ଭୁବନେଶ୍ବର : ‘ମୁଁ ଖଣ୍ଡଗିରି ଥାନାରୁ ଖଣ୍ଡ ସାର୍ କହୁଥିଲି। କାହାକୁ ଫୋନ୍ କରି ହଇରାଣ କରୁଛନ୍ତି କି? ସେ ଆସିଥିଲେ ଆଜି ଥାନାରେ ଅଭିଯୋଗ କରି ଯାଇଛନ୍ତି। ଆଜି ୫ଟାରେ ଆସି ଥାନାରେ ଦେଖା କରନ୍ତୁ।’ ଗତ ଫେବ୍ରୁଆରି ୧୬ରେ ହଂସପାଳ ଅଞ୍ଚଳର ଦିନେଶ ବିଶ୍ବାଳ ନାମକ ଜଣେ ଯୁବକଙ୍କୁ ଏଇଭଳି ଏକ ଫୋନ୍ କଲ୍ ଆସିଥିଲା। ଯୁବକ ଜଣକ କିଛି ଭୁଲ୍ କରି ନ ଥିଲେ ବି ଥାନାରୁ କଲ୍ ଆସିଛି ବୋଲି ସେହି ୧୬ ତାରିଖରେ ଠିକ୍ ୫ଟା ବେଳେ ଥାନାରେ ହାଜର ହୋଇଥିଲେ। ଖଣ୍ଡଗିରି ଥାନାରେ ପହଞ୍ଚି ଖଣ୍ଡ ସାର୍ କିଏ ବୋଲି ପଚାରିଲା ବେଳକୁ ଜଣାପଡ଼ିଥିଲା ଯେ ଥାନାରେ ଖଣ୍ଡ ସାର୍ ବୋଲି କେହି ନାହାନ୍ତି। ତା’ପରେ ଦିନେଶ ଫୋନ୍ କଲ୍ ଆସିଥିବା ନମ୍ବରକୁ ତନାଘନା କରି ଜାଣିଲେ ଯେ ତାଙ୍କ ପାଖକୁ ପୁଲିସ୍ ନାଁରେ ମିଛ କଲ୍ ଆସିଛି।

Advertisment

ଏଭଳି ମିଛ କଲ୍ କରିଥିବା ଯୁବକ ଜଣକ ଏକ ରାଜନୈତକ ଦଳର ଛାତ୍ରନେତା ବୋଲି ସେ କହିଛନ୍ତି। ଫୋନ୍ କଲ୍ ଆସିଥିବା ନମ୍ବରକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଦିନେଶ ଖଣ୍ଡଗିରି ଥାନାକୁ ଆସି ଫେବ୍ରୁଆରି ୨୪ ତାରିଖରେ ଯୁବକଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ତଦନ୍ତ କରି ଏଭଳି ମିଛ କଲ୍ ଆସିଥିବା ନମ୍ବରକୁ କଲ୍‌ କରି ପଚାରିବାରୁ ଯୁବକ ଜଣକ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି କହି ବର୍ତ୍ତମାନ ଥାନାକୁ ଆସିପାରିବେନି ବୋଲି କହିଥିଲେ। ଏହା ପରେ ଦିନେଶ ପୁଲିସ୍ ନାଁ ନେଇ ମିଛ କଲ୍ କରିଥିବା ଯୁବକ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଦିନ ଥାନାକୁ ଆସୁଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେ କହିଛନ୍ତି। ଘଟଣାକୁ ପ୍ରାୟ ୧୫ ଦିନରୁ ଅଧିକ ଦିନ ବିତିଯାଇଥିଲେ ବି ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। କୁହାଯାଉଛି, ଅଭିଯୁକ୍ତ ଜଣକ ଛାତ୍ରନେତା ହୋଇଥିବାରୁ ପୁଲିସ୍ ଜାଣିଶୁଣି ବର୍ତ୍ତମାନ ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରୁଛି।