ମାଡ଼ି ଗଲାଣି ଜାଲନୋଟ୍‌ର ଜାଲ : ରାଜ୍ୟରେ ଛପା ଚାଲିଛି ବେଧଡ଼କ ଜାଲନୋଟ୍, ପଡ଼ୋଶୀ ରାଜ୍ୟରେ ଲୁଚିଛନ୍ତି ମାଷ୍ଟରମାଇଣ୍ଡ, ଚେର ଖୋଜି ପାରୁନି ପୁଲିସ

ଭୁବନେଶ୍ବର : ରାଜ୍ୟସାରା ମାଡ଼ି ଗଲାଣି ଜାଲ୍‌ନୋଟ୍‌ର ଜାଲ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ; ସବୁଆ‌ଡ଼େ ଜାଲ ବିଛାଇଛନ୍ତି ଜାଲନୋଟ୍‌ ଏଜେଣ୍ଟ। କଟକ, ଭୁବନେଶ୍ବର ପାଲଟିଛି ଜାଲନୋଟ୍‌ର କେନ୍ଦ୍ରସ୍ଥଳ। ଗତ ୫ମାସ ମଧ୍ୟରେ ୫ଟି ମାମଲାରୁ ଏହା ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଜାଲନୋଟ୍‌ର ଚେର ଖୋଜି ପାରୁନି ରାଜ୍ୟ ପୁଲିସ। ଯେତିକି ଅଭିଯୁକ୍ତ ଧରାପଡ଼ୁଛନ୍ତି, ତଦନ୍ତ ସେତିକିରେ ଅଟକି ଯାଉଛି। ଫେରାର୍‌ ଏଜେଣ୍ଟ ବର୍ଷ ବର୍ଷ ଧରା ପଡ଼ୁ ନାହାନ୍ତି। ଧରାପଡ଼ୁଥିବା ରୢାକେଟ୍‌ର ମଙ୍ଗ କିଏ ଧରୁଛି? ପଡ଼ୋଶୀ ରାଜ୍ୟରେ କେତେ ମାଷ୍ଟରମାଇଣ୍ଡ ଏହି ଜାଲନୋଟ୍‌ କାରବାର କଣ୍ଟ୍ରୋଲ କରୁଛନ୍ତି? ପଡ଼ୋଶୀ ରାଜ୍ୟରୁ କିଏ ଜାଲ ନୋଟ୍ ଆଣୁଛି ଓ କିଏ ଜାଲ ନୋଟ୍ ଚାଲାଣ କରୁଛନ୍ତି? କଞ୍ଚାମାଲ କିଏ ଯୋଗାଉଛି? ଟ୍ରେନ୍ ଓ ବସ୍‌ରେ କିଏ ଜାଲନୋଟ୍ ଚାଲାଣ କରୁଛି? ଜାଲନୋଟ୍ କେଉଁଠିକି ଚାଲାଣ କରାଯାଉଛି? ବାଂଲାଦେଶରୁ କେତେ ଜାଲନୋଟ୍ ଓଡ଼ିଶାକୁ ଆସୁଛି? ଏ ସବୁ ଦିଗକୁ ନେଇ ଫେଲ୍ ମାରିଛି ପୁଲିସ ତଦନ୍ତ।

ଗତ ଜାନୁ୍ଆରି ୨୦ ତାରିଖରେ ସିଡିଏର ଏକ ଏଟିଏମ୍ କାଉଣ୍ଟରରେ ୧ ଲକ୍ଷ ୬ ହଜାର ଟଙ୍କାର ଜାଲନୋଟ୍‌ ଭରିବା ଅଭିଯୋଗରେ କଟକ ଟାଙ୍ଗିର ସତ୍ୟଜିତ ପଣ୍ଡାକୁ ଗିରଫ କରିଥିଲା ମର୍କତନଗର ଥାନା ପୁଲିସ। ୫୩ଟି ୨୦୦୦ ଟଙ୍କିଆ ଜାଲ ନୋଟ୍ ଜବତ ହୋଇଥିଲା। ବିଡ଼ାନାସୀର ଜଣେ ଯୁବକ ଏହି ଟଙ୍କା ଦେଇଥିବା ପୁଲିସ ସତ୍ୟଜିତଠାରୁ ଜାଣିଥିଲା। ସେହି ଯୁବକ ଦେଢ଼ ମାସ ହେଲା ଫେରାର୍‌ ଥିବା ବେଳେ ପୁଲିସ ତଦନ୍ତ ଆଉ ଆଗକୁ ବଢ଼ିପାରି ନାହିଁ। ସେହିପରି ୨୦୧୯ ସେପ୍ଟେମ୍ବରରେ ଲକ୍ଷ୍ମୀସାଗର ଥାନା ପୁଲିସ ହାତରେ ୭କୋଟି ଟଙ୍କାର ଜାଲନୋଟ୍ ଧରା ପଡ଼ିଥିଲା। ଏହି ମାମଲାରେ ପୁଲିସ ଜଗତସିଂହପୁର କୁଜଙ୍ଗର ପ୍ରଭାତ ସାହୁ, ରାଜେନ୍ଦ୍ର ଦାସ ଓ ପଶ୍ଚିମବଙ୍ଗର ପ୍ରଦୀପ ମାଇତିକୁ ଗିରଫ କରିଥିଲା। ଗ୍ୟାଙ୍ଗର ତିନି ସଦସ୍ୟ ଗିରଫ ହୋଇଥିଲେ ବି ଟଙ୍କା କେଉଁଠି ଛପା ଯାଉଥିଲା, ତାହାର ଟେର୍ ପାଇ ନ ଥିଲା ପୁଲିସ। ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୧୯ ମାର୍ଚ୍ଚ ୧୯ ତାରିଖରେ ପାରଳାଖେମୁଣ୍ଡି ପୁଲିସ ହାତରେ ଜାଲନୋଟ୍ ରୢାକେଟ୍ ଧରା ପଡ଼ିଥିଲା। ଏହି ରୢାକେଟ୍‌ରେ ପାରଳାଖେମୁଣ୍ଡିର ଜଣେ ଯୁବକ ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଜଣେ ଯୁବକଙ୍କୁ ଗିରଫ କରିଥିଲା ପୁଲିସ। ଏହି ରୢାକେଟ୍‌ରେ ସାମିଲ ଥିବା ବିହାରର ଯୁବକ ସେବେଠାରୁ ଫେରାର୍‌ ରହିଛି। ବିହାରର ଫେରାର୍‌ ଯୁବକ ଧରା ପଡ଼ୁନାହାନ୍ତି କି ଆନ୍ତଃରାଜ୍ୟ ରୢାକେଟ୍‌ର ଗୁମର ଖୋଲି ପାରୁନାହିଁ। ଏଭଳି ଏକାଧିକ ଜାଲନୋଟ୍ କାରବାର ମାମଲାରେ ତଦନ୍ତ ଅଧାରେ ଅଟକି ଯାଉଛି। ଫଳରେ ରୢାକେଟ୍‌ର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରୁନି ପୁଲିସ।

