ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅବ୍ୟବସ୍ଥା : ଫେରିଗଲେ ୨୦ ମହିଳା

ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ ‌କେନ୍ଦ୍ରରେ ଆଜି ଅନୁଷ୍ଠିତ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା। ଫଳରେ ଶିବିରକୁ ଅସ୍ତ୍ରୋପଚାର ପାଇଁ ଆସିଥିବା ୫୦ ଜଣ ମହିଳାଙ୍କ ମଧ୍ୟରୁ ୨୦ ଜଣ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏନେଇ ଶିବିରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପିଏଚ୍‌ଇଓ ସନ୍ତୋଷ କୁମାର ସେଠୀଙ୍କ ସୂଚନାନୁଯାୟୀ ଅକ୍ଟୋବର ମାସରୁ ଆଜିଯାଏ ଏଠାରେ ଶିବିର ହୋଇ ନଥିଲା। ପୂର୍ବରୁ ଖୋର୍ଧା ମୁଖ୍ୟ ଚିକିତ୍ସାଳୟରୁ ସ୍ତ୍ରୀରୋଗ ବିଶେଷଜ୍ଞମାନେ ଆସି ଏଠାରେ ଅସ୍ତ୍ରୋପଚାର କରୁଥିଲେ। ହେଲେ ଏବେ ଡାକ୍ତର ଅଭାବ ଯୋଗୁ ଆଜି କ୍ୟାପିଟାଲ ହସ୍ପିଟାଲରୁ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ଚିତ୍ତରଂଜନ ପାତ୍ର ଡେପୁଟେସନ୍‌ରେ ଆସିଥିଲେ। ବାଲିଅନ୍ତା ବ୍ଲକର ୧୬ଟି ପଞ୍ଚାୟତରୁ ଆସିଥିବା ୫୦ ମହିଳାଙ୍କ ମଧ୍ୟରୁ ୩୦ ଜଣଙ୍କର ଅସ୍ତ୍ରୋପଚାର ହୋଇଥିଲା। ତେବେ ଦୁଇ ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ ଶିବିର ପରିଚାଳନାରେ କୌଣସି ସମସ୍ୟା ଉପୁଜି ନଥା’ନ୍ତା ବୋଲି ଆଉଟଡୋର୍‌ ଦାୟିତ୍ବରେ ଥିବା ଜଣେ ଡାକ୍ତର କହିଛନ୍ତି। ଆଗାମୀ ଶିବିର ଆୟୋଜନ ସମୟରେ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର