ଭୁବନେଶ୍ବର: ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନୀଲ୍ ମାମଲାରେ ପୁଣି ଏକ ମାମଲା ଯୋଡ଼ି ହୋଇଛି। କମିସନରେଟ୍ ପୁଲିସ ପକ୍ଷରୁ ଯୋଡ଼ାଯାଇଥିବା ଏହି ମାମଲା ହଂସିତାଙ୍କ ପାସ୍ପୋର୍ଟକୁ ନେଇ ମୁଣ୍ଡ ଟେକିଛି। ମୂଳ ତଥା ପୁରୁଣା ନାଁକୁ ଲୁଚାଇ ହଂସିତା ନୂଆ ନାଁରେ ପାସ୍ପୋର୍ଟ ହାସଲ କରିଥିବାରୁ ପୁଲିସ ତାଙ୍କ ବିରୋଧରେ ଦଫା ୪୨୦, ୪୬୮ ଓ ୧୨ରେ ମାମଲା ରୁଜୁ କରିଛି। ତେଣୁ ହଂସିତାଙ୍କ ବିରୋଧରେ ମାମଲା ସଂଖ୍ୟା ୨ରେ ପହଞ୍ଚିଛି। ଏଣେ ହଂସିତା ହାତେଇଥିବା ପାସ୍ପୋର୍ଟ ଜାଲ୍ ବୋଲି କୁହାଯାଇଛି। କିନ୍ତୁ ଏହି ଜାଲି ପାସ୍ପୋର୍ଟ ବଳରେ ହଂସିତା ବାଲି ଦ୍ବୀପ, ମାଲେସିଆ ଆଦି ବିଦେଶ ଭ୍ରମଣ କରିସାରିଛନ୍ତି। ଆଜି ଉଭୟ ଅନୀଲ ଓ ହଂସିତାଙ୍କ ଜାମିନ ଆବେଦନ ଉପରେ କୋର୍ଟରେ ଶୁଣାଣି ସରିଛି। ଆସନ୍ତାକାଲି ଏହି ଶୁଣାଣିର ରାୟ ଆସିପାରେ ବୋଲି କୁହାଯାଇଛି।
ପାସ୍ପୋର୍ଟରେ ହଂସିତାଙ୍କ ସ୍ବାମୀ ଅନୀଲ୍, ଯୋଡ଼ିହେଲା ଆଉ ଏକ ନୂଆ ମାମଲା
ଶୁଣାଣି ଶେଷ, ରାୟ ସଂରକ୍ଷିତ
ହଂସିତା ଆଫିଡେଭିଟ୍ କରି ନାଁ ପରିବର୍ତ୍ତନ କରିଛନ୍ତି। ମୂଳ ନାଁ ବିଷ୍ଣୁପ୍ରିୟା ଚାନ୍ଦକୁ ବଦଳାଇ ହଂସିତା ଅଭିଲିପ୍ସା କରିଛନ୍ତି। କିନ୍ତୁ ୨୦୨୩ ମସିହାରେ ସେ ପାସ୍ପୋର୍ଟ ପାଇଁ ଆବେଦନ କଲାବେଳେ ଏହି ତଥ୍ୟକୁ ଲୁଚାଇଛନ୍ତି। ମୂଳ ନାଁ ବଦଳାଇବାକୁ କରାଯାଇଥିବା ସତ୍ୟପାଠର ନକଲ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କୁ ଦେଇନାହାନ୍ତି। ପାସ୍ପୋର୍ଟ ପାଇଁ ସେ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କୁ ସ୍ବାମୀ ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ସରୋଜଙ୍କୁ ବାହାହେବା ବେଳେ ସେ ବିଷ୍ଣୁପ୍ରିୟା ଚାନ୍ଦ ଥିଲେ ବୋଲି ଜଣାଇନାହାନ୍ତି। ସେହିଭଳି ନିଜର ଅପରାଧ ମାମଲା ବିଷୟରେ ମଧ୍ୟ ହଂସିତା ପାସ୍ପୋର୍ଟ ରେକର୍ଡରେ ଜଣାଇନାହାନ୍ତି। ବଡ଼ କଥା ହେଉଛି ଅପରାଧ ମାମଲା ପାଇଁ ସେ ନିଜକୁ ଅନୀଲ୍ଙ୍କ ପତ୍ନୀ ବୋଲି ଉଲ୍ଲେଖ କରୁଥିଲେ। ତେଣୁ ଭିନ୍ନଭିନ୍ନ ମନ୍ଦ ଉଦ୍ଦେଶ୍ୟ ରଖି ସେ ଏଭଳି ଚାଲ୍ ଚଳାଇ ଆସିଥିଲେ। ଫାଇଦା ପାଇଁ ତଞ୍ଚକତା କରି ନିଜେ ବିଛାଇଥିବା ଜାଲରେ ଏବେ ସେ ହିଁ ଛନ୍ଦି ହୋଇପଡ଼ିଛନ୍ତି। ତଦନ୍ତ ଅଧିକାରୀ ଇନ୍ସ୍ପେକ୍ଟର ମାନସ ସ୍ବାଇଁ ଆଜି କୋର୍ଟଙ୍କୁ ଏହି ୪୨୦ ମାମଲା ବାବଦରେ ଅବଗତ କରାଇଛନ୍ତି।
ଆଜି କୋର୍ଟରେ ହଂସିତାଙ୍କ ଉପସ୍ଥିତିରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଚାଲିଥିଲା। ପ୍ରଥମ ସ୍ବାମୀ ସରୋଜଙ୍କ ଚିକିତ୍ସା ପାଇଁ ତାଙ୍କୁ ଜାମିନ ମିଳୁ ବୋଲି ସେ ଆବେଦନ କରିଛନ୍ତି। କିନ୍ତୁ ଠିକ୍ ଏତିକିବେଳେ ହଂସିତାଙ୍କ ପାସ୍ପୋର୍ଟ ଜାଲିଆତି ସମ୍ପର୍କିତ ମାମଲାକୁ ପୁଲିସ କୋର୍ଟଙ୍କୁ ଅବଗତ କରିଥିଲେ।
ପାସ୍ପୋର୍ଟରେ ହଂସିତାଙ୍କ ସ୍ବାମୀ ଅନୀଲ୍ ରହିଛି ବୋଲି ପୁଲିସ ଅଧିକାରୀ କୋର୍ଟକୁ ଜଣାଇଥିଲେ। ନୂଆ ମାମଲା ଯୋଡ଼ି ହେବାରୁ ହଂସିତାଙ୍କ ଓକିଲ ଆଶିଷ ମିଶ୍ର ମୂଳ ଜାମିନ ଆବେଦନରେ ଏହାକୁ ସାମିଲ କରିଥିଲେ। ଭୁବନେଶ୍ବର ଜେଏମ୍ଏଫ୍ସି କୋର୍ଟରେ ଆଜି ଏହି ଜାମିନ ଆବେଦନର ଶୁଣାଣି ସରିଛି ଏବଂ ରାୟ ସଂରକ୍ଷିତ ରହିଛି। ଆସନ୍ତାକାଲି ରାୟ ପ୍ରକାଶ ପାଇବ। ଏହି ରାୟ ଉପରେ ଆୟକର ବିଭାଗର ତଦନ୍ତ ନିର୍ଭର କରୁଛି। ଜାମିନ ନ ମିଳିଲେ, ଆୟକର ବିଭାଗ ଟିମ୍ ଜେଲ୍କୁ ଯାଇ ହଂସିତାଙ୍କୁ ପଚାରଉଚରା କରିବ କିମ୍ବା ରିମାଣ୍ଡ୍ରେ ଆଣିବ। ଆୟକର ବିଭାଗ ତଦନ୍ତରୁ ହଂସିତାଙ୍କ ଲିଙ୍କ୍ରେ ଥିବା ବଡ଼ବଡ଼ିଆଙ୍କ ମୁଖା ଖୋଲିବାର ଆଶା ଥିବାରୁ ସାଧାରଣରେ ଉତ୍କଣ୍ଠା ରହିଛି। ଆଜି ହଂସିତା ପୁଣି ବଡ଼ ଚତୁରତାର ସହ ଗଣମାଧ୍ୟମକୁ ଏଡ଼ାଇ ଯାଇଥିଲେ। ତାଙ୍କୁ କିଏ ଫସାଇଛି ବୋଲି ପ୍ରଶ୍ନର ସିଧାସଳଖ ଉତ୍ତର ନ ଦେଇ ମିଡିଆ ଖୋଜୁ ଓ ସେମାନଙ୍କୁ ସାମ୍ନାକୁ ଆଣୁ ବୋଲି କହିଥିଲେ।