ବାରଙ୍ଗ: ବାରଙ୍ଗ ଥାନାସ୍ଥ ରତାଗଡ ଲେଙ୍କାସାହିର ସୋମନାଥ ରାଉଳ (୨୯) ନିଖୋଜ ହେବାର ୧୭ ମାସ ପରେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛି ପରିବାର। ସୋମନାଥଙ୍କ ବଡଭାଇ କାଳିନ୍ଦୀ ବା କାଳିଆ ରାଉଳଙ୍କ କହିବାକଥା, ସେ ମଞ୍ଚେଶ୍ବରର ଏକ ସଂସ୍ଥାରେ କାମ କରନ୍ତି। ସାନଭାଇ ସୋମନାଥ ତାଙ୍କ ପାଖରେ ରହି ଘୁଷୁରି ଜଗାରଖା କାମ କରୁଥିଲେ। ହେଷଲ ବର୍ଷେ ୭ମାସ ତଳେ ଦିନେ ରହିବାସ୍ଥାନକୁ ଫେରି ନଥିଲେ। ଗାଁକୁ ବି ଆସି ନଥିଲେ। ପ୍ରାୟ ୧୫ ଦିନ ଦିନ ପର୍ଯ୍ୟନ୍ତ ବହୁ ଖୋଜାଖୋଜି ଓ ପଚରାଉଚରା ପରେ ବି କିଛି ସନ୍ଧାନ ମିଳି ନଥିଲା। ତେଣୁ ସେ ବାରଙ୍ଗ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ଭାଇ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ନିଖୋଜ ହୋଇ ଥିବାରୁ ତାଙ୍କୁ ମଞ୍ଚେଶ୍ବର ଥାନାକୁ ଯିବାଲାଗି ବାରଙ୍ଗ ଥାନାରେ କୁହା ଯାଇଥିଲା। ସୋମନାଥ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ନିଖୋଜ ମାମଲା ରୁଜୁକରି ଅନୁସନ୍ଧାନ କରିଥିଲା। ସନ୍ଦେହରେ ଦୁଇଜଣଙ୍କୁ ମଞ୍ଚେଶ୍ବର ଥାନାକୁ ଆଣି ଜେରା ମଧ୍ୟ କରା ଯାଇଥିଲା। ହେଲେ ନିଖୋଜ ସୋମନାଥଙ୍କର ସୂଚନା ମିଳି ନଥିଲା। ଏହାପରେ ପରିବା ପକ୍ଷରୁ ବ୍ୟକ୍ତିଗତ ଭାବେ ଆହୁରି ଖୋଜା ଯାଇଥିଲା। କିନ୍ତୁ କିଛି ଫଳ ନମିଳିବାରୁ ସେ ଫେରିବାର ଆଶା ପରିବାର ଏକ ପ୍ରକାର ଛାଡି ଦେଇଥିଲା।
ତେବେ ସୋମନାଥ ନିଖୋଜ ଥିବାବେଳେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କର ୮ ବର୍ଷର ଝିଅ ଓ ୫ ବର୍ଷର ପୁଅ ଏବେ କାଳିଆଙ୍କ ପାଖରେ ରହୁଛନ୍ତି। ଏମିତି ସମୟରେ ମୋବାଇଲ୍ରେ କୌଣସିସୂତ୍ରରୁ ପାଇ କାଳିଆ ଏକ ୟୁଟ୍ୟୁବ୍ ଚାନେଲ୍ର ଭିଡିଓକୁ ଦେଖିଥିଲେ। ସେ ଭିଡିଓରେ ଜଣେ ଯୁବକ ଏକ ପିଚୁଡ୍ରମ୍ ଭିତରେ ଫସି ରହିଥିଲା ଓ ତାକୁ ଉଦ୍ଧାର କରିବା ଲାଗି ଗୁହାରି କରୁଥିଲା। ସେ ଭିଡିଓଟି ଦେଖିବା କ୍ଷଣି ସେ ତାଙ୍କର ନିଖୋଜ ସାନଭାଇ ସୋମନାଥ ବୋଲି କାଳିଆ ଚିହ୍ନି ପାରିଥିଲେ। ତାଙ୍କ ନିଖୋଜ ଭାଇର ଭିଡିଓ ୟୁଟ୍ୟୁବରେ ଘୁରି ବୁଲୁଥିବା ମଞ୍ଚେଶ୍ବର ଥାନାକୁ ଯାଇ ପୁଲିସକୁ ସୂଚନା ଦେଇ ତାକୁ ଫେରାଇ ଆଣିବାକୁ ଗୁହାରି କରିଥିଲେ। ମଞ୍ଚେଶ୍ବର ପୁଲିସ ମାମଲାଟିକୁ ଭୁବନେଶ୍ବର ସାଇବର ଅପରାଧ ଥାନାକୁ ପଠାଇଛି। ସାଇବର ଥାନା ପୁଲିସ ମାମଲା ରୁଜୁକରି ଭିଡିଓଟିର ଲିଙ୍କ୍କୁ ଆଧାର କରି ତଦନ୍ତ କରୁଛି। ଭିଡିଓଟି କାହା ପାଖରୁ ଓ କେଉଁ ଠିକଣାରୁ ଆସିଛି, ତାକୁ ଚିହ୍ନଟ କରି ନିଖୋଜ ସୋମନାଥଙ୍କୁ ଉଦ୍ଧାର କରିବା ଲାଗି ସାଇବର ପୁଲିସ ତଦନ୍ତ ଜାରି ରଖିଛି।