ଭୁବନେଶ୍ୱର: ପ୍ରଚଣ୍ଡ ଖରା। ବାହାରକୁ ବାହାରିବା କଷ୍ଟକର। କିନ୍ତୁ ନବାହାରିଲ‌େ ନଚଳେ। ପୁଣି ଖରା ଯୋଗୁଁ ଦିନସାରା ରାସ୍ତାଘାଟ, ସିନେମାହଲ୍‌, ବଜାର ଓ ପାର୍କ ଆଦି ଶୁନ୍‌ଶାନ୍‌ ପାଲଟି ଯାଉଥିବାବେଳେ ସନ୍ଧ୍ୟା ପରେ ଗହଳି ଆରମ୍ଭ ହୋଇ ଯାଉଛି। ସେ ଗହଳି ସାଧାରଣ ଦିନଠାରୁ ଅଧିକ ରାତି ଯାଏଁ ଜାରି ରହୁଛି। ଖରା ଯୋଗୁଁ ରାଜଧାନୀର ଯୁବପିଢ଼ିଙ୍କ ବେଶ ପୋଷାକ ବଦଳି ଯାଇଛି। ଏ ବାବଦରେ ଭୁବନେଶ୍ବର ଏବେ ଆଉ ଦେଶର ଅନ୍ୟ କୌଣସି ମହାନଗରଠାରୁ ପଛରେ ନାହିଁ। ଖରାରେ ରାଜଧାନୀର ଯୁବକ ଯୁବତୀଙ୍କ ଭିତରେ ସ୍କାର୍ଫ, ସନ୍‌ଗ୍ଲାସ୍‌ ଓ କଟନ ଟୋପିର ଆଦର ବଢ଼ି ଯାଇଛି। ଏସବୁ କେବଳ ଖରାରୁ ରକ୍ଷା କରୁନାହିଁ, ଏକ ଷ୍ଟାଇଲିସ୍‌ ଲୁକ୍‌ ମଧ୍ୟ ଦେଉଛି। ତେଣୁ ଗ୍ରୀଷ୍ମର ପ୍ରଭାବକୁ ଦୃଷ୍ଟିରେ ରଖି ରାଜଧାନୀର ଦୋକାନ ବଜାରରେ ଏହିଭଳି ସାମଗ୍ରୀର ପସରା ମେଲିଛି। ‘ସୌନ୍ଦର୍ଯ୍ୟା ବିଉଟି ପାର୍ଲର’ର ମୁଖ୍ୟ ନନ୍ଦିନୀ ମହାରଣା କହନ୍ତି, ‘‘ଭୁବନେଶ୍ବରରେ ଯେମିତି ଖରା ହେଉଛି, ଘରୁ ବାହାରିବା ପୂର୍ବରୁ ସନ୍‌ସ୍କ୍ରିନ୍‌ ନିହାତି ବ୍ୟବହାର କରିବା ଆବଶ୍ୟକ। ଖରାରୁ ଆସିବାର ୩୦ ମିନିଟ୍ ପରେ ମୁହଁରେ ବରଫକୁ ବ୍ୟବହାର କରିପାରିବେ। କାକୁଡ଼ି ଓ ଆଳୁର ଫେସ୍‌ପ୍ୟାକ୍ ମଧ୍ୟ ଉପଯୋଗୀ ହୋଇଥାଏ। ତ୍ବଚାର ସୌନ୍ଦର୍ଯ୍ୟ ପାଇଁ ଅଧିକ ପରିମାଣରେ ଜଳୀୟ ଅଂଶ ଥିବା ଖାଦ୍ୟ ଖାଇବା ଆବଶ୍ୟକ। ତେବେ ସବୁଠୁ ବଡ଼କଥା ହେଉଛି, ଖରାରେ ବାହାରକୁ ବାହାରିଲେ ଗ୍ଲୋଭ୍, ଜୋତା, ଚଷମା ଓ କଟନ ଓଢଣୀରେ ମୁହଁକୁ ଢାଙ୍କିବା ନିହାତି ଦରକାର।’’

Advertisment

ବଢ଼ି ଯାଇଛି ଟୋପି ବିକ୍ରି
ଏମିତି ଦେଖିଲେ ରାଜଧାନୀରେ ବ‌ର୍ଷତମାମ ଟୋପି ବିକ୍ରି ଚାଲିଥାଏ। କିନ୍ତୁ ଖରା ଆସିଲେ ଚାହିଦା ଦ୍ବିଗୁଣିତ କି ଆହୁରି ଅଧିକ ବଢ଼ିଯାଏ। ଏଥର ବି ଖରାର ପ୍ରକୋପ ବଢ଼ିଥିବାରୁ ଟୋପିର ବିକ୍ରି ବଢ଼ିଯାଇଛି। ଏଥର ଅଧିକ ବିକ୍ରି ହେଉଥିବା ଟୋପିଗୁଡ଼ିକ ହେଉଛି ସମର୍‌ କାଜୁଆଲ୍‌ କ୍ୟାପ୍‌, ବ୍ରସଡ୍‌ କଟନ୍‌ କ୍ୟାପ୍‌, ଫ୍ୟାନ୍‌ସି