ବାଲିପାଟଣା: ପୁଲିସ ପୋଷାକ ପିନ୍ଧି ହ୍ୟୁଣ୍ଡାଇ ଭେରେନା କାର୍ରେ ବୁଲୁଥିଲା। ସାଧାରଣ ଲୋକ କ’ଣ, ଅସଲି ପୁଲିସ କର୍ମଚାରୀଙ୍କୁ ମଧ୍ୟ ଡରାଇ ଦେଉଥିଲା। ହେଡ୍ ଅଫିସ୍ରୁ ସ୍ବତନ୍ତ୍ର ଡ୍ୟୁଟିରେ ଆସିଥିବା କହି ସାଦା ପୋଷାକରେ ଥିବା ଅସଲି ପୁଲିସ ଏସ୍ଆଇଙ୍କୁ ବି ନାଲିଆଖି ଦେଖାଇଦେଲା। ମାତ୍ର ଅସଲି ପୁଲିସ ବାବୁଙ୍କ ଆଖି ଧୋକା ଖାଇନଥିଲା। ଛଦ୍ମବେଶୀ ନକଲି ପୁଲିସ କର୍ମଚାରୀକୁ ସେ ଚିହ୍ନିପାରି କାବୁ କରିଥିଲେ। ଏବେ ନକଲି ପୁଲିସ ବାବୁ ବନମାଳୀପୁର ଫାଣ୍ଡିରେ ଅଟକ ଅଛନ୍ତି। ଘଟଣାଟି ଆଜି ବାଲିପାଟଣା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ନକଲି ପୁଲିସ ବେଶରେ ଥିବା ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା କରଡ଼ବାଣୀର ତପସିନି ନାୟକ(୪୦)ଙ୍କ ଉପରେ ବାଲିପାଟଣା ଥାନା ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି।
ଆଜି ଅପରାହ୍ଣ ୩ଟା ସମୟରେ ବନମାଳୀପୁର ଫାଣ୍ଡି ଅଧିକାରୀ ରାକେଶ ସାମଲ ଦିୱାନପାଟଣା ଅଞ୍ଚଳରେ ସାଦାପୋଷାକରେ ବୁଲୁଥିଲେ। ଏହି ସମୟରେ ସେ ତପସିନିକୁ ଦେଖି ବିସ୍ମିତ ହୋଇଯାଇଥିଲେ। ପୁଲିସ ପୋଷାକରେ ଥିବା ତପସିନି ହାତରେ ଲାଠି ଧରି ବୁଲୁଥିଲା। ଏସ୍ଆଇ ଶ୍ରୀ ସାମଲ ତା ପାଖକୁ ଯାଇ ପରିଚୟ ମାଗିଥିଲେ। ସେ ସାଦା ପୋଷାକରେ ଥିବାରୁ ଧୂର୍ତ୍ତ ତପସିନି ତାଙ୍କୁ ଚିହ୍ନି ପାରିନଥିଲା। ତେଣୁ ସେ ଏସ୍ଆଇ ଶ୍ରୀ ସାମଲଙ୍କୁ ପରିଚୟ ମାଗିବା ସହ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲା। ସେ ହେଡ୍ ଅଫିସ୍ରୁ ଆସିଛି ଏବଂ ଦିୱାନପାଟଣାରେ ଗଣ୍ଡଗୋଳ ହେବାର ଖବର ପାଇ ସେ ଘଟଣା ଉପରେ ନଜର ରଖିବାକୁ ଆସିଛି ବୋଲି କହିଥିଲା। ଏହା ଶୁଣି ଏସ୍ଆଇ ଶ୍ରୀ ସାମଲ ନିଜ ପରିଚୟ ଦେବା ସହ ତାକୁ କାବୁ କରିଥିଲେ। ତା’ କାର୍( ଓଡି ୦୨ ଜି ୧୫୫୫) ଯାଞ୍ଚ କଲା ବେଳକୁ ଭିତରୁ ଆହୁରି କିଛି ପୁଲିସ ପୋଷାକ, ଟୋପି, ପରିଚୟପତ୍ର, ଟୋଲ୍ ଗେଟ୍ ପାସ୍ ଆଦି ମିଳିଥିଲା। ସେ ବଡ଼ଗଡ଼ ଅଞ୍ଚଳରେ ଭଡ଼ାଘରେ ରହି ଜଣେ ବ୍ୟାଙ୍କ ଅଧିକାରୀଙ୍କ ଗାଡ଼ିର ଚାଳକ ଭାବେ କାମ କରୁଥିବା ଜଣାପଡ଼ିଛି। ତା’ର ଅପରାଧିକ କାର୍ଯ୍ୟକଳାପ ଉପରେ ଅଧିକ ଛାନ୍ଭିନ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/21/sfhsffhxbvv-2025-11-21-01-26-51.jpg)