ଭୁବନେଶ୍ୱର: ଛୁଆଙ୍କ କଳିରୁ ଦୁଇ ପରିବାର ମଧ୍ୟରେ ମାର୍‌ପିଟ୍‌ ଲାଗି ଉଭୟ ପରିବାରରୁ ୪ ଜଣ ଆହତ ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବାରୁ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ଗୁରୁବାର ଅପରାହ୍ଣରେ ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ହଳଦୀପଡ଼ିଆ ବସ୍ତିରେ ଦୁଇ ନାବାଳିକା ଖେଳୁଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟ ପରିବାରର ଲୋକମାନେ ପାଟିତୁଣ୍ଡ ହୋଇଥିଲେ। ପାଟିତୁଣ୍ଡ ଏତେ ବଢ଼ିଯାଇଥିଲା ଯେ ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ଉଭୟ ପକ୍ଷରୁ ଚାର ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବାର ପାଇ ଳକ୍ଷ୍ମୀସାଗର ଥାନା ପୁଲିସ ଘଟଣସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ଉଭୟ ପରିବାର ଆଜି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଯଥା ଶୀଘ୍ର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଲକ୍ଷ୍ମୀସାଗର ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।