ଫକୀରମୋହନ ଥିଲେ ଓଡ଼ିଆ ଜୀବନ ସଂଗ୍ରାମର ସେନାପତି

‘ନୋସାକ’ର ପ୍ରତିଷ୍ଠା ଦିବସ ଓ ଫକୀରମୋହନ ଜୟନ୍ତୀ

ଫକୀରମୋହନ ଚେୟାର ପ୍ରତିଷ୍ଠା ଲାଗି ପ୍ରସ୍ତାବ

ଭୁବନେଶ୍ୱର : ଫକୀରମୋହନ କେବଳ ଓଡ଼ିଆ ଭାଷାର ତ୍ରାଣକର୍ତା ନଥିଲେ, ସେ ଥିଲେ ଓଡ଼ିଆ ଜୀବନ ସଂଗ୍ରାମର ସେନାପତି। ସେ ଥିଲେ ଓଡ଼ିଆ ଭାଷା ନ ଥାନ୍ତା କି ଓଡ଼ିଆ ଜାତି ଆଜି ଯେଉଁଠି ପହଞ୍ଚିଛି ତାହା ସମ୍ଭବ ହୋଇ ପାରିଥାନ୍ତା। କେବଳ ସାରସ୍ୱତ ସାଧନା ନୁହେଁ, ଏକ ଶୋଷଣ, ଅନ୍ଧବିଶ୍ୱାସ ଓ କୁସଂସ୍କାର ମୁକ୍ତ ଓଡ଼ିଶା ଗଠନ ଲାଗି ସେ ସାରା ଜୀବନ ସଂଗ୍ରାମ କରିଥିଲେ। ଆଜି ଉତ୍ତର ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ(ନୋସାକା) ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ପିଜି କାଉନସିଲ୍‌ ହଲ୍‌ରେ ଆୟୋଜିତ ୧୭୫ତମ ଫକୀରମୋହନ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଅତିଥିମାନେ ଏଭଳି ମତ ରଖିଛନ୍ତି।

‘ନୋସାକା’ର ଅଧ୍ୟକ୍ଷ ଗୌତମବୁଦ୍ଧ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡ.ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଲେ, ଓଡ଼ିଶା ଉପରେ ଯେତେବେଳେ ବିପଦ ମାଡ଼ି ଆସିଥିଲା ସେତେବେଳେ ମାତୃଭାଷାର ସହାୟତା ନେଇଥିଲେ ବ୍ୟାସକବି ଫକୀରମୋହନ। ସ୍ୱତନ୍ତ୍ର ରାଜ୍ୟ ଗଠନରେ ବି ମାତୃଭାଷା ପ୍ରମୁଖ ମାଧ୍ୟମ ସାଜିଥିଲା। ଏଭଳି ଜଣେ ସାରସ୍ୱତ ସାଧକଙ୍କ ନାମରେ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟରେ ଚେୟାର ନାହିଁ। ଏ ଦିଗରେ ପଦକ୍ଷେପ ନିଆଯାଇପାରିଲେ ଗବେଷଣାରତ ଛାତ୍ରଛାତ୍ରୀ, ଅଧ୍ୟାପକ ଉପକୃତ ହୋଇପାରିବେ।। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଫକୀର ମାହନ ନିଷ୍ଠା ଓ ଅଙ୍ଗିକାର ସହ ଭାଷା, ସାହିତ୍ୟ ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଆଧୁନିକ ଓଡ଼ିଆ ଗଳ୍ପର ଜନକ ବୋଲି କୁହାଯାଏ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ବିଜୟାନନ୍ଦ ସିଂ ମୁଖ୍ୟବକ୍ତାଭାବେ ଯୋଗଦେଇ କହିଲେ, ଫକୀରମୋହନ ଓଡ଼ିଆ ଜାତି ଓ ଭାଷାର ଉନ୍ନତି ଲାଗି ସେ ସ୍ୱପ୍ନ ଦେଖିଥିଲେ। ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ସହ ମାତୃଭାଷାକୁ ମା’ ଓ ଅନ୍ୟଭାଷାକୁ ମାଉସୀ ପରି ଭଲ ପାଇବାକୁ ପଡ଼ିବ।

ଅନ୍ୟମାନଙ୍କ ମଧ୍ୟରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ନିର୍ଦେଶକ ପ୍ରଫେସର କିଶୋର ବାସା, ‘ଓଡ଼ିଶା ଲାଇଭ୍‌’ର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ ଓ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ.ବିଷ୍ଣୁପ୍ରିୟା ଓତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିିଥିଲେ।

ପ୍ରାରମ୍ଭରେ ନୋସାକାର କାର୍ଯ୍ୟକାରୀ ସଭାପତି ବେଣୁଧର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବାବେଳେ ସଭାପତି ସରୋଜ ଦାଶ ସଙ୍ଗଠନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉପସଭାପତି ରାମଜୀବନ ଗୋଚ୍ଛାୟତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ସମ୍ପାଦକ ପବିତ୍ର ମହାପାତ୍ର ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଗତବର୍ଷ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବିତର୍କ, ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ ବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ନୋସାକାର ଉପାଧ୍ୟକ୍ଷ ଡ. ପ୍ରକାଶ ତ୍ରିପାଠୀ, ବିଶିଷ୍ଟ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ବିଭୁପଦ ଦାସ, ସ୍ମୃତିରଂଜନ ମହାନ୍ତି, ସୂର୍ଯ୍ୟନାରାୟଣ ମହାନ୍ତି, ଡ.ଅମିତାଭ ଜେନା, ଡ.ଦେବାଶିଷ ପାତ୍ର, ରମାକାନ୍ତ ପ୍ରଧାନ, କୃଷ୍ଣଚନ୍ଦ୍ର ଜେନା, ଦୀନବନ୍ଧୁ ପତି, ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ, ପ୍ରଭଞ୍ଜନ ମିଶ୍ର, ସୌମ୍ୟଜିତ ସିହ୍ନା, ଦେବାଶିଷ ପାଣିଗ୍ରାହୀ, ଲକ୍ଷ୍ମୀଧର ବିଶ୍ୱାଳ, ଅଶୋକ ନାୟକ, ଲଲାଟେନ୍ଦୁ ମଲ୍ଲିକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ପୂର୍ବାହ୍ନରେ ନୋସାକାର ଆହ୍ଵାନ କ୍ରମେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବାନୀ ଚରଣ ପଟ୍ଟନାୟକ, ପୂର୍ବତନ ବାଚସ୍ପତି ଶରତ କର, ନିଶା ନିବାରଣ ଅଭିଯାନର ଡ.ବିଜୟ ସ୍ୱାଇଁ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ଏକ ଶୋଭାଯାତ୍ରା ପିଜି କାଉନସିଲ ହଲ୍‌ ପର୍ଯ୍ୟନ୍ତ ଯାଇଥିଲା।

ସମ୍ବନ୍ଧିତ ଖବର