ଆଉ ଏବେ ବରଗଡ଼ ଭଟଲିରେ ଏସଟିଏଫ୍ ଚଢ଼ଉ କରି ତିନିଜଣଙ୍କୁ ଗିରଫ କରିବା ପରେ ଛତିଶଗଡ଼ ଲିଙ୍କ୍ ପଦାକୁ ଆସିଛି। ବରପାଲିର ପ୍ରଫୁଲ୍ଲ ମେହେର ଟଙ୍କା ଛପାଉଥିବା ବେଳେ ଛତିଶଗଡ଼ ରାୟଗଡ଼ର ମଙ୍ଗୁଳୁ ମାଲଖର ଓ ବରଗଡ଼ର ସୁଦର୍ଶନ ମହାନ୍ତି ଏଜେଣ୍ଟ ସାଜିଥିଲେ। ସୁଦର୍ଶନ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିବା ବେଳେ ଆହୁରି ୫ରୁ ଅଧିକ ଏଜେଣ୍ଟ ଗ୍ୟାଙ୍ଗରେ ସାମିଲ ଥିବା କୁହାଯାଉଛି। ସୁଦର୍ଶନକୁ ରିମାଣ୍ଡରେ ଆଣିବା ପରେ ପୂରା ଗ୍ୟାଙ୍ଗର ଗୁମର ଫିଟିବ ବୋଲି ଆଶା ରଖିଛି ଏସଟିଏଫ୍। ଗତ ଫେବ୍ରୁଆରି ୧୩ ତାରିଖରେ ଦାନଗଦିରୁ ୬ ଜଣିଆ ଜାଲନୋଟ୍‌ ରୢାକେଟ୍‌କୁ ଗିରଫ କରିଥିଲା ପୁଲିସ। ସେମାନଙ୍କଠାରୁ ୪ ଲକ୍ଷ ୭୭ ହଜାର ଟଙ୍କାର ଜାଲନୋଟ୍, କଲର ପ୍ରିଣ୍ଟର୍, ମୋବାଇଲ୍ ଓ କଞ୍ଚାମାଲ ଜବତ କରିଥିଲା। ୨୦୧୮ ମେ’ ୨୫ ତାରିଖରେ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ଚଢ଼ଉ କରି କାମାକ୍ଷା-ଯଶବନ୍ତପୁର ଏକ୍ସପ୍ରେସ୍‌ରୁ ୩ ଲକ୍ଷ ଟଙ୍କାର ଜାଲନୋଟ୍ ଜବତ କରିଥିଲା ଡିଆରଆଇ। ଜାଲନୋଟ୍ ଚାଲାଣ କରୁଥିବା ବାଂଲାଦେଶ ସୀମାର ଜଣେ ଯୁବକଙ୍କୁ ଗିରଫ କରିଥିଲା। ଏହି ନୋଟ୍ ବାଂଲାଦେଶରୁ ବେଙ୍ଗାଲୁରୁ ଚାଲାଣ କରାଯାଉଥିବା ସନ୍ଦେହ କରିଥିଲା ଡିଆରଆଇ। କିନ୍ତୁ ଚାଲାଣ କରୁଥିବା ଯୁବକର ଆଉ କେହି ସହଯୋଗୀ ପରବର୍ତ୍ତୀ ସମୟରେ ଧରାପଡ଼ି ନ ଥିଲେ।

ସମ୍ବନ୍ଧିତ ଖବର