ଫନିର ୧୫ ଦିନ ପରେ ବି…

ସ୍