ଭୁବନେଶ୍ବର: ୟୁଟ୍ୟୁବ୍ ଚ୍ୟାନେଲ୍ ବିକ୍ରି କରିବାକୁ କହି ଯୁବକଙ୍କୁ ଠକେଇ କରିବା ଅଭିଯୋଗରେ ଭୁବନେଶ୍ବର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଆଜି ଜଣେ ଧୂର୍ତ୍ତକୁ ଗିରଫ କରିଛି। ସେ ହେଲା ଜଗତସିଂହପୁର କୁଜଙ୍ଗର ଆୟୁଷ ଶୁକ୍ଳା(୨୦)। ଅଭିଯୋଗକାରୀ ପୁରୀ ପିପିଲିର ପ୍ରସନ୍ନ ପରିଡ଼ାଙ୍କ କହିବାନୁଯାୟୀ, ଆୟୁଷଙ୍କ ସହ ତାଙ୍କର ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ ହୋଇଥିଲା। ଆୟୁଷ ନିଜକୁ ଆଇଟି ବିଶେଷଜ୍ଞ ଭାବେ ପରିଚୟ ଦେଇ ଅନ୍ଲାଇନରେ ପ୍ରସନ୍ନଙ୍କ ସହ ବନ୍ଧୁତ୍ବ ସ୍ଥାପନ କରିଥିଲା। ଏହା ପରେ ତାଙ୍କୁ ଏକ ଲୋକପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ବିକ୍ରି କରିବେ ବୋଲି ଚୁକ୍ତି କରିଥିଲା।
ଚୁକ୍ତି ଅନୁସାରେ ପ୍ରସନ୍ନ ଗତ ୭ତାରିଖରେ ତାଙ୍କ ମୋବାଇଲକୁ ୩୦ହଜାର ୩ଶହ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ଆୟୁଷ ଅଭିଯୋଗକାରୀ ପ୍ରସନ୍ନଙ୍କୁ ଏକ ନକଲି ୟୁଟ୍ୟୁବ୍ ଚ୍ୟାନେଲ୍ର ଲିଙ୍କ ପଠାଇଥିଲା। ପ୍ରସନ୍ନ ଘଟଣା ସଂପର୍କରେ ଜାଣିବା ପରେ ତାଙ୍କୁ ଠିକ୍ ଆକାଉଣ୍ଟ୍ ନଚେତ୍ ଟଙ୍କା ଫେରସ୍ତ କରିବାକୁ କହିଥିଲା। ମାତ୍ର ଆୟୁଷ ତାଙ୍କ ନମ୍ବର ବ୍ଲକ୍ କରି ଦେଇଥିଲା। ଏନେଇ ପ୍ରସନ୍ନ ଗତ ୧୩ ତାରିଖ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ଆୟୁଷକୁ ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର କୁଜଙ୍ଗରୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।