ଭୁବନେଶ୍ବର: ନାମୀଦାମୀ ହୋଟେଲ୍ ନାଁରେ ୱେବ୍ସାଇଟ୍ ଖୋଲୁଛନ୍ତି। ଅନ୍ଲାଇନ୍ରେ ଗ୍ରାହକ ବୁକିଂ କରିବା ବେଳେ ସାଇବର ଠକ ହୋଟେଲ୍ ଭଡ଼ା ବାବଦକୁ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି। ଗ୍ରୀଷ୍ମ ଅବକାଶ ଉପଭୋଗ କରିବାକୁ ପୁରୀ ସମେତ ରାଜ୍ୟର ବିଭିନ୍ନ ଜାଗାରେ ରହିବା ପାଇଁ ଯୋଜନା କରୁଥିବା ପର୍ଯ୍ୟଟକଙ୍କୁ ସାଇବର ଠକ ଏଭଳି ଚୂନ ଲଗାଉଛନ୍ତି। ଭୁବନେଶ୍ବର ଓ ପୁରୀରେ ବଡ଼ବଡ଼ ହୋଟେଲ୍ ନାମରେ ଠକିବା ଘଟଣାକୁ ନେଇ ଅଭିଯୋଗ ହେବା ପରେ ସାଇବର ପୁଲିସ ତନାଘନା ଆରମ୍ଭ କରିଛି। ତନାଘନା ବେଳେ ରାଜ୍ୟ ବାହାରେ ବି ସାଇବର ଅପରାଧୀମାନେ ଏଭଳି ଠକେଇ କରିଥିବା ସାମନାକୁ ଆସିଛି। ଗୋଟିଏ ସପ୍ତାହ ଭିତରେ ହୋଟଲ ବୁକିଂ ନାଁରେ ୨୦ ରୁ ଅଧିକ ଠକେଇ ହୋଇଥିବା ଜଣାପଡ଼ିଛି। ଏଥିରେ ପ୍ରାୟ ୧୧ ଜଣଙ୍କ ଠାରୁ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସାଇବର ଠକ ନେଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଭୁବନେଶ୍ବର ସାଇବର ଥାନାରେ ଏ ନେଇ ଏତଲା ହୋଇଛି। ଏଥିରୁ ଜଣାପଡ଼ିଛି କି ସାଇବର ଠକଙ୍କ ଟାର୍ଗେଟ୍ରେ ଭୁବନେଶ୍ବର, ପୁରୀ, କୋଣାର୍କର ବଡ଼ ବଡ଼ ହୋଟେଲ ରହିଛନ୍ତି। ଗ୍ରୀଷ୍ମ ଅବକାଶକୁ ଆଖି ଆଗରେ ରଖି ଏହି ଠକମାନେ ଜାଲ ବିଛାଇଛନ୍ତି। ସୂଚନା ଅନୁସାରେ ବଡ଼ବଡ଼ ହୋଟେଲ୍ ନାଁରେ ୱେବ୍ସାଇଟ୍ ଖୋଲୁଛନ୍ତି। ଏଥିରେ ନିଜର ଆକାଉଣ୍ଟ ନମ୍ବର ଓ ମୋବାଇଲ ନମ୍ବର ରଖୁଛନ୍ତି।ଅନ୍ଲାଇନ୍ରେ ହୋଟେଲ୍ ଖୋଜିବା ବେଳେ ଏହି ଠକଙ୍କ ନକଲି ୱେବ୍ସାଇଟ୍ ତାଲିକାର ଶୀର୍ଷରେ ଆସୁଛି। ଏଥିପାଇଁ ଠକମାନେ ମଧ୍ୟ ଅର୍ଥ ଖର୍ଚ୍ଚ କରୁଛନ୍ତି। ତଦନ୍ତ ବେଳେ ଜଣାପଡ଼ିଛି କି, ଭୁବନେଶ୍ବର ନୂଆପଲ୍ଲୀ ଅଞ୍ଚଳରେ ଥିବା ଏକ ନାମୀ ହୋଟେଲରେ ହୋଲି ଛୁଟି କାଟିବା ପାଇଁ ସମୀର ସାହୁ ଯୋଜନା କରିଥିଲେ। ଗୁଗୁଲ୍ରେ ଏହି ହୋଟେଲ୍ ଖୋଜି ଅନଲାଇନ୍ରେ ହୋଟେଲ ବୁକ୍ କରୁଥିଲେ। ରୁମ ଭଡ଼ା ୧୦ ହଜାର ଥିବାବେଳେ ସେ ଅଗ୍ରୀମ ୨୦୦୦ ଦଖଲ କରିଥିଲେ। ବୁକିଂର କିଛି ଘଣ୍ଟା ପରେ ନିଜକୁ ହୋଟେଲ୍ କର୍ମଚାରୀ କହି ସମୀରଙ୍କୁ ଫୋନ୍ ଆସିଥିଲା କି ଦୁଇଦିନ ଛୁଟି ପାଇଁ ରୁମ୍ଚାହିଦା ଅଧିକ ଥିବାରୁ ଭଡ଼ାର ୫୦% ଅଗ୍ରୀମ ଦାଖଲ କରିବାକୁ ହେବ ନ ହେଲେ ବୁକିଂ ବାତିଲ୍ ହେବ। ଏଣୁ ବୂକିଂ ବାତିଲ୍ ହେବା ଭୟରେ ସମୀର ୫୦୦୦ ଟଙ୍କା ଦାଖଲ୍ କରିଥିଲେ।
ଧାର୍ଯ୍ୟ ସମୟରେ ସେ ସମ୍ପୃକ୍ତ ହୋଟେଲ୍ରେ ପହଞ୍ଚିବା ପରେ ତାଙ୍କ ନାମରେ କୌଣସି ବୁକିଂ ହୋଇ ନଥିବା ଜାଣିବାକୁ ପାଇଥିଲେ। ଏଣୁ ସେ ଯେଉଁ ୱେବ୍ସାଇଟ୍ରେ ବୁକିଂ କରିଥିଲେ ତାହା ଦେଖାଇବା ପରେ ଜଣାପଡ଼ିଥିଲା କି ତାହା ନକଲି। ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ସେ ଥାନାରେ ପହଞ୍ଚିବା ପରେ ରାଜଧାନୀ ସମେତ ପୁରୀ, କୋଣାର୍କ ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳରେ ଥିବା ହୋଟେଲ୍ ନାଁରେ ଏଭଳି ହୋଇଥିବା ଜଣାପଡ଼ିଥିଲା। ଯେଉଁ ଆକାଉଣ୍ଟ ନମ୍ବରରେ ଅର୍ଥ ଜମା ହେଉଛି ତାହା ବାହାର ରାଜ୍ୟର ବୋଲି ଦେଖାଯାଇଥିଲା। ଏଥିରେ ହୋଟେଲ୍ ବଦନାମ ହେଉଥିବା ବେଳ ସାଧାରଣ ଗ୍ରାହକ ଠକେଇର ଶିକାର ହେଉଛନ୍ତି। ଏଣୁ ଏହାକୁ ସାଇବର ଥାନା ପୁଲିସ ଗୁରୁତ୍ବର ସହ ନେଇଛି। କିନ୍ତୁ କେବଳ ମାମଲା ରୁଜୁ କରି ବସିଯାଇଛି। ଲୁଟେରାଙ୍କ ପାଖରେ ପହଞ୍ଚିବା ତ ଦୂରର କଥା ଲୋକଙ୍କୁ ଏ ବାବଦରେ ସଚେତନ ମଧ୍ୟ
କରୁନଥିବା ଅଭିଯୋଗ ହୋଇଛି।