କଳିଙ୍ଗ ଷ୍ଟୁଡିଓ ଛିନ୍‌ଛତର୍‌: ଉଡ଼ିଗଲା ଜମିଦାର ଘର, ଚାଳ ଛପର

ଭୁବନେଶ୍ବର: ହଜିଯାଇଛି ଜମିଦାର ଘର ଚମକ। ଉଡ଼ିଯାଇଛି ଚାଳଘର ଛପର। ଉଜୁଡ଼ି ଯାଇଛି ଚାନ୍ଦିନୀଘେରା ବରଗଛର ସୌନ୍ଦର୍ଯ୍ୟ। ଦିନେ ଭୂତ କୋଠି ପାଲଟିଥିବା କଳିଙ୍ଗ ଷ୍ଟୁଡିଓ କେଇ ମାସ ତଳେ ନୂଆବୋହୂ ପରି ସଜେଇ ହୋଇଥିଲା। ହେଲେ ଫନିର ପାହାରରେ ସବୁ ଛାରଖାର ହୋଇଯାଇଛି। ୨୨ ଏକର ପରିମିତ ଅଞ୍ଚଳରେ ସ୍ଥାପିତ ଏହି ଷ୍ଟୁଡିଓକୁ ଯେମିତି ଶନିଦଶା ଘାରିଛି। କିଛି ବର୍ଷ ଧରି ସରକାରୀ ଅବହେଳା ଯୋଗୁଁ ଦିନେ ଏହାର ଅସ୍ତିତ୍ବ ହଜିଯିବ ବୋଲି ବିଶ୍ବାସ କରାଯାଉଥିଲା। ହେଲେ ସିନେମା ଶାଳର ଛାତି ଉପରେ କ୍ରୀଡ଼ା କମ୍ପ୍ଲେକ୍ସ ସ୍ଥାପନ ହେବା ନେଇ ଚିଠି ହେବା ପରେ ଏନେଇ ସାରା ଓଡ଼ିଶା କ୍ଷୁବ୍ଧ ହୋଇଥିଲା। ଅଭିନେତା କୁନା ତ୍ରିପାଠୀ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହେବା ପରେ ସେ ଷ୍ଟୁଡିଓକୁ ପୁନରୁଦ୍ଧାର କରିବା ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଟଙ୍କା ମଞ୍ଜୁର ହୋଇ ତ୍ବରିତ ଗତିରେ କାମ ଆରମ୍ଭ ହୋଇଥିଲା। ୩ ବର୍ଷ ତଳୁ ଛିଡ଼ା ହୋଇଥିବା ବିଲ୍‌ଡିଂକୁ ଗତବର୍ଷ ଡିସେମ୍ବର ମାସରେ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଥିଲା। ଦୁଇ ମହଲା ଉଚ୍ଚର ଜମିଦାର ଘର ଉପରେ ଟିଣ ସିଟ୍‌ ପଡ଼ିଥିଲା। ଚାଳ ଘରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଦୁଇଟି ନୂଆ ବିଲ୍‌ଡିଂ ବି ଠିଆ ହୋଇଥିଲା। ଗୋଟିଏ ବହୁମୁଖୀ ବ୍ୟବହୃତ ହଲ୍‌ ଏବଂ ଆଉ ଗୋଟିଏ ଗ୍ରିନ୍‌ ରୁମ୍‌ ନିର୍ମିତ ହୋଇଥିଲା। ସବୁ ଘରଗୁଡ଼ିକ ରଙ୍ଗରେ ସଜେଇ ହୋଇଥିଲା। ଚିତ୍ରିତ ବି ‌ହୋଇଥିଲା। ଗଲା ଡିସେମ୍ବରରେ ପ୍ରାରମ୍ଭିକ ପ୍ରକଳ୍ପଗୁଡ଼ିକରେ ଶେଷ ସ୍ପର୍ଶ ଦିଆସରିଥିଲା। କିଛି ଦିନ ମଧ୍ୟରେ ଏକ ସୁନ୍ଦର ବଗିଚାଟିଏ ପରିସରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥିଲା। ନୃତ୍ୟର ସୁଟିଂ ପାଇଁ ଏହା ବ୍ୟବହୃତ ହେଉଥିଲା। ମାତ୍ର କଳିଙ୍ଗ ଷ୍ଟୁଡିଓର ସୌନ୍ଦର୍ଯ୍ୟକୁ ‘ଫନି’ ଗ୍ରାସି ଦେଲା।

ପରିସରକୁ ଆହୁରି ସୁନ୍ଦର କରିବା ପାଇଁ ବରଗଛକୁ ଚାନ୍ଦିନୀ ଯୋଖି ସଜା ଯାଇଥିଲା। ‌ତେବେ ବାତ୍ୟା ଯୋଗୁଁ ଗଛଗୁଡ଼ିକ ଟଳି ପଡ଼ିବା ସହ ଚାନ୍ଦିନୀ ବି ଭାଙ୍ଗିରୁଜି ଯାଇଛି। ଓଡ଼ିଆ ସିନେମାର ଦିନେ ଭାଗ୍ୟ ବିଧାତା ପାଲଟିଥିବା କଳିଙ୍ଗ ଷ୍ଟୁଡିଓକୁ ନେଇ ନିକଟରେ କେତେ ସ୍ବପ୍ନ ଦେଖାଯାଇଥିଲା। କିଛି ଦିନ ମଧ୍ୟରେ ୪ଟା କଟେଜ୍‌ ହେବ, ୬ଟା ବଗିଚା ହେବ, ୱାଟର ଫାଉଣ୍ଟେନ୍‌ ନିର୍ମିତ ହେବ, ଡମି ବସ୍‌ଷ୍ଟାଣ୍ଡ୍‌, ରେଳଷ୍ଟେସନ୍‌ ଓ ପେଟ୍ରୋଲ୍‌ ପମ୍ପ ଛିଡ଼ା ହେବ ବୋଲି ଯୋଜନା ହୋଇଥିଲା। ବିସ୍ତୃତ ସୁଟିଂ ଫ୍ଲୋର୍‌କୁ ବି ନୂଆ ରୂପ ଦିଆ ଯାଇଥାଆନ୍ତା। ହେଲେ ଏମିତି ଦଶା ପଡ଼ିଲା ଯେ ଯାହା ଭାଙ୍ଗିଛି, ତାକୁ ଏବେ ସୁଧାରିବା ଦୁରୁହ ହୋଇପଡ଼ିବ। ଏନେଇ ଓଏଫ୍‌ଡିସିର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ କଳିଙ୍ଗ ଷ୍ଟୁଡିଓର ଏତାଦୃଶ ଅବସ୍ଥା ସମ୍ବନ୍ଧରେ ସେ ପରିଚାଳନା ନିର୍ଦେଶକ ଏବଂ ପୂର୍ତ ବିଭାଗ ସହ କଥା ହୋଇଛନ୍ତି। ପୁନରୁଦ୍ଧାର ପ୍ରକ୍ରିୟା ଡେରି ହୋଇପାରେ କିନ୍ତୁ ଏଥିପାଇଁ ଯାହା ବି ଆବଶ୍ୟକ ସରକାରଙ୍କ ସହ କଥାବାର୍ତା ଭିତ୍ତିରେ ତୁରନ୍ତ ସମାଧାନ ପାଇଁ ଚେ‌ଷ୍ଟା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର