ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି ଜାଲ୍‌ ପାସ୍‌ପୋର୍ଟ ମାମଲା। ଜାଲ୍‌ ପାସ୍‌ପୋର୍ଟ ବନାଇ ରାଜ୍ୟରେ ବହୁ ବିଦେଶୀ ରହୁଥିବା ବେଳେ ପୁଲିସ ଏହାକୁ ନେଇ ସଚେତନ ନାହିଁ। ବେଳେ ବେଳେ  ଜଣେ ଦୁଇଜଣ ଅଭି‌ଯୁକ୍ତ ଗିରଫ ହେଉଛନ୍ତି, କିନ୍ତୁ ସେମାନଙ୍କୁ ଜାଲ ପାସ୍‌ପୋର୍ଟ ଯୋଗାଇଥିବା‌ ଦଲାଲଙ୍କ ନିକଟରେ ପୁଲିସ ପହଞ୍ଚି ପାରୁନାହିଁ।  ଜଣେ ଆଫଗାନ୍ ନାଗରିକ ୨୦ ବର୍ଷ ଧରି କଟକ‌ରେ ରହୁଥିଲେ। ନିକଟରେ ସେ ବିଜୁପଟ୍ଟନାୟକ ବିମାନବନ୍ଦରରୁ ଧରାପଡ଼ିଥିଲେ। ଏପରିକି ଭାରତୀୟମାନେ ମଧ୍ୟ ଜାଲ ପାସ୍‌ପୋର୍ଟ ତିଆରି କରି ବିଦେଶ ଗସ୍ତ କରୁଥିବା ଜଣାପଡ଼ିଛି। ଗତ ୬ ମାସ ମଧ୍ୟରେ କେବଳ ଏୟାରପୋର୍ଟ ଥାନା ପୁଲିସ ୩ଜଣ ଜାଲ୍‌ ପାସ୍‌ପୋର୍ଟ ବ୍ୟବହାରକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଜାଲ ପାସ୍‌ପୋର୍ଟ ମଧ୍ୟ ଜବତ କରାଯାଇଛି। ଏପରିକି ବହୁ ହାଇପ୍ରୋଫାଇଲ କେସରେ ମଧ୍ୟ ଜାଲ ପାସ୍‌ପୋର୍ଟ ବ୍ୟବହାର ହେଉଥିବା ଜଣାପଡ଼ିଛି। ହଂସିତା ଅଭିଲିପ୍ସା ମାମଲାରେ ତଦନ୍ତ ବେଳେ ପୁଲିସ  ତାଙ୍କ ଜାଲ ପାସ୍‌ପୋର୍ଟ ଜବତ କରିଥିଲା। ପୁଲିସ ଜାଲ୍‌ ପାସ୍‌ପୋର୍ଟ ଜବତ କରୁଛି, ମାତ୍ର ଜାଲ ପାସ୍‌ପୋର୍ଟ କିଭଳି ଆସିଲା ତାହା ତଦନ୍ତ ପରିସରକୁ ଆଣୁନାହିଁ। ତେଣୁ ଏ ଜାଲ୍‌ ପାସ୍‌ପୋର୍ଟ ପଛରେ ଏକ ବଡ଼ ରୢାକେଟ୍‌ କାମ କରୁଥିବା ସନ୍ଦେହ ସୃଷ୍ଟିହେଉଛି।

Advertisment

ସୂଚନା ଅନୁସାରେ ସାଧାରଣ ଲୋକଟିଏ ପାସ୍‌ପୋର୍ଟ ତିଆରି କରିବା ପାଇଁ ବହୁତ ହଇରାଣ ହୋଇଥାଏ। ବହୁ ଦସ୍ତାବିଜ ଓ ସରଜମିନ ଯାଞ୍ଚ ପରେ ପୁଲିସ ପକ୍ଷରୁ ଆବଶ୍ୟକ ଅନୁମତି ମିଳିଥାଏ। ଏତେ ସବୁ ପ୍ରକ୍ରିୟା ମାସ ମାସ ଲାଗିଯାଇଥାଏ। ତେଣୁ କିଛି ‌ଲୋକ ଏତେ ପ୍ରକ୍ରିୟାରେ ନ ପଶି କିଛି ଦଲାଲଙ୍କ ସହାୟତାରେ ପାସ୍‌ପୋର୍ଟ ତିଆରି କରି କରେଇ ନେଉଛନ୍ତି। ଦଲାଲମାନେ ବିଭିନ୍ନ ଜାଲ୍‌ ଦସ୍ତାବିଜ ବ୍ୟବହାର କରି ସହଜରେ ପାସପୋର୍ଟ କରିଦେଉଛନ୍ତି। 

ଦୁଇ ମାସ ତଳେ ଭୁବନେଶ୍ବର ଏୟ‌ାରପୋର୍ଟରୁ ଗିରଫ ଆଫଗାନ୍‌ ନାଗରିକଠାରୁ ଦୁଇଟି ଦୁଇଟି ପାସ୍‌ପୋର୍ଟ ଜବତ କରାଯାଇଥିଲା। ସେ ନକଲି ଆଧାରକା‌ର୍ଡ, ଭୋଟରକାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ତିଆରି କରି ତାହା ସହାୟତାରେ ନକଲି ପାସ୍‌ପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଥିଲା। ଓଡ଼ିଶାରେ ରହି ହିଁ ଦଲାଲଙ୍କ ସହାୟତାରେ ସେ ଏହି ସବୁ ଜାଲ ଦସ୍ତାବିଜ ହାସଲ କରିଥିବା ସେ ପୁଲିସ ନିକଟରେ ସ୍ବୀକାର କରିଥିଲା। ସେହିପରି ଥାଇଲାଣ୍ଡରେ କାମ କରୁଥିବା ବ୍ରହ୍ମପୁରର ଓଡ଼ିଆ ଯୁବକଙ୍କୁ ମଧ୍ୟ ଜାଲ ପାସ୍‌ପୋର୍ଟ ବ୍ୟବହାର କରୁଥିବା ଏୟାରପୋର୍ଟ ଥାନା ପୁଲିସ ଗିରଫ କରିଥିଲା। ସେ ୬୦ ହଜାର ଟଙ୍କା ଦେଇ ପାସ୍‌ପୋର୍ଟ ଦଲାଲ ସହାୟତାରେ ପାସ୍‌ପୋର୍ଟ ପାଇଥିବା ପୁଲିସକୁ ଜଣାଇଥିଲା। 
ଗତ ୨୩ ତାରିଖ ଦିନ ଏୟାରପୋର୍ଟରୁ ଗିରଫ ବି ନୋଦ ଚୌଧୁରୀ ନାମରେ ଏକାଧିକ ପାସ୍‌ପୋର୍ଟ ରହିଥିଲା। ସେ ଏହି ନକଲି ପାସ୍‌ପୋର୍ଟ ବ୍ୟବହାର କରି ବହୁବାର ବିଦେଶ ଗସ୍ତ କରିଥିବା ଜଣାପଡ଼ିଥିଲା। ଠକେଇ ଅଭିଯୋଗରେ ଗିରଫ ହୋଇଥିବା ହଂସିତା ଅଭିଲିପ୍ସା ନିକଟରେ ମଧ୍ୟ ନକଲି ପାସ୍‌ପୋର୍ଟ ମିଳିଥିଲା। ପରେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା। 

୨୦୨୩ରେ ସିବିଆଇ ପଶ୍ଚିମବଙ୍ଗ, ସିକ୍କିମ ଆଦି ରାଜ୍ୟରେ ଚଢ଼ଉ କରି ନକଲି ପାସ୍‌ପୋର୍ଟ ଦୁର୍ନୀତିର ରହସ୍ୟ ଉନ୍ମୋଚନ କରିଥିଲା। ଦଲାଲଙ୍କ ସହାୟତାରେ ଚାଲିଥିବା ଏହି ମାମଲାରେ ଏକାଧିକ ପୁଲିସ ଓ ପାସ୍‌ପୋର୍ଟ କର୍ମଚାରୀ ସାମିଲ ଥିବା ତଦନ୍ତରୁ ଜଣାପଡ଼ିଥିଲା। ବହୁ ସରକା‌ରୀ କର୍ମଚାରୀମାନେ ମଧ୍ୟ ଗିରଫ ହୋଇଥିଲେ। 

ସାମନ ଉପାୟରେ ଓଡ଼ିଶା‌ରେ ବହୁ ଲୋକ ଶୀଘ୍ର ପାସ୍‌ପୋର୍ଟ ବନାଇବା ପାଇଁ ଦଲାଲମାନଙ୍କ ସହାୟତାରେ ପାସ୍‌ପୋର୍ଟ ବନାଉଛନ୍ତି। ଟଙ୍କା ନେବା ପରେ ସେମାନେ କିଛି ଦସ୍ତାବିଜ ନଥିଲେ ନକଲି ଦସ୍ତାବିଜ ପ୍ରସ୍ତୁତ କରି କିଛି ଅସାଧୁ କର୍ମଚାରୀଙ୍କ ସହାୟତାରେ ପାସ୍‌ପୋର୍ଟ କ‌ରାଇ ନେଉଛନ୍ତି। ପରେ ବିମାନବନ୍ଦରରେ ଏହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ୁଛି। ପୁଲିସ ନିକଟରେ ମାଳ ମାଳ ଅଭିଯୋଗ ‌ରହିଥିଲେ ମଧ୍ୟ ଦଲାଲଙ୍କ ପାଖରେ ପୁଲିସ ପହଞ୍ଚି ପାରୁନାହିଁ। ଏନେଇ ଏୟାରପୋର୍ଟ ଥାନା ପୁଲିସ ଅଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି ଯେ ‌ଗତ ୬ ମାସ ମଧ୍ୟରେ ୩ରୁ ଅଧିକ ନକଲି ପାସ୍‌ପୋର୍ଟ ମାମଲା ଦେଖାଗଲାଣି। ଏନେଇ ଏୟାରପୋର୍ଟରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବିଭିନ୍ନ ଦଲାଲ ମାଧ୍ୟମରେ ଅପରାଧ ମାନସିକତା ରଖୁଥିବା ବ୍ୟକ୍ତିମାନେ ନକଲି ପାସ୍‌ପୋର୍ଟ ତିଆରି କରୁଛନ୍ତି। ନାମ ବଦଳାଇ ବିଭିନ୍ନ ସହରରେ ବୁଲୁଛନ୍ତି। ଏହା ପଛରେ କିଏ କିମ୍ବା ‌କେଉଁ ଏଜେନ୍ସି କାମ କରୁଛି, ତା’ର ତଦନ୍ତ ଚାଲିଛି ବୋଲି ଶ୍ରୀ ମେହେର କହିଛନ୍ତି।