ଭୁବନେଶ୍ବର: ଓଡ଼ିଆ ଭାଷା ସୁରକ୍ଷା ସଂଗ୍ରାମର ସାର୍ଥକ ସୈନିକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବ୍ୟାସକବିଙ୍କ ବନ୍ଦନା ଗାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ରଙ୍ଗାଧର ସାହୁ, ମାନବେନ୍ଦ୍ର ମିଶ୍ର, କବି ନାରାୟଣ ମୁଦୁଲି, ସୁଜାତା ମୁଦୁଲି, ଅନୁପମା ବେହେରା, ସଂଯୁକ୍ତା ମିଶ୍ର, ସରୋଜିନୀ ମିଶ୍ର, ସଂଯୁକ୍ତା ପାଣିଗ୍ରାହୀ, ଭକ୍ତିରଞ୍ଜନ ପଲାଇ, ସଞ୍ଜୟ ପରିଡ଼ା, ଅଶୋକ ବେହେରା, ପ୍ରଗତି ରଥ, ଜୟ ଓଡ଼ିଶାର ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ, ଉଇ ଫର ଭୁବନେଶ୍ୱର ସଭ୍ୟବୃନ୍ଦ, ଉତ୍କଳ ସମ୍ମିଳନୀ ଓ ଅନ୍ୟ ସଂଗଠନର ସଭ୍ୟମାନେ ଯୋଗ ଦେଇ ବ୍ୟାସକବି କିଭଳି ଓଡ଼ିଆ ଭାଷାର ସୁରକ୍ଷା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସାମଗ୍ରିକ ଜୀବନ ଉତ୍ସର୍ଗ କରିଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କ ଗଳ୍ପ ଓ ଉପନ୍ୟାସରେ ସାଧାରଣ ଜୀବନର ଚିତ୍ର ଓ ତତ୍‌କାଳୀନ ସାମାଜିକ ବ୍ୟବସ୍ଥା ପ୍ରତିଫଳିତ ହୋଇଛି ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ।

Advertisment

ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ମନୋରଞ୍ଜନ ପାଣିଗ୍ରାହୀ, ପ୍ରକାଶ ତ୍ରିପାଠୀ, ଗୌତମବୁଦ୍ଧ ଦାସ, ସାମ୍ବାଦିକ ଶିବପ୍ରସାଦ ସାହୁ, ସଂଯୁକ୍ତା ମିଶ୍ର, ରାମଚନ୍ଦ୍ର ସାମଲ, ଇପ୍ସିତା ସାହୁ, ରାମଜୀବନ ଗୋଛାୟତଙ୍କ ସମେତ ୧୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ବ୍ୟାସକବି ସ୍ମୃତିସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପଠାଣି ରାଉତ ଧନ୍ୟବାଦ ଦେଇଥିଲେ।