ଫକିରମୋହନ ଥିଲେ ‘ପ୍ରଥମ ବାଳିକା ବିଦ୍ୟାଳୟ’ର ପ୍ରତିଷ୍ଠାତା

‘ଫକିରମୋହନ ସାହିତ୍ୟ ପରିଷଦ’କୁ ଓଡ଼ିଆ ଭାଷା ସମ୍ମାନ

ଭୁବନେଶ୍ବର : ଫକିରମୋହନ ସେନାପତି କେବଳ ଗାଳ୍ପିକ କି ଔପନ୍ୟାସିକ ନଥିଲେ। ସେ ଥିଲେ ଭବିଷ୍ୟ ଦ୍ରଷ୍ଟା। କେବଳ ରେବତୀ ଭଳି ଗଳ୍ପ ଲେଖି ନଥିଲେ। ବରଂ ପ୍ରଥମ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ। ଆଉ ସେହି ବିଦ୍ୟାଳୟର ପ୍ରଥମ ଛାତ୍ରୀ ଥିଲେ ତାଙ୍କ ଝିଅ। ସେହିଭଳି ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ବହୁ ପୂର୍ବରୁ ୧୯୦୩ ମସିହାରେ ‘ଅରଟ’ ସମ୍ପର୍କରେ ଲେଖି ସେ ମହିଳାମାନଙ୍କୁ ଏ କ୍ଷେତ୍ରରେ ଯୋଡ଼ିବାକୁ ଚାହିଁଥିଲେ। ଫକିର ମୋହନ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ୧୮୮୯, ୧୯୯୦ ଓ ୧୯୯୮ ମସିହାରେ ସେ ଜାତୀୟ କଂଗ୍ରେସ ସହ ରହିଥିଲେ। ତାଙ୍କର ବାସ୍ତବ ଦୃଷ୍ଟିକୋଣ ଏବଂ ଉପନ୍ୟାସର ଦୃଷ୍ଟିକୋଣ ଭିନ୍ନ ଥିଲା। ସାହିତ୍ୟିକ ହେବା ପାଇଁ ନୁହେଁ, ବରଂ ଜାତି ପାଇଁ ସେ ଲେଖୁଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘କଥା ସମ୍ରାଟ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ’ ଅବସରରେ ଗବେଷକ ତଥା ସମାଲୋଚକ ଦେବେନ୍ଦ୍ର କୁମାର ଦାଶ ଏହା କହିଛନ୍ତି।

ଏହି ଅବସରରେ ଫକିର ମୋହନଙ୍କ ସାହିତ୍ୟ କ୍ଷେତ୍ରରେ ଅବଦାନ ରଖିଥିବା ବାଲେଶ୍ବରର ୭୧ ବର୍ଷର ଅନୁଷ୍ଠାନ ‘ଫକିର ମୋହନ ସାହିତ୍ୟ ପରିଷଦ’କୁ ବ୍ୟାସକବି ଫକିର ମୋହନ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରାଯାଇଛି। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ କର୍ମକର୍ତାଙ୍କୁ ସମ୍ବର୍ଧିତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଜୟନ୍ତୀ ରଥ ମାନପତ୍ର ପାଠ କରିଥିଲେ। କବି ହରିହର ମିଶ୍ରଙ୍କ ପୁସ୍ତକ ‘ନାଟ୍ୟ ବିଚିତ୍ରା’ ଏବଂ ଡ.କାର୍ତିକେଶ୍ବର ପାତ୍ରଙ୍କ ପୁସ୍ତକ ‘ସାହିତ୍ୟରେ ନବକଳେବର’ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ବାଲେଶ୍ବରର ‘ସ୍ରଷ୍ଟା’ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ନାଟକ ‘ମୁଁ ହାଟ ବାହୁଡ଼ା’ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର