ଜଟଣୀ: ପ୍ରାକ୍ ସ୍ୱାଧୀନତା କାଳରୁ ଜଟଣୀରେ ହୋଇଆସୁଛି ପ୍ରସିଦ୍ଧ ଗଣେଶ ପୂଜା। ଏକଦା ସାରା ଓଡ଼ିଶାରେ ଗଣେଶ ପୂଜା ପାଇଁ ଜଟଣୀ ସହରର ନାଁ ଥିଲା ସର୍ବାଗ୍ରେ। କଟକ ଓ ବ୍ରହ୍ମପୁର ଭଳି ଜଟଣୀ ଥିଲା ଅନ୍ୟତମ ପ୍ରମୁଖ ବ୍ୟବସାୟିକ ସହର। ବ୍ରିଟିସ୍ ଅମଳର ମାଲଗୋଦାମ ଥିବାରୁ ଏଠାରେ ବହୁ ବଡ଼ବଡ଼ ବ୍ୟବସାୟୀଙ୍କ କାରବାର ଥିଲା। ତେଣୁ ସେହି ବ୍ୟବସାୟୀମାନେ ବେଶ୍ ଜାକଜମକରେ ବଡ଼ଧରଣର ଗଣେଶ ପୂଜା କରୁଥିଲେ। ଫଳରେ ଗଣେଶ ପୂଜା ଜଟଣୀ ସହରର ଏକ ପୁରୁଣା ପରମ୍ପରା ପାଲଟିଯାଇଛି। ଏବେ ପରିବର୍ତ୍ତିତ ସମୟ ସହ ତାଳ ଦେଇ ଜଟଣୀ ଗଣେଶ ପୂଜାର ଚେହେରାରେ କିଛି ପରିବର୍ତ୍ତନ ପରିଲକ୍ଷିତ ହେଉଛି। କିଛି ପୁରୁଣା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ମାତ୍ର ଚମକ କମିନାହିଁ। ପୁରୁଣା କାର୍ଯ୍ୟକ୍ରମ ବନ୍ଦ ହୋଇଥିଲେ ହେଁ ଯୋଡ଼ି ହୋଇଥିବା ନୂଆ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପୂଜାର ଚମକ ବଢ଼ାଇଛି।
କୁହାଯାଏ ପ୍ରଥମେ ମହୁଲଗୁଡ଼ିଆ ଛକରେ ଜଟଣୀ ଗଣେଶ ପୂଜାର ମୂଳଦୁଆ ପଡ଼ିଥିଲା। ଏହାପରେ ଗୋଲେଇ ମାର୍କେଟ୍, ଥାନା ଛକ, ମାଛ ମାର୍କେଟ୍, ହରିଭାଇନା ଛକ, ସୀତାରାମ ଛକ, ରାଜାବଜାର, କୁଦିଆରୀ, ହାଟବଜାର, ଲୋକୋ କଲୋନି, ରେତଙ୍ଗ କଲୋନି, ମାଲ୍ଗୋଦାମ ଛକ ଭଳି ପ୍ରମୁଖ ସ୍ଥାନରେ ବିଶାଳ ଗଣେଶ ମୂର୍ତ୍ତି ପୂଜା ପାଇଲେ। କାଳକ୍ରମେ ଏହା ପୂରା ସହରକୁ ମାଡ଼ିଯାଇଛି। ସହର ବଢ଼ିଛି ଏବଂ ପୂଜା ମଣ୍ଡପ ସଂଖ୍ୟା ମଧ୍ୟ ବଢ଼ିଛି। ଆଜି ସମଗ୍ର ସହରରେ ଛୋଟବଡ଼ ହୋଇ ଦୁଇ ଶହରୁ ଅଧିକ ପୂଜା ମଣ୍ଡପରେ ବିଘ୍ନରାଜଙ୍କ ପୂଜା ହେଉଛି। ସେତେବେଳେ କୋଲକାତା, ମୁମ୍ବାଇରୁ ଆସୁଥିବା ତୋରଣ ଓ ଲାଇଟ୍କୁ ନେଇ ଏକପ୍ରକାର ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା। ସେହିଭଳି କାରୁକାର୍ଯ୍ୟପୂର୍ଣ୍ଣ ମେଢ଼କୁ ନେଇ ବି ବେଶ୍ ପ୍ରତିଯୋଗିତା ଚାଲିଥିଲା। କେତେବେଳେ କେଉଁ ବଜାର ଲାଇଟ୍ ସାଜସଜ୍ଜାରେ ଆଗରେ ରହୁଥିଲା ତ କେଉଁ ବଜାର ବିଶାଳ ମୂର୍ତ୍ତି କରି ପ୍ରଶଂସା ସାଉଣ୍ଟୁଥିଲା। ସେହିଭଳି କେଉଁ ବଜାର ସୁସଜ୍ଜିତ ତୋରଣ କରି ନାଁ କମାଉଥିଲା ତ କେଉଁ ବଜାର ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତିଯୋଗିତାରେ ସ୍ବତନ୍ତ୍ର ସ୍ଥାନ ଦଖଲ କରୁଥିଲା। ପ୍ରାୟ ୧୦/୧୫ ବର୍ଷ ପୂର୍ବେ ଗଣେଶ ପୂଜା ଅବସରରେ ଜଟଣୀ ସହରରେ ଅପେରା ପାର୍ଟି ପ୍ରଦର୍ଶନ ବେଶ୍ ଜମୁଥିଲା। ଓଡ଼ିଶାର ପ୍ରାୟ ସବୁ ପ୍ରଥମ ଶ୍ରେଣୀ ଅପେରା ପାର୍ଟି ଏଠାରେ ପ୍ରତିଯୋଗିତା କରୁଥିଲେ। ତେଣୁ ପୂଜା ଦେଖିବାକୁ ଦିନରେ ଯେତିକି ଭିଡ଼ ହେଉଥିଲା, ରାତିରେ ବି ତା’ଠାରୁ ଅଧିକ ଗହଳଚହଳ ଲାଗି ରହୁଥିଲା।
ସେହିଭଳି କିଛି ମଣ୍ଡପରେ ପାଲା, ଦାସକାଠିଆ ଭଳି ଲୋକକଳା ବି ପ୍ରଦର୍ଶିତ ହେଉଥିଲା। କିନ୍ତୁ ଏବେ କିଛି ପରିବର୍ତ୍ତନ ହୋଇଛି। ଅପେରା ପାର୍ଟି ପ୍ରତିଯୋଗିତା କମିଛି। ସେହିଭଳି ସ୍ଥାନାଭାବ କାରଣରୁ ବିଶାଳ ତୋରଣ ଓ ଲାଇଟ୍ ଡେକୋରେସନ୍ ବି କିଛି କମିଛି। କିନ୍ତୁ ବିଶାଳ ମୂର୍ତ୍ତି ଗଢ଼ିବାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ଏଠାରେ ବିଭିନ୍ନ ପ୍ରକାର ବେଶଭୂଷାରେ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ବୁଢ଼ା ଗଣେଶଠାରୁ ଆରମ୍ଭ କରି ସାପ ଗଣେଶ, ଗଛ ଗଣେଶ, କାର୍ଟୁନ୍ ଗଣେଶ, ବାଘ ଗଣେଶ, ପାହାଡ଼ ଗଣେଶ, ସପ୍ତଫେଣୀ ଗଣେଶ ଭଳି ଅନେକ ଭଙ୍ଗୀର ଗଣେଶ ମୂର୍ତ୍ତି ଗଢ଼ା ହେଉଛି। ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହ୍ରାସ ପାଇଥିଲେ ହେଁ ଆରମ୍ଭ ହୋଇଥିବା ଜଟଣୀ ଗଣେଶ ମହୋତ୍ସବ ଏହି ପୂଜାର ଚମକ ବଢ଼ାଇଛି। ସେହିଭଳି ନୂଆ ଭସାଣି କାର୍ଯ୍ୟକ୍ରମ ମଧ୍ୟ ଅଧିକ ଆକର୍ଷଣୀୟ ହୋଇଛି। ସେତେବେଳେ ଦୟାନଦୀର କାକୁଡ଼ିଆ ଘାଟରେ ମୂର୍ତ୍ତି ବିସର୍ଜନ କରାଯାଉଥିଲା। ପୃଥକ ପୃଥକ ଭାବେ ଗଣେଶ ବିସର୍ଜନ କରାଯାଉଥିଲା। କିନ୍ତୁ ଗତ କିଛିବର୍ଷ ହେଲା ମିଳିତ ଭସାଣି ଉତ୍ସବ ବେଶ୍ ଜାକଜମକରେ ହେଉଛି। ସବୁ ମେଢ଼ ଏକାଠି ଶୋଭାଯାତ୍ରାରେ ସହର ପରିକ୍ରମା କରି କିଷ୍ଟ୍ କଲେଜ ନିକଟରେ ବହିଯାଇଥିବା ନଈରେ ଗଣେଶ ଘାଟରେ ବିସର୍ଜନ ହେଉଛନ୍ତି। ଏହି ଭସାଣିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକକଳା ପ୍ରଦର୍ଶିତ ହେଉଛି।