୩୦ହଜାର କୁକୁର ବନ୍ଧ୍ୟାକରଣ ପାଇଁ ନୀଳ ନକ୍ସା, ଦିନକୁ ୩୦, ମାସକୁ ୬୦୦ କୁକୁରଙ୍କର ହେବ ଅପରେସନ୍‌, ଖେଚୁଡି ଓ ଡାଲି ଖାଇ ରହିବେ

ଭୁବନେଶ୍ବର : ରାଜଧାନୀରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଥିବା ବେଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ ବିଏମ୍‌ସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରାଣୀ ଜନ୍ମ ନିୟନ୍ତ୍ରଣ (ଏବିସି) ଯୋଜନାରେ ବିଏମ୍‌ସି ରାଜଧାନୀରେ ବନ୍ଧ୍ୟାକରଣ ହୋଇନଥିବା ପ୍ରାୟ ୩୦ହଜାର କୁକୁରଙ୍କର ଅପରେସନ୍ କରିବାକୁ ଲକ୍ଷ୍ୟ ରଖିଛି।

ରାଜଧାନୀରେ ଦୁର୍ଘଟଣାର ଏକ ପ୍ରମୁଖ କାରଣ ପାଲଟିଥିବା ବୁଲା କୁକୁର ବଂଶବୃଦ୍ଧି ଉପରେ ରୋକ୍‌ ଲଗାଇବା ପାଇଁ ବିଏମ୍‌ସି ପକ୍ଷରୁ ଆଜି ଏକ ବୈଠକ ବସି ରୋଡ୍‌ ମ୍ୟାପ୍ ପ୍ରସ୍ତୁତ ହୋଇଛି। ସରକାରଙ୍କ ହିସାବ ଅନୁଯାୟୀ, ପ୍ରତି ୧୦୦ ଲୋକରେ ୩ଜଣ ବୁଲା କୁକୁର ଭୁବନେଶ୍ବରରେ ଅଛନ୍ତି। ୨୦୧୫ର ଗଣନା ଅନୁଯାୟୀ ରାଜଧାନୀରେ ସେତେବେଳେ ୪୬ ହଜାର ବୁଲା କୁକୁର ଥିଲେ। ୨୦୦୮ରୁ ଏବିସି କାର୍ଯ୍ୟକ୍ରମରେ କୁକରୁଙ୍କ ବନ୍ଧ୍ୟାକରଣ କରାଯାଇଥିବା ବେଳେ ଅଗଷ୍ଟ ସୁଦ୍ଧା ୨୧,୬୦୦ କୁକୁରଙ୍କ ବନ୍ଧ୍ୟାକରଣ ହୋଇଛି। କିନ୍ତୁ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ଆଉ ପ୍ରାୟ ୫ହଜାର କୁକୁର ବଢ଼ିଥିବା ଅନୁମାନ କରାଯାଉଥିବା ବେଳେ ଏବେ ପ୍ରାୟ ୩୦ହଜାର କୁକୁରଙ୍କର ବନ୍ଧ୍ୟାକରଣ କରାଯିବା ଯୋଜନା ହୋଇଛି।

ବିଏମ୍‌ସିର ଯୋଜନା ଅନୁଯାୟୀ, ପ୍ରତିଦିନ ସକାଳ ୫ଟାରୁ ବୁଲା କୁକୁର ଧରା ଅଭିଯାନ ଆରମ୍ଭ ହେବ। ଦୁଇଟି ଟିମ୍ ୱାର୍ଡରୁ ୱାର୍ଡ ବୁଲି କୁକୁରଙ୍କୁ ଧରିବେ। ପ୍ରତ୍ୟେକ ଟିମ୍‌ରେ ଜଣେ ଡାକ୍ତର, ଦୁଇ ଜଣ ଧରାଳି, ଜଣେ ସହାୟକ ଏବଂ ଜଣେ ଡ୍ରାଇଭର୍‌ ରହିବେ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ଏହି ଟିମ୍ କାମ କରିବ। ମାସକୁ ପ୍ରାୟ ୨୦ଦିନ ଏହି ଟିମ୍ ବୁଲି ବୁଲି କୁକୁର ଧରିବ। ଦିନକୁ ୩୦ଟି କୁକୁର ଧରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହିପରି ମାସକରେ ୬୦୦ କୁକୁର ଧରି ଅସ୍ତ୍ରୋପଚାର କରିବାକୁ ଯୋଜନା ଅଛି।

ନଗର ଉନ୍ନୟନ ବିଭାଗର ଯୋଜନା ଅନୁଯାୟୀ ପ୍ରତି କୁକୁର ପିଛା ଦିନକୁ ୫୦୦ଟଙ୍କା ହିସାବରେ ଖର୍ଚ୍ଚ ହେବ। କୁକୁର ଧରିବାଠାରୁ ଆରମ୍ଭ କରି ତାକୁ ଶ୍ବାନଗୃହରେ ରଖି ଅସ୍ତ୍ରୋପଚାର କରିବା, ସମସ୍ତ ଚିକିତ୍ସା କରିବା, ୫ଦିନ ରଖି ଖାଇବା ପିଇବା ଦେବା ଏବଂ ତାକୁ ପୁଣି ଛାଡ଼ିବା ବାବଦକୁ ଖର୍ଚ୍ଚ ହେବ। କୁକୁରକୁ ଶ୍ବାନଗୃହରେ ରଖିବା ସମୟରେ ଦି’ଓଳି ଖେଚୁଡି ଓ ଡାଲି ଖାଇବାକୁ ଦିଆଯିବ। ୫ଦିନରେ ୪୦୦ଗ୍ରାମ୍‌ ଚାଉଳର ଖେଚୁଡ଼ି ଏବଂ ୧୦୦ଗ୍ରାମ୍‌ ଡାଲି ଖାଇବାକୁ ଦିଆଯିବ। କୁକୁରକୁ ଛାଡ଼ିବା ପୂର୍ବରୁ ତାକୁ ଆଣ୍ଟି ରାବିସ୍‌ ଟିକା ଦିଆଯିବ। ଫଳରେ ଏହି କୁକୁର କାମୁଡ଼ିଲେ ଲୋକଙ୍କୁ ଜଳାନ୍ତକ ରୋଗ ହେବ ନାହିଁ।

ସମ୍ବନ୍ଧିତ ଖବର