ଚାକିରି ବାହାନାରେ ୧୨ ଲକ୍ଷ ଠକେଇ : ନକଲି ରାଜସ୍ବ ଅଧିକାରୀ ଗିରଫ

ଖଣ୍ଡଗିରି : ରାଜ୍ୟର ବିଭିନ୍ନ ତହସିଲ ଓ ଆର୍ଆଇ କାର୍ଯ୍ୟାଳୟରେ ପିଅନ ଓ କିରାଣୀ ଚାକିରି କରାଇ‌‌ଦେବାକୁ ପ୍ରଲୋଭନ ଦେଖାଇ ପ୍ରାୟ ୨୦ଜଣଙ୍କଠାରୁ ୧୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ତଥା ନକଲି ରାଜସ୍ବ ଅଧିକାରୀ ହେଲେ ଯାଜପୁର ଜିଲ୍ଲା କୁଆଖିଆ ସିଂହପୁର ଗାଁର ନିତ୍ୟା‌ନନ୍ଦ ମଲ୍ଲିକ(୪୨)। ପିଅନ ପଦବିକୁ ୫୦ ହଜାର ଓ କିରାଣୀ ପଦବି ପାଇଁ ଲକ୍ଷେ ଟଙ୍କା ନେଉଥିବା ନିତ୍ୟାନନ୍ଦର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ନିତ୍ୟାନନ୍ଦ ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍-୨ରେ ରହୁଥିବା କଳ୍ପନା ରାଉତରାୟଙ୍କ ଘରକୁ ଯା’ଆସ କରୁଥିଲା। ନିଜକୁ ଦୀନବନ୍ଧୁ ନାୟକ ଓ ରାଜସ୍ବ ବିଭ‌ାଗରେ ସେ ଜଣେ କ୍ଲାସ-ୱାନ୍‌ ଅଫିସର ବୋଲି ପରିଚୟ ଦେଇଥିଲା। ଏକଦା ଭୁବନେଶ୍ବର ଏମ୍‌ସରେ ସୁରକ୍ଷା କର୍ମୀ ଥିବା ସତ୍ୟଭାମା ଦାସ କଳ୍ପନାଙ୍କ ଘରକୁ ଆସିବା ବେ‌ଳେ ନିତ୍ୟାନନ୍ଦ ଓରଫ୍ ଦୀନବନ୍ଧୁ ସହ ଭେଟ ହୋଇଥିଲା। ସତ୍ୟଭାମାଙ୍କୁ କଟକ ରଜସ୍ବ ପର୍ଷଦ କାର୍ଯ୍ୟାଳୟରେ କିରାଣୀ ପଦରେ ନିଯୁକ୍ତି ଦେବ ବୋଲି ନିତ୍ୟାନନ୍ଦ କହିଥିଲା। ପ୍ରଥମ କିସ୍ତି ଅନୁସାରେ ୨୫ହଜାର ଟଙ୍କା ଦାବି କରିଥିଲା। ବାକି ୨୫ ହଜାର ଟଙ୍କା ନିଯୁକ୍ତିପତ୍ର ପାଇବା ପରେ ଦେବାକୁ ପଡ଼ିବ ବୋଲି କହିଥିଲା। ନିତ୍ୟାନନ୍ଦର କଥା ସହ ତାଳ ଦେଇ କଳ୍ପନା ମଧ୍ୟ ତାଙ୍କ ଭାଇ ଓ ପୁଅ ପାଇଁ ଧାର୍ଯ୍ୟ ଟଙ୍କା ଦେଇଥିବା କହିଥିଲେ। ଫଳରେ ସତ୍ୟଭାମାଙ୍କ ବିଶ୍ବାସ ହୋଇଥିଲା। ଏହା ପରେ ଧୀରେ ଧୀରେ କଥା ଖେଳି ଯାଇଥିଲା ଓ ପ୍ରାୟ ୨୦ଜଣ ବେକାର ଯୁବକ ଯୁବତୀ ନିତ୍ୟ‌ାନନ୍ଦ ଜାଲରେ ଫସି ଯାଇଥିଲେ। ତେବେ ଅସଲ କଥା ଜଣାପଡ଼ିବା ପରେ ସତ୍ୟଭାମା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର