବାଇଲ୍‌ ଫୋନ୍‌ ଅପରେଟ୍‌ କରିବାରେ ଧୁରନ୍ଧର ବୋଲି ଚୋରି କରିବାରେ ଧୂର୍ତ୍ତ ସୁଦେହିର ଜାଣିନଥିଲା। ସୁନିଲ୍‌ ତାଙ୍କ ପୁରୁଣା ମୋବାଇଲ୍‌କୁ ପିଛା କରି କରି ଭୁବନେଶ୍ବରରେ ପହଞ୍ଚିଥିଲେ ଏବଂ ସିଧାସଳଖ ହୋଟେଲ ସ୍ବସ୍ତିକ୍‌ରେ କର୍ମଚାରୀମାନଙ୍କ ସହଯୋଗରେ ସୁଦେହିରକୁ ଧରିଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ତାକୁ ଗିରଫ କରିବା ସହ ତା’ଠାରୁ ସୁନିଲ୍‌ଙ୍କ ଦୁଇଟିଯାକ ମୋବାଇଲ୍‌ ଜବତ କରିଥିଲା।