ଚନ୍ଦ୍ରଶେଖରପୁର: ମିଛ ଭିଜିଲାନ୍ସ ରେଡ୍ କରି ମଞ୍ଚେଶ୍ୱର ରେଲେଓ୍ଵ କଲୋନିରେ ରହୁଥିବା ଜି. ଶ୍ରୀନିବାସଙ୍କ ଘରୁ ୧୩ ଭରି ସୁନା ଅଳଙ୍କାର ଲୁଟି ନେବା ଘଟଣାକୁ ୩୬ ଘଣ୍ଟାରୁ ଊର୍ଧ୍ୱ ସମୟ ବିତି ଗଲାଣି। କିନ୍ତୁ ଦୁର୍ବୃତ୍ତମାନଙ୍କୁ ଧରିବା ତ ଦୂରର କଥା, ଏ ପର୍ଯ୍ୟନ୍ତ ମଞ୍ଚେଶ୍ୱର ପୁଲିସ ହାତରେ କୌଣସି ଠୋସ୍ ସୁରାକ୍ ଲାଗି ନାହିଁ। ଦୁର୍ବୃତ୍ତମାନଙ୍କ ଏହି କାଣ୍ଡ ନିକଟରେ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଥିଲେ ମଧ୍ୟ ଫୁଟେଜ୍ରୁ ଲୁଟେରାଙ୍କ ମୁହଁ ଚିହ୍ନଟ ହୋଇ ପାରୁ ନାହିଁ। ଫଳରେ ଅନ୍ଧାରରେ ବାଡ଼ି ବୁଲାଇବା ବ୍ୟତୀତ ପୁଲିସ ପାଖରେ ଆଉ କୌଣସି ଚାରା ନାହିଁ। ଆଜି ସନ୍ଦେହରେ ପୁଲିସ କିଛି ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ସେହିପରି ଜୋନ୍-୫ ଏସିପି ରବୀନ୍ଦ୍ର ନାଥ ଶତପଥୀ, ମଞ୍ଚେଶ୍ୱର ଥାନା ଆଇଆଇସି କୃଷ୍ଣପ୍ରସାଦ ମିଶ୍ର ମିଳିତ ଭାବେ କିଛି ସ୍ଥାନରେ ଚଢ଼ଉ କରିଥିଲେ। କିନ୍ତୁ ସେପରି କୌଣସି ସଫଳତା ମିଳି ପାରିନାହିଁ। ତେବେ ଏହି ଘଟଣାରେ ୨ଜଣ ସ୍ଥାନୀୟ ଅଣଓଡ଼ିଆ ଯୁବକଙ୍କ ସମ୍ପୃକ୍ତି ଅଛି ବୋଲି ପୁଲିସ ସନ୍ଦେହ କରୁଛି। ସେହି ଅଣଓଡ଼ିଆ ଯୁବକମାନେ ବିହାରୀ କିମ୍ବା ତେଲୁଗୁ ସମ୍ପ୍ରଦାୟର ବୋଲି ଅପହରଣ ହୋଇଥିବା ଜି. ଶ୍ରୀନିବାସଙ୍କ ପୁଅ ସୁଦର୍ଶନ ଅନୁମାନ କରିଛନ୍ତି।
ଧୋକା ଦେଲା ସିସିଟିଭି
ଲୁଟ୍ ପରେ ନକଲି ଭିଜିଲାନ୍ସ ଅଧିକାରୀମାନେ ଶ୍ରୀନିବାସଙ୍କ ପୁଅ ସୁଦର୍ଶନ ଓ ଝିଅ ଲାବନ୍ୟାଙ୍କୁ ଅପହରଣ କରି ନେଇଥିଲେ। ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଏଟିଏମ୍ ନିକଟରେ ଲାବନ୍ୟାଙ୍କୁ ଛାଡ଼ି ଦେଇ ସୁଦର୍ଶନଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ଯାହାର ଦୃଶ୍ୟ କାରଖାନା ମୁଖ୍ୟ ଫାଟକରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ହେଲେ ସେହି ଛବିରୁ କାହାକୁ କିଛି ଚିହ୍ନଟ କରାଯାଇ ପାରୁନାହିଁ। ସେହିଭଳି ପୁଅ ସୁଦର୍ଶନକୁ ସେମାନେ ବିଡିଏ ଫୁଲ ଦୋକାନରେ ଛାଡ଼ି ଦେଇ ଚାଲି ଯାଇଥିଲେ। ନିକଟ ଏକ ଦୋକାନରେ ଥିବା ସିସିଟିଭି ଫୁଟେଜ୍ରେ ଏହି ଦୃଶ୍ୟ କଏଦ ହୋଇଛି। କିନ୍ତୁ ସେଥିରୁ ବି ଲୁଟେରାଙ୍କୁ ଚିହ୍ନିବା କଷ୍ଟକର। ଫଳରେ ପୁଲିସ ପାଇଁ ଲୁଟେରାମାନେ କେବଳ ଏକ ବାଇକ୍ ଆରୋହୀ ହୋଇ ରହି ଯାଇଛନ୍ତି।
ଖଣ୍ଡି ହିନ୍ଦୀରେ କଥାବାର୍ତା ହେଉଥିଲେ ଦୃର୍ବୃତ୍ତ
ଲୁଟ୍ ଦିନ ପ୍ରଥମେ ଦୁର୍ବୃତ୍ତମାନେ କୁମାର ରାଓ ନାମକ ଜଣେ ରେଳ କର୍ମଚାରୀଙ୍କ ଘରେ ପଶିଥିଲେ। ନିଜକୁ ଆରପିଏଫ ଅଧିକାରୀ ବୋଲି ପରିଚୟ ଦେଇ ଖାନତଲାସି କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ କୁମାରଙ୍କ ସ୍ତ୍ରୀ ଲୀଳାବତୀ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ଦୁର୍ବୃତ୍ତମାନେ ଖଣ୍ଡି ହିନ୍ଦୀରେ କଥା ହୋଇଥିଲେ ବୋଲି ସେ କହିଛନ୍ତି। ପରେ ସେମାନେ ଜି. ଶ୍ରୀନିବାସଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଜି.ରାଧା କୁମାରୀଙ୍କୁ ମଧ୍ୟ ଖଣ୍ଡି ହିନ୍ଦୀରେ ବ୍ୟାଙ୍କ ଖାତା ଓ ସୁନାଗହଣା ବାହାର କରି ଟେବୁଲ୍ ଉପରେ ରଖିବା ପାଇଁ କହିଥିଲେ। ସେମାନଙ୍କ କଥାରୁ ଯାହା ଜଣାପଡ଼େ, ଘର ଭିତରେ ପଶିଥିବା ଲୁଟେରାମାନେ ବିହାରୀ କିମ୍ବା ତେଲୁଗୁ ସମ୍ପ୍ରଦାୟର।