ଭୁବନେଶ୍ବର/ଟିଟିଲାଗଡ଼: ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼-ଶିକେର ମୁଖ୍ୟ ରାସ୍ତାରୁ ଜାଲ୍ ନୋଟ୍ ଜବତ ହୋଇଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଭୁବନେଶ୍ୱର ଏସ୍ଟିଏଫ୍ ଟିଟିଲାଗଡ଼ ପୁଲିସ ସହାୟତାରେ ଚଢ଼ଉ କରିଥିଲା। ଅଭିଯୁକ୍ତ ମହମ୍ମଦ ସବିର ଓ ଶିକେର ଗାଁର ନେତ୍ରା ରାଉତ ଏକ ବ୍ୟାଗରେ ଜାଲ୍ ନୋଟ ରଖି ଏହାକୁ ହସ୍ତାନ୍ତର କରିବା ପାଇଁ ଅପେକ୍ଷା କରିଥିବା ବେଳେ ପୁଲିସ ଟିମ୍ ଉଭୟଙ୍କୁ ମାଡ଼ି ବସିଥିଲା। ସେମାନଙ୍କଠାରୁ ୪୯ ହଜାର ଟଙ୍କାର ୫ ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ କରାଯାଇଛି। ଘଟଣାର ମାଷ୍ଟର୍ ମାଇଣ୍ଡ ମହମ୍ମଦ ସବିର ସମେତ ନେତ୍ରା ରାଉତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗୁରୁବାର ସାମ୍ୱାଦିକ ସମ୍ମିଳନୀରେ ଏସ୍ଡିପିଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି। ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ସେ ସଂପର୍କରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।
୪୯ ହଜାର ଟଙ୍କାର ନକଲି ନୋଟ୍ ଜବତ, ୨ ଗିରଫ
୫ ବର୍ଷରେ ଜବତ ହେଲାଣି ସାଢ଼େ ୮ କୋଟି, ୪୬ ଗିରଫ
ଓଡ଼ିଶାରେ ଜାଲ୍ ନୋଟ୍ ତିଆରି କରି ବଜାରକୁ ଛାଡ଼ିବା କିଛି ନୂଆ କଥା ନୁହେଁ। ପୁଲିସ ସୂଚନାନୁସାରେ, ଗତ ୫ ବର୍ଷରେ ଓଡ଼ିଶାରୁ ପ୍ରାୟ ସାଢ଼େ ୮କୋଟିର ନକଲି ନୋଟ୍ ଜବତ ହୋଇଛି ଏବଂ ଏହି କାରବାରରେ ସମ୍ପୃକ୍ତ ୪୬ ଜଣ ଗିରଫ ହୋଇଛନ୍ତି। ୨୦୨୦ ମସିହାରୁ ୨୦୨୪ ଭିତରେ ଏହିସବୁ ମାମଲା ପୁଲିସ ରେକର୍ଡରେ ରହିଛି। ୨୦୨୦ ମସିହାର ୧୩ଟି ମାମଲାରେ ୬ ଲକ୍ଷ ୪୧ ହଜାର ୫୧୦ ଟଙ୍କାର ନକଲି ନୋଟ୍ ଜବତ ହୋଇଥିଲା ଏବଂ ୨୩ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୧ରେ ୨ଟି ମାମଲାରେ ପୁଲିସ ୫ ଜଣଙ୍କୁ ବାନ୍ଧିଥିବାବେଳେ ୭ କୋଟି ୯୦ ଲକ୍ଷ ୩ ହଜାର ୫୦୦ ଟଙ୍କା ଜବତ କରିଥିଲା। ଏହି ମାମଲାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ପୁଲିସ ୪ ଜଣ ଛତିଶଗଡ଼ ବେପାରୀଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଛତିଶଗଡ଼ରୁ କୋରାପୁଟ ଦେଇ ଆନ୍ଧ୍ରପ୍ରଦେଶକୁ ଜାଲ୍ ନୋଟ୍ ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ସେହିପରି ୨୦୨୨ରେ ପୁଲିସ ୩ଟି ମାମଲା ରୁଜୁ କରିଥିଲା ଏବଂ ୬ ଜଣଙ୍କଠାରୁ ୪୫ ଲକ୍ଷ ୫୩ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଥିଲା। ଏହି ୩ ମାମଲା ମଧ୍ୟରୁ ଗୋଟିଏ ସମ୍ବଲପୁର ଯୁଯୁମୁରାରେ, ଗୋଟିଏ ବରପାଲିରେ ଓ ଅନ୍ୟଟି ରାଉରକେଲା ସେକ୍ଟର-୧୫ରୁ ଧରାପଡ଼ିଥିଲା। ୨୦୨୩ରେ ପୁଲିସ ୫ଟି ମାମଲାରେ ୮ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୭୩ ଲକ୍ଷ ୪୬ ହଜାର ୧୦୦ ଟଙ୍କାର ନକଲି ନୋଟ୍ ଜବତ କରିଥିଲା। ଏହି ମାମଲା ମଧ୍ୟରୁ ଗୋଟିଏ ଟିଟିଲାଗଡ଼ରେ ଠାବ ହୋଇଥିଲା, ଯେଉଁଥିରେ ୩୧ ଲକ୍ଷ ଓ ଅନ୍ୟ ଏକ ଘଟଣାରେ ସୋନପୁରରୁ ୪୧ ଲକ୍ଷ ଟଙ୍କାର ନକଲି ନୋଟ୍ ମିଳିଥିଲା। ୨୦୨୪ରେ ଗୋଟିଏ ମାମଲାରେ ପୁଲିସ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ଏବଂ ସେମାନଙ୍କଠାରୁ ୧ ଲକ୍ଷ ୩୭ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଥିଲା। ଏହି ସବୁ ମାମଲାରେ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟର ଅପରାଧୀମାନଙ୍କ ସମ୍ପୃକ୍ତି ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/500notes-1.jpg)