କ୍ୟାପ୍‌, କର୍ପୋରେଟ୍‌ ଗିଫ୍ଟ କ୍ୟାପ୍‌ ଓ କଟନ୍‌ କ୍ୟାପ୍‌। ରାଜଧାନୀର ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଟୋପି ବ୍ରାଣ୍ଡ୍‌ଗୁଡ଼ିକ ହେଉଛି ଆଲ୍‌ଭାରୋ, ବେସିକ୍ସ, ବ୍ଲୁବେରି, ବ୍ରେକ୍‌ ବାଉନ୍‌ସ, ସେଲିଓ, କଲମ୍ବିଆ, ଫ୍ୟାନ୍‌ ସିଜନ୍‌ସ୍‌, ହାଉଲ୍‌ ଆପାରେଲ୍‌, ଜିପ୍‌, ବ୍ୟାଟ୍‌ମ୍ୟାନ୍‌, କୁକ୍‌ ଏନ୍‌ ନିଚ୍‌ ସୁପରମ୍ୟାନ୍‌, ଲିଭାଇସ୍‌, ନଏଜ୍‌, ନାଇକ୍‌, ପୁମା, ରିବକ୍‌, ରୋଡ୍‌ଷ୍ଟାର୍‌, ନିଉ ଇରା, ବିମଲ୍‌, ଲାକୋଷ୍ଟେ ଓ ହାର୍ଲି-ଡାଭିଡ୍‌ସନ୍‌। ବଡ଼ ଷ୍ଟୋର୍‌ରେ ମିଳୁଥିବା ଏଭଳି ବ୍ରାଣ୍ଡେଡ୍‌ ଟୋପିର ଦାମ୍‌ ୪,୦୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ବାହାରେ ଛୋଟ ଛୋଟ ଦୋକାନ ଓ ଫୁଟ୍‌ପାଥ୍‌ରେ ମଧ୍ୟ ଟୋପି ମିଳୁଛି, ଯାହାର ଦାମ୍‌ ୧୦୦ ଟଙ୍କା ପାଖାପାଖି। ଏହାର ଚାହିଦା ମଧ୍ୟ କିଛି କମ୍‌ ନୁହେଁ।

ଖରା ପାଇଁ ବୁର୍‌ଖା ଲୁକ୍‌
ଖରାରେ ଯିବାବେଳେ ଯୁବତୀମାନେ ମୁହଁ ଘୋଡ଼ାଇ ଯିବାର ଦେଖିବାକୁ ମିଳୁଛି। ପ୍ରଖର ତାପରୁ ସୁରକ୍ଷା ପାଇଁ କଟନ ସ୍କାର୍ଫ ନେଇଛି ସ୍ୱତନ୍ତ୍ର ସ୍ଥାନ। ଏଥିପାଇଁ ବଜାରରେ ରଙ୍ଗବେରଙ୍ଗର ଭଳିକି ଭଳି ସ୍କାର୍ଫ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଖରାରୁ ରକ୍ଷା କରିବା ସହିତ ଷ୍ଟୋନ୍‌ ଵାର୍କ, ମିରର୍‌ ଵାର୍କ, ରାଜସ୍ଥାନୀ ପ୍ରିଣ୍ଟ୍‌, ବାଟି ପ୍ରିଣ୍ଟ୍‌ ସହ ଫ୍ଲୋରାଲ୍‌ ପ୍ରିଣ୍ଟ୍‌, ନେକ୍‌ଲେସ୍‌ ଷ୍ଟାଇଲ୍‌ ସ୍କାର୍ଫ ଆଦି ଫ୍ୟାସନେବଲ୍‌ ଲୁକ୍‌ ଦେଉଛି। ଜିନ୍‌ସ ଓ କୁର୍ତିରେ ପକାଇବା ପାଇଁ ବହୁ ଡିଜାଇନ୍‌ର ‌ଷ୍ଟୋଲ୍‌ ରାଜଧାନୀ ବଜାରରେ ଉପଲବ୍ଧ। ଏସବୁକୁ କିଣିବା ଲାଗି ଅଧିକାଂଶ ଲୋକ ବଡ଼ ଷ୍ଟୋର୍‌ ଅପେକ୍ଷା ସାଧାରଣ ଦୋକାନଗୁଡ଼ିକୁ ଯାଉଥିବାର ଦେଖାଯାଉଛି। ମାର୍କେଟ ବିଲ୍‌ଡିଂର ବ୍ୟବସାୟୀ ରଣେନ୍ଦ୍ର ସିଂହ କହିଲେ, ‘‘ଷ୍ଟୋଲ୍‌ର ଦାମ୍‌ ୧୦୦ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏବେ ଖରାରେ ବେଶି ମାତ୍ରାରେ ଧଳାରଙ୍ଗର ସ୍କାର୍ଫ ବିକ୍ରି ହେଉଛି। ବିଶେଷକରି ସମର କୋଟ୍‌କୁ ମହିଳାମାନେ ଅଧିକ ବ୍ୟବହାର କରୁଛନ୍ତି। ଏହାର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ ହୋଇ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।’’

ଚିରସବୁଜ କଳା ସନ୍‌ଗ୍ଲାସ୍‌
ଯୁବପିଢ଼ିଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଗ୍ରାଷ୍ମ ଆସିଲେ ‘ସନ୍‌ଗ୍ଲାସ୍‌’ର ଆଦର ଢ଼େର୍‌ ବଢ଼ିଯାଏ। ଏହା ଆଖିକୁ ଆଶ୍ୱସ୍ତି ଦେବା ସହ ଏକ ଷ୍ଟାଇଲିସ୍‌ ଲୁକ୍‌ ମଧ୍ୟ ଦେଇଥାଏ। ଖରାର ତାତି ଯୋଗୁଁ ବାହାରକୁ ବାହାରିବା କ୍ଷଣି ଆଖି ଜଳିବା, ଲୁହ ବୋହିବା ଆଦି ସମସ୍ୟା ଦେଖାଯାଉଥିବା ଦୃଷ୍ଟିରୁ ସନ୍‌ଗ୍ଲାସ୍‌ ଭାରି ଉପଯୋଗୀ। ବର୍ତ୍ତମାନ ରାଜଧାନୀରେ ବିଭିନ୍ନ ରଙ୍ଗର ସନଗ୍ଲାସ୍‌ର ଟ୍ରେଣ୍ଡ୍‌ ଚାଲିଛି। ଆଗରୁ ଏଠାରେ କେବଳ କଳାରଙ୍ଗର ସନ୍‌ଗ୍ଲାସ୍‌ ଲୋକେ ପିନ୍ଧୁଥିଲେ, କିନ୍ତୁ ଏବେ ରାଜଧାନୀର ରାସ୍ତାଘାଟରେ ନାଲି, ନୀଳ ଓ ଗୋଲାପୀରଙ୍ଗ ସହ ଏକାଧିକ ରଙ୍ଗ ମିଶା ସନ୍‌ଗ୍ଲାସ୍‌ ଲୋକେ ପିନ୍ଧୁଥିବାର ଦେଖା ଯାଉଛି। ମହିଳାମାନେ ଚଉଡ଼ା ଫ୍ରେମ୍‌ ବ୍ୟବହାର କରିବା ସହ ରେକ୍ଟାଙ୍ଗଲ୍‌ର ଚଶମା ମଧ୍ୟ ବ୍ୟବହାର କରୁଛନ୍ତି। ୟୁଭି ପ୍ରୋଟେକ୍ସନ୍‌ ଥିବା ଚଷମାକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି। ମିରର୍ କୋଟିଂ ଥିବା ମଲ୍ଟି କଲର୍‌ ସନ୍‌ଗ୍ଲାସ୍‌ ମଧ୍ୟ ଖୁବ୍‌ ଚାଲିଛି। ପୁଣି ଡୁଆଲ୍‌ ସେଡ୍‌ ସନ୍‌ଗ୍ଲାସ୍‌ ମଧ୍ୟ ଦେଖା ଯାଉଛି। ତେବେ କଳା ସନ୍‌ଗ୍ଲାସ୍‌ ଏବେବି ଆଦରରେ ସବା ଆଗରେ ରହିଛି। ରାଜଧାନୀରେ ଏବେ ରେ ବ୍ୟାନ୍‌, ଲେନ୍ସକାର୍ଟ, ଫାଷ୍ଟଟ୍ରାକ୍‌ ଓ ଟାଇଟନ୍‌ ଲୋକପ୍ରିୟ ବ୍ରାଣ୍ଡ୍‌ ସହିତ ପୋଲାରଇଡ୍‌, ମୌଜିମ୍‌, ଓକ୍‌ଲେ, ଜନ୍‌ ଜାକବ୍‌ସ ଆଦି ବ୍ରାଣ୍ଡ୍‌ର ଖରାଚଷମା ଅତି ସହଜରେ ଉପଲବ୍ଧ ହେଉଛି। ଏସବୁର ଦାମ୍‌ ୧,୫୦୦ରୁ ଆରମ୍ଭ କରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବା ତା’ଠାରୁ ଆହୁରି ଅଧିକ।