ଭୁବନେଶ୍ବର: ଆଜି ଝାରପଡ଼ା ଜେଲ ଭିତରେ ପଶି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଆହତ ସୌମ୍ୟକାନ୍ତଙ୍କ ବୟାନ ରେକର୍ଡ କରିଛି। ଏହାସହ ସୌମ୍ୟକାନ୍ତଙ୍କ ବିଭିନ୍ନ ଦସ୍ତାବିଜ ଓ ମେଡିକାଲ ରିପୋର୍ଟ ସଂଗ୍ରହ କରିଛି। ପୁଣି ତଦନ୍ତ କରିବାକୁ ଜେଲକୁ ଯିବ ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଦୁଇଦିନ ତଳେ ସୌମ୍ୟକାନ୍ତଙ୍କ ଅଡିଓ ଭାଇରାଲ ହୋଇଥିଲା। ଅଡିଓରେ ସୌମ୍ୟକାନ୍ତ ଜେଲ ଡିଆଇଜିଙ୍କ ତଦନ୍ତରେ ସନ୍ତୁଷ୍ଟ ନଥିବା କହିବା ସହିତ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ କାହିଁକି ତଦନ୍ତ ଆରମ୍ଭ କରୁନାହିଁ ବୋଲି ପ୍ରଶ୍ନ ଉଠାଇ ଥିଲେ। ଏହାପରେ ଗତକାଲି ଅପରାହ୍ଣ ସମୟରେ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ଟିମ୍‌ ଜେଲ୍‌କୁ ଯାଇଥିଲେ। କିନ୍ତୁ ଜେଲ୍‌ ମଧ୍ୟରେ ଜେଲର୍‌ ଓ ‌ଡାକ୍ତର ଉପସ୍ଥିତ ନଥିବାରୁ ସେମାନେ ଫେରି ଆସିଥିଲେ। ଆଜି ପୁଣି ଟିମ୍‌ ଝାରପଡ଼ା ଜେଲ୍‌କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ଜେଲ୍‌ ଡାକ୍ତରଙ୍କ ନିକଟରୁ ସୌମ୍ୟକାନ୍ତଙ୍କ ରିପୋର୍ଟ ସଂଗ୍ରହ କରିବା ସହିତ ତାଙ୍କ ସେଲ୍‌କୁ ଯାଇ ପ୍ରାୟ ଏକଘଣ୍ଟା ଧରି ପଚରାଉଚରା କରିଥିଲେ। ପଚରାଉଚରା ବେଳେ ଆକ୍ରମଣ ମାମଲାରେ ସଂପୃକ୍ତ ବିଭିନ୍ନ କଏଦୀଙ୍କ ନାମ ସେ ଗୋଟିଗୋଟି କରି କହିଛନ୍ତି। ବୟାନରେ ପ୍ରାୟ ୧୫ ଜଣ କଏଦୀଙ୍କ ନାମ କହିଥିବା ଜଣାପଡ଼ିଛି। ଜେଲ୍‌ ମଧ୍ୟରେ ଚାଲିଥିବା ବିଭିନ୍ନ ବେଆଇନ କାମର ଗୁମର ମଧ୍ୟ ପୁଲିସ ନିକଟରେ ଖୋଲିଛନ୍ତି। ପୁଲିସ ଘଟଣା ଘଟିବା ସମୟରେ ଉପସ୍ଥିତ ୱାର୍ଡର ଓ ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରି ବୟାନ ରେକର୍ଡ କରିଛି। ଅନ୍ୟପକ୍ଷରେ ଆକ୍ରମଣକାରୀ କଏଦୀମାନଙ୍କୁ ପଚରାଉଚରା ପାଇଁ ପୁଲିସ କୋର୍ଟକୁ ଅନୁମତି ମାଗିଛି। ତା’ପରେ ଭାରତୀୟ ନ୍ୟା‌ୟ ସଂହିତା ଅନୁସାରେ ପୁଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବ ବୋଲି ଜଣାପଡ଼ିଛି। 

Advertisment

ଝାରପଡ଼ା ଜେଲ ମଧ୍ୟରେ କିଭଳି କଏଦୀମାନଙ୍କ ଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରାଯାଉଥିଲା ତାହାର ଆଉ ଏକ ଉଦାହରଣ ମିଳିଛି। ଭିଜିଲାନ୍ସ ଦ୍ବାର‌ା ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଧରାପଡ଼ିଥିବା ଝାରପଡ଼ା ଜେଲ୍‌ର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କ ବିରୋଧରେ ଭିଜିଲାନ୍ସରେ ଗତବର୍ଷ ନଭେମ୍ବର ମାସରେ ହୋଇଥିବା ଏକ ଅଭିଯୋଗରୁ ଏହା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, କଲିକତାର ଲକ୍ଷ୍ମଣ ଶ୍ରୀନିବାସ ୨୦୨୨ ଅକ୍ଟୋବର ମାସରୁ ୨୦୨୩ ମାସ ଅକ୍ଟୋବର ମାସ ପର୍ଯ୍ୟନ୍ତ ସେ ଝାରପଡ଼ା ଜେଲ୍‌ରେ ଏକ ବର୍ଷ ଧରି ବିଚାରାଧୀନ କଏଦୀ ଭାବରେ ରହିଥି‌ଲେ। ସେ ଡାଇବେଟିସ୍ ‌ଟାଇପ-୨ ଅନ୍ୟ ଏକାଧିକ ରୋଗରେ ଆକ୍ରାନ୍ତ ଥିଲେ। ଜେଲ୍‌ ଭିତରେ ସେ ଗୁରୁତର ହୋଇଯିବାରୁ ତାଙ୍କୁ ଅନେକ ସମୟରେ ଭୁବନେଶ୍ବର ଓ କଟକର ବଡ଼ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଉଥିଲା। ସେହି ସମୟରେ ଜେଲ୍‌ ଡାକ୍ତରଖାନାରେ ନିୟୋଜିତ ଥିବା ଫାର୍ମ‌ାସିଷ୍ଟ ଭଲ ଚିକିତ୍ସା ପାଇଁ ତାଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଜେଲ୍‌ରେ ସଢ଼ିବାକୁ ଚେତାବନୀ ବି ଦେଇଥିଲେ।

ଏନେଇ ଲକ୍ଷ୍ମଣ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ଜେଲ ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁ ତାଙ୍କୁ ଆଇସୋଲେଟେଡ୍ ‌ସେଲ୍‌କୁ ପଠାଇ ଦିଆ‌ଯିବ ଏବଂ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଇ ଦିଆଯିବ ନାହିଁ  ବୋଲି ଚେତାବନୀ ଦେଇଥିଲେ। ଏହାପରେ ଫାର୍ମାସିଷ୍ଟ ମାସକୁ ୩ ଲକ୍ଷ ୭୫ ହଜାର ଟଙ୍କା ଦାବିକରିଥିଲେ ଓ ନଭେ‌ମ୍ବର ମାସରେ ସେତିକି ନେଇଥିଲେ ମଧ୍ୟ। କିନ୍ତୁ ଡିସେମ୍ବର ମାସରୁ ଆହୁରି ଅଧିକ ଟଙ୍କା ମାଗିଥିଲେ। କେବଳ ସେତିକି ନୁହେଁ, ତାଙ୍କର ଓ ଅଧୀକ୍ଷକଙ୍କ ପରିବାର ବାହାରକୁ ବୁଲିଯିବାଲାଗି ଟଙ୍କା ଦାବି କରିଥିଲେ। ଲକ୍ଷ୍ମଣଙ୍କ ପରିବାର ବାଧ୍ୟ ହୋଇ ଫାର୍ମାସିଷ୍ଟ ଓ ଅଧୀକ୍ଷକଙ୍କ ପରିବାର ବାହାରକୁ ବୁଲିଯିବାର ସବୁ ଖର୍ଚ୍ଚ ୨୦୨୨ ଡିସେମ୍ବର ମାସରେ ଦେଇଥିଲେ। ମାମଲା ସେତିକିରେ ଶେଷ ହୋଇନଥିଲା, ଏହାର କିଛି ମାସ ପରେ ଫାର୍ମାସିଷ୍ଟ ମାସିକ ବଟିର ପରିମାଣ ଆହୁରି ବଢ଼ାଇ ୫ ଲକ୍ଷ କରି ଦେଇଥିଲେ। ଏସବୁ ସେତେବେଳର ଜେଲ୍‌ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ହେଉଥିବା ଲକ୍ଷ୍ମଣ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। 

ଝାରପଡ଼ା ଜେଲ୍‌ ମଧ୍ୟରେ ଏଭଳି ପୂର୍ବରୁ ହୋଇ ଆସୁଛି। ଏନେଇ କଏଦୀମାନେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି, ନଚେତ୍‌ ଜେଲ୍‌ରୁ ବାହାରିବା ପରେ ସେମାନେ ଅଭିଯୋଗ କରିଛନ୍ତି। କିନ୍ତୁ ଜେଲ୍‌ ବିଭାଗର ଉପରିସ୍ଥ କର୍ମଚାରୀମାନେ ସବୁ ଜାଣି ଚୁପ ହୋଇ ରହିଯାଉଥିଲେ ବା ମାମଲାକୁ ଦବାଇ ‌ଦେଉଥିଲେ। ଚଳିତ ବର୍ଷ ଜେଲ୍‌ ମଧ୍ୟରେ ବାରମ୍ବାର ଗୋଷ୍ଠୀ ସଂଘ‌ର୍ଷ ହେବା କାରଣରୁ ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁଙ୍କର ବଦଳି ହୋଇଥିଲା। କିନ୍ତୁ ତା’ପରେ ଏବେ ଯେଉଁ ଅଧୀକ୍ଷକ ଦାୟିତ୍ବରେ ଅଛନ୍ତି, ତାଙ୍କ ବିରୋଧରେ ମଧ୍ୟ ଭଲ କୋଠରି ଓ ନିଶାଦ୍ରବ୍ୟ କାରବାର ପାଇଁ ଟଙ୍କା ମଗାଯାଉଥିବା ଅଭିଯୋଗ ଆସିଛି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ ହୋଇଛି। ଏସବୁ ବିଭାଗକୁ ଢେର ବଦନାମ କରିଛି। ତେଣୁ ପୂର୍ବଭଳି ଏଥର ଅଧିକାରୀଙ୍କୁ କେବଳ ବଦଳି କରିଦେଇ ବିଭାଗ ଚୁପ୍‌ ହୋଇଯିବ ନା ଦୃଷ୍ଟାନ୍ତମୂଳକ କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରିବ, ଏହା ଉପରେ ସମସ୍ତଙ୍କର ନଜର ରହିଛି।