କ୍ୟାବିନ୍‌ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ନକଲି ବିଏମ୍‌ସି ମ୍ୟାନେଜର୍‌ ଗିରଫ

ଭୁବନେଶ୍ବର: ନିଜକୁ ବିଏମ୍‌ସି ମ୍ୟାନେଜର୍‌ ପରିଚୟ ଦେଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ଆଜି ସହିଦନଗର ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ସହିଦନଗର ଅଞ୍ଚଳର ବିକାଶ ସ୍ବାଇଁ। ସୂଚନା ମୁତାବକ, ଗତ ମାର୍ଚ୍ଚ ମାସରେ ସହିଦନଗର ଅଞ୍ଚଳର ପ୍ରତିମା ସାହୁ ନାମକ ଜଣେ ମହିଳାଙ୍କ ସହ ବିକାଶର ଚିହ୍ନା ପରିଚୟ ହୋଇଥିଲା। ସେତେବେଳେ ବିକାଶ ନିଜକୁ ବିଏମ୍‌ସି ମାର୍କେଟିଂ ଟିମ୍‌ର ମ୍ୟାନେଜର୍‌ ପରିଚୟ ଦେଇଥିଲା। ଏଥିପାଇଁ ନକଲି ପରିଚୟପତ୍ର ବି ଦେଖାଇଥିଲା। କିଛି ଦିନ କଥାବାର୍ତ୍ତା ହେବା ପରେ ତାଙ୍କୁ ବିଏମ୍‌ସି କ୍ୟାବିନ୍‌ କରାଇଦେବାର ଲୋଭ ଦେଖାଇଥିଲା ଓ ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ଲାଗିବ ବୋଲି କହିଥିଲା। ମହିଳାଜଣଙ୍କ ତା’ କଥାରେ ରାଜି ହୋଇ ବିଭିନ୍ନ ପର୍ଯ୍ୟାୟରେ ପାଖାପାଖି ଏକ ଲକ୍ଷ ୨୫ହଜାର ଟଙ୍କା ଦେଇଥିଲେ।

ବିକାଶ ଯେତେଥର ଟଙ୍କା ନେଇଥିଲା, ସେତେଥର ମହିଳାଙ୍କୁ ବିଏମ୍‌ସିର ନକଲି ରସିଦ୍‌ ମଧ୍ୟ ଦେଇଥିଲା। ତେବେ କିଛି ଦିନ ତଳେ ମହିଳାଜଣଙ୍କ କ୍ୟାବିନ୍‌ ପାଇଁ ଜିଦ୍‌ କରିବାରୁ ବିକାଶ କହିଥିଲା ଯେ ବାକି ୨୫ହଜାର ଟଙ୍କା ନ ଦେଲେ ସେ କ୍ୟାବିନ୍‌ କ୍ୟା‌ନ୍ସେଲ୍‌ କରିଦେବ। ଏମିତି ବାରମ୍ବାର ଧମକ ଦେବାରୁ ମହିଳାଙ୍କ ସନ୍ଦେହ ହୋଇଥିଲା ଓ ସେ ବିଏମ୍‌ସି ଅଫିସ୍‌କୁ ଯାଇ ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ହେଲେ ସେଠାରେ ରସିଦ୍‌ଗୁଡ଼ିକ ନକଲି ବୋଲି ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାର ରିଖିଥିଲା। ଆଜି ପୁଲିସ ତା’ ଘରେ ଚଢ଼ଉ କରି ତାକୁ ଗିରଫ କରିବା ସହ କେତେକ ନକଲି କାଜପତ୍ର, ପରିଚୟପତ୍ର ଜବତ କରିଥିଲା। ଥାନାକୁ ଆଣି ପଚରା ଉଚରା କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ଜେରା ବେଳେ ଜଣାପଡ଼ିଛି ଯେ ପୂର୍ବରୁ ମଧ୍ୟ ସେ କ୍ୟାବିନ୍‌ ଦେବାକୁ କହି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଛି। ତା’ ନାଁରେ ୪ଟି ମାମଲା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର