ଫକୀରମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ: କାଳଜୟୀ କୃତି ପାଇଁ ସଂକ୍ରାନ୍ତି ପୁରୁଷ ଚିରସ୍ମରଣୀୟ

ଭୁବନେଶ୍ୱର : ଆଧୁନିକ ଓଡ଼ିଆ ଗଳ୍ପର ଜନକ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ କାଳଜୟୀ କୃତି ପାଇଁ ରାଜ୍ୟବାସୀଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବେ। ବ୍ୟାସକବି ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଓ ସମାଜ ସଂସ୍କାରକ ଥିଲେ। ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ସାହିତ୍ୟର ପ୍ରଚାରପ୍ରସାର ପାଇଁ ସେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଆଜି ଏପରି ମତ ରଖିଛନ୍ତି। ବିଭାଗ ପକ୍ଷରୁ ଆଜି ସକାଳେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅବସ୍ଥାପିତ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ନିରଂଜନ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ୟାସକବିଙ୍କ କାଳଜୟୀ ଗଳ୍ପ, ଉପନ୍ୟାସ ଆଦି ସାରସ୍ବତ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ମାନସ ରଂଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବ୍ୟାସକବିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଓଡ଼ିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା ଥିଲେ ବ୍ୟାସକବି
ଭୁବନେଶ୍ବର : ଇଂରେଜଙ୍କ ସମେତ କିଛି ପଡ଼ୋଶୀ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ଲୋପ କରିବାକୁ ଚେଷ୍ଟା କରୁଥିଲେ। ସେତେବେଳେ ବ୍ୟାସକବି ଫକୀର ମୋହନ ସେନାପତି ତ୍ରାଣକର୍ତ୍ତା ସାଜିଥିଲେ। ଓଡ଼ିଆ ଭାଷା ସାହିତ୍ୟର ପ୍ରଚାରପ୍ରସାର ପାଇଁ ଅଣ୍ଟା ଭିଡ଼ିଥିଲେ। ଜାତୀୟ ଶିକ୍ଷାନୀତିରେ କେନ୍ଦ୍ର ସରକାର ଏବେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଉଥିବା ବେଳେ ଫକୀର ମୋହନ ସେତେବେଳେ ସେ କଥା ଚିନ୍ତା କରିଥିଲେ ବୋଲି ଉତ୍ତର ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ (ନୋସାକା) ପକ୍ଷରୁ ଆୟୋଜିତ ଫକୀର ମୋହନଙ୍କ ଜୟନ୍ତୀ ଅବସରରେ ଯୋଗ ଦେଇଥିବା ବକ୍ତାମାନେ କହିଛନ୍ତି।

ନୋସାକା ଅଧ୍ୟକ୍ଷ ଗୌତମବୁଦ୍ଧ ଦାସଙ୍କ ଅଧ୍ୟକ୍ଷତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଥିବା ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା। ସେହିପରି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ ହୋଇଥିଲା। ନୋସାକା ପକ୍ଷରୁ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମ ହେଉଥିବା ବେଳେ ଆଗାମୀ ଦିନରେ ସାହିତ୍ୟ ଆସର ଏବଂ ଓଡ଼ିଆ ଭାଷା ସାହିତ୍ୟ ଉପରେ କାମ କରିବ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା।

କାର୍ଯ୍ୟକ୍ରମରେ ନୋସାକା ସଭାପତି ସରୋଜ ଦାଶ, ଉପସଭାପତି ବେଣୁଧର ବିଶ୍ୱାଳ, କୋଷାଧ୍ୟକ୍ଷ ପ୍ରକାଶ ତ୍ରିପାଠୀ, ରାମଜୀବନ ଗୋଚ୍ଛାୟତ, ଅଶୋକ ନାୟକ, ଲୋକେଶ କୁମାର, ଅମରଜିତ୍‌ ଗୌଡ଼, ରୋଜା ଘୋଷ, ଦେବେଶ ଦାସ, ଶିବାନନ୍ଦ ତାଡ଼, ସତ୍ୟଜିତ୍ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାଗର ଦାସ ଧନ୍ୟବାଦ ଦେଇଥିଲେ।

ସ୍ବତନ୍ତ୍ର ରାଜ୍ୟ ଗଠନରେ ଫକୀର ମୋହନଙ୍କ ସଂଗ୍ରାମ ଅତୁଳନୀୟ
ଭୁବନେଶ୍ବର : ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଓଡ଼ିଆ ଭାଷା ଓ ଜାତି ଘୋର୍‌ ସଂକଟ ଦେଇ ଗତି କରୁଥିବା ସମୟରେ ଏହି ମହାନ ଯୁଗପୁରୁଷଙ୍କ ଆର୍ବିଭାବ ହୋଇଥିଲା। କୁଳବୃଦ୍ଧ ମଧୁସୂଦନ ଓ ଜନ ବିମସ୍‌ଙ୍କ ସହାୟତାରେ ଭାଷାକୁ ରକ୍ଷା କରିବା ସହ ଓଡ଼ିଆ ଜାତି ପାଇଁ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ଦିଗରେ ତାଙ୍କର ଜୀବନବ୍ୟାପୀ ସଂଗ୍ରାମ ଚିରସ୍ମରଣୀୟ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ଉପସଭାପତି ଉଷାରାଣୀ ମହାନ୍ତି, ଭୁବନେଶ୍ବର ଶାଖା ଉପସଭାପତି ସଞ୍ଜୁଲତା ମହାନ୍ତି, କୃଷ୍ଣପ୍ରିୟା ମିଶ୍ର ପ୍ରମୁଖ ଏହି ଉତ୍ସବ‌ରେ ଯୋଗ ଦେଇଥିଲେ।

ସେହିପରି ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ମଧ୍ୟ ପ୍ରତିମୂର୍ତ୍ତି ନିକଟରେ ସଂକ୍ରାନ୍ତି ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି ଯୁବପିଢ଼ିଙ୍କୁ ଫକୀ‌ର ମୋହନଙ୍କ ଲେଖା ପଢ଼ିବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଉପସଭାପତି ଡ. ସୁରେନ୍ଦ୍ର ମିଶ୍ର, ଯୁଗ୍ମସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ମହେଶ୍ୱର ବିଶ୍ୱାଳ, ସମରଞ୍ଜନ ମହାନ୍ତି, ଅକ୍ଷୟ ଜେଠୀ, ରଜତ ପାତ୍ର, ପ୍ରକାଶ ସାମଲ, ଅଜୟ କାନୁନ୍‌ଗୋ ଓ ସୌମ୍ୟରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର