ଆଉ ଏକ ମୁଣ୍ଡ ନେଲା ପାରିବାରିକ ବିବାଦ: ସପ୍ତାହକରେ ୬ ଜୀବନ ଗଲା

ଭୁବନେଶ୍ବର: ରାଜଧାନୀରେ ପୁଣି ଏକ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ବର ଅଞ୍ଚଳରେ ଘଟିଥିବା ଦୁଇ ଦୁଇଟି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣା ମନରୁ ନ ଯାଉଣୁ ପୁଣି ରାଜଧାନୀବାସୀ ଦେଖିଛନ୍ତି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ। ଗତକାଲି ରାତିରେ ସହିଦନଗର ଥାନା ବାସୁଆଘାଇ ଦୁର୍ଗାପୁରପାଟଣା ଗାଁରେ ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସ ସ୍ତ୍ରୀ ଲିଲିଙ୍କୁ ନିର୍ଦ୍ଦୟ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ ଅଶାନ୍ତିରୁ ଗୋଟିଏ ସପ୍ତାହ ଭିତରେ ୬ଟି ମୁଣ୍ଡ ଗଡ଼ିବା ଭଳି ଅଭାବନୀୟ କାଣ୍ଡ ରାଜଧାନୀବାସୀଙ୍କୁ ହତଚକିତ କରିଛି। ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।

ଗତ ୨୦ ତାରିଖ‌ ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିଲା ଏକ ଛାତିଥରା ହତ୍ୟାକାଣ୍ଡ। କିନ୍ତୁ କଥା ପ୍ରଘଟ ହେଲା ୨୩ ତାରିଖ ସକାଳେ। ନୀଳାଦ୍ରିବିହାର ଅଞ୍ଚଳରୁ ପୁଲିସ ଏକ ବନ୍ଦ ଘରୁ ଦୁଇଟିଯାକ ଗଳିତ ଶବ ଉଦ୍ଧାର କରିଥିଲା। ଅଭିଯୁକ୍ତ ବିଜୟ ସେଠୀ ନିଜ ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ ମାରଣାସ୍ତ୍ରେ ହାଣି ହତ୍ୟା କରିଥିବା ଜଣାପଡ଼ିଥିଲା। ଶବଦ୍ବୟକୁ ବାହାରେ ଫିଙ୍ଗିବା ପୂର୍ବରୁ ଲୋକେ ବିଜୟକୁ ଧରି ପୁଲିସ ଜିମା ଦେଇଥିଲେ। ଅଭିଯୁକ୍ତ ବିଜୟ ହତ୍ୟା କରିଥିବା ସ୍ବୀକାର କରିଥିଲା ଓ ଏହା ପଛ‌ରେ ପାରିବାରିକ କଳହ ମୂଳ କାରଣ ବୋଲି କହିଥିଲା। ନିଃସନ୍ତାନ ଥିବାରୁ ଶ୍ବଶୁର ଘରର ଲାଞ୍ଛନା ଓ ଧାରକରଜ କରି ଶାଳୀ ବାହାଘର କରିବା ପରେ ବି କରଜ ସୁଝିବାରେ କେହି ସହଯୋଗ ନକରିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏଭଳି କାଣ୍ଡ କରିଥିଲା ବୋଲି ମାନିଯାଇଥିଲା।

୨୮ ତାରିଖ ରାତିରେ ଘଟିଥିଲା ଆଉ ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରୁ ଏକ ୧୫ ମାସର କୁନି ଝିଅ ସହ ଦମ୍ପତିଙ୍କ ଶବ ଜବତ କରାଯାଇଥିଲା। ୩ଟି ଯାକ ଶବ ବନ୍ଦ ଘରର ସ୍କାଏଲାଇଟ୍‌ରୁ ପାଖାପାଖି ହୋଇ ଝୁଲୁଥିଲା। ମହାରାଷ୍ଟ୍ରର ଗୋଟିଏ ପରିବାର ପୂରା ନିଶ୍ଚିହ୍ନ ହୋଇଯାଇଥିଲା। ମୃତକମାନେ ଥିଲେ ତୁଷାର ଜଗତପ, ତାଙ୍କ ସ୍ତ୍ରୀ ନୀଲା ଓ କୁନି ଝିଅ ଶିବନ୍ୟା। ପ୍ରଥମେ ଏହା ଏକ ଗଣ ଆତ୍ମହତ୍ୟା ବୋଲି ମନେ କରାଯାଉଥିଲେ ବି କୁନିଝିଅର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଥିଲା। କୁନି ଝିଅଟି ଆତ୍ମହତ୍ୟା କରିବା ଗ୍ରହଣଯୋଗ୍ୟ ହୋଇନଥିବାରୁ ତାକୁ ହତ୍ୟା କରିବା ପରେ ଦମ୍ପତି ଆତ୍ମହତ୍ୟା କରିଥିବା ଆପାତତଃ ସ୍ପଷ୍ଟ ହୋଇଥିଲା। ସେହିଭଳି ଝୁଲୁଥିବା ଅବସ୍ଥାରେ ମା’ ନୀଲାଙ୍କ ଗୋଟିଏ ହାତ ଶିବନ୍ୟାକୁ ଧରିଥିବାରୁ ଭିନ୍ନ କଥା ଉଠିଥିଲା।

ତୁଷାର ମା’ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ତେବ‌େ ଏହି ଘଟଣା ପ‌ଛରେ ବି ପାରିବାରିକ ବିବାଦ ଥିବା ସ୍ପଷ୍ଟ ହୋଇଛି। ତୁଷାରଙ୍କ ବାପା ଦ୍ବିତୀୟ ପତ୍ନୀଙ୍କ ନାମରେ ସବୁ ସମ୍ପତ୍ତି କରିବା ସହ ତାଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିଥିଲେ। ଏହାକୁ ନେଇ ତୁଷାର ଓ ତାଙ୍କ ସ୍ତ୍ରୀ ନୀଲାଙ୍କ ମଧ୍ୟରେ ବହୁ ସମୟରେ ପାଟିତୁଣ୍ଡ ହେଉଥିଲା। ତେଣୁ ମାନସିକ ଭାରସାମ୍ୟ ହରାଇ ତୁଷାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଇଛି।

ସେହିଭଳି ଗତକାଲି ବାସୁଆଘାଇର ଘଟଣା ପଛରେ ବି ପାରିବାରିକ ବିବାଦ କଥା ଚର୍ଚ୍ଚା ହେଉଛି। ଅଭିଯୁକ୍ତ ସୌଭାଗ୍ୟ ଦାସ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ। ପରକୀୟାପ୍ରୀତିର ବଶବର୍ତ୍ତୀ ହୋଇ ତା’ ପ୍ରଥମ ସ୍ତ୍ରୀ ଆଉ ଜଣେ ଯୁବକଙ୍କ ସହ ଫେରାର୍ ହୋଇଯାଇଥିଲେ। ଏହା ପରେ ତା’ ମାନସିକସ୍ଥିତି ବିଗିଡ଼ି ଯାଇଥିଲା। ତେବେ ୨୦୧୭ ମସିହାରେ ସେ ପୁଣି ବିବାହ କରିଥିଲେ। ସୌଭାଗ୍ୟ ବାବଦରେ ସବୁ ଜାଣି ବି ଦଶପଲ୍ଲାର ଲିଲି ତା’ ହାତ ଧରିଥିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ବି ସେ ପୂରା ସୁସ୍ଥ ହୋଇନଥିଲା‌।

ପ୍ରାୟ ୯୦ ପ୍ରତିଶତ ସୁସ୍ଥ ହୋଇଥିଲେ ମଧ୍ୟ ଅନେକ ସମୟରେ ପରିବାର ଲୋକଙ୍କୁ ମାର୍‌ଧର କରୁଥିଲା। ତେଣୁ ଗୋଟିଏ ଗାଁରେ ରହି ବି ବାପାମା’ ତା’ଠାରୁ ଅଲଗା ହୋଇ ରହୁଥିଲେ। ଗତକାଲି ରାତିରେ ସୌଭାଗ୍ୟର ମୁଣ୍ଡ ପୁଣି ବିଗିଡ଼ି ଯାଇଥିଲା। ତେଣୁ ବାପାଙ୍କୁ ନିର୍ଘାତ ମାଡ଼ ମାରିବା ପରେ ସ୍ତ୍ରୀ ଲିଲିଙ୍କୁ ବି ସେ ମାଡ଼ ମାରିଥିବା ଗାଁ ଲୋକେ କହିଛନ୍ତି। ଲିଲିଙ୍କ ବାପା ଭଗବାନ ଦାସ ସହିଦନଗର ଥାନା‌ରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ ଅଭିଯୁକ୍ତ ସୌଭାଗ୍ୟକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର