ଭୁବନେଶ୍ବର : ପୁଲିସକୁ ସାମ୍ବାଦିକର ପଚିଚୟ ଦେଇ ଚକ୍ମା ଦେଉଥିବା ଓ ଥାନାର ଆଇଆଇସି ବୋଲି ପରିଚୟ ଦେଇ ନାବାଳିକା ଦୁଷ୍କର୍ମ ପୀଡ଼ିତାକୁ ଧମକ ଦେଉଥିବା ଜଣେ ବହୁରୂପୀ ଧୂର୍ତ୍ତ ଯୁବକକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ନିକଟରୁ ଏକ କାର୍ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତଜଣକ ହେଲା, ବଡ଼ଗଡ଼ କେନାଲ ବନ୍ଧ ଅଞ୍ଚଳରେ ରହୁଥିବା କୋରାପୁଟର ମନୋଜ କୁମାର ମହାନ୍ତି(୩୨)। ଜଣେ ନାବାଳିକାକୁ ଧମକ ଦେଉଥିବା ଅଭିଯୋଗରେ ପୁଲିସ ମନୋଜର ସହଯୋଗୀ ଭୁବନେଶ୍ବର କଳ୍ପନା ଫ୍ଲାଟ ବସ୍ତିର ରବୀନ୍ଦ୍ର ସାହୁ(୩୦)କୁ ମଧ୍ୟ କୋର୍ଟଚାଲାଣ କରିଛି। ଦୁଇ ଦିନ ପୂର୍ବେ କମିସନରେଟ୍ ପୁଲିସକୁ ଚକ୍ମା ଦେଇ ଧରାପଡ଼ିଥିବା ନକଲି ମହିଳା ଆଇପିଏସ୍ ମାମଲା ପରେ ନକଲି ଆଇଆଇସି ଗିରଫ ହେବା ଘଟଣା ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଖଣ୍ଡଗିରି ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତା ଗତ ୨୨ତାରିଖରେ ଏହି ନକଲି ଆଇଆଇସି ମନୋଜ ନାଁରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ମନୋଜ ତାଙ୍କୁ ଫୋନ୍ କରି ରବି ଟକିଜ୍ ନିକଟକୁ ଡକାଇଥିଲା। ନିଜକୁ ଖଣ୍ଡଗିରି ଥାନା ଅଧିକାରୀ ମହାପାତ୍ର ବାବୁ ବୋଲି ପରିଚୟ ଦେଇଥିଲା ଓ ଦୁଷ୍କର୍ମ ମାମଲାର ଦଫାରଫା କରିବାକୁ କହିଥିଲା। ନାବାଳିକାଜଣଙ୍କ ଏ ବାବଦରେ ତାଙ୍କ ଅଭିଭାବକଙ୍କୁ ଜଣାଇବା ସହ ଏପରି ପ୍ରସ୍ତାବରେ ସେ ରାଜି ହୋଇ ନ ଥିଲେ। କିନ୍ତୁ ମନୋଜ ନାବାଳିକାଙ୍କ ଅଭିଭାବକଙ୍କୁ ପାଲଟା କେସ୍ରେ ଫସାଇ ବାନ୍ଧିଦେବ ବୋଲି ଧମକ ଦେଇଥିଲା। ଅଭିଭାବକଜଣଙ୍କ ଖଣ୍ଡଗିରି ଥାନା ଅଧିକାରୀଙ୍କ ବାବଦରେ ଭଲ ଭାବେ ଜାଣିଥିବାରୁ ଫୋନ୍ କରୁଥିବା ବ୍ୟକ୍ତି ଜଣେ ଧୂର୍ତ୍ତ ବୋଲି ଠଉରାଇ ନେଇଥିଲେ ଓ ତୁରନ୍ତ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଆଇଆଇସି ରଶ୍ମିରଂଜନ ମହାପାତ୍ର ମାମଲାର ତଦନ୍ତ ପାଇଁ ଏସ୍ଆଇ ନିରଂଜନ ଓଝାଙ୍କୁ ଦାୟିତ୍ବ ଦେଇଥିଲେ। ଏସ୍ଆଇ ଶ୍ରୀ ଓଝା ମନୋଜକୁ ଫୋନ୍ କରି ଥାନାକୁ ଆସିବା ପାଇଁ କହିବାରୁ ସେ ଓଲଟା ସାମ୍ବାଦିକ ପରିଚୟ ଦେଇ ଧମକ ଦେଇଥିଲା। ତେଣୁ ଫୋନ୍ ଟ୍ରାକିଂ କରି ଆଇଆଇସି ଶ୍ରୀ ମହାପାତ୍ର ସଦଳବଳେ ତାକୁ ପିଛା କରିଥିଲେ ଓ ଗତକାଲି ରାତିରେ ବଡ଼ଗଡ଼ କେନାଲ ବନ୍ଧ ଅଞ୍ଚଳରୁ ଉଠାଇ ଆଣିଥିଲେ।
ନାବାଳିକାର ଫୋନ୍ ନମ୍ବର ଯୋଗାଡ଼ କରି ମନୋଜକୁ ଦେବା ସହ ଦୁଷ୍କର୍ମ ମାମଲାର ଦଫାରଫା ପାଇଁ ମଧ୍ୟସ୍ଥ ସାଜିଥିବା ସହଯୋଗୀ ରବୀନ୍ଦ୍ରକୁ ମଧ୍ୟ ପରେ ପରେ ପୁଲିସ ଉଠାଇଥିଲା। ମନୋଜ ନାଁରେ ପୂର୍ବରୁ ଏମିତି ଅନେକ ଅଭିଯୋଗ ରହିଛି ବୋଲି ତଦନ୍ତରୁ ଜଣାପଡ଼ିଛି। ଗତ ସପ୍ତାହରେ ସେ କଳ୍ପନା ଛକରେ ସାମ୍ବାଦିକ କାର୍ଡ ଦେଖାଇ ଜଣେ ପରିବା ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନାରେ ଅଟକ ରହିଥିଲା। ପୂର୍ବରୁ ତା’ ନାଁରେ କ୍ୟାପିଟାଲ ଥାନାରେ ଠକେଇ ଅଭିଯୋଗ ହୋଇଥିଲା। ସାମ୍ବାଦିକ କାର୍ଡର ଅପବ୍ୟବହାର କରି ସେ ଏକ ପ୍ରକାର ଦଲାଲଗିରି କରୁଥିଲା ବୋଲି ପୁଲିସ ସୂଚନା ଦେଇଛି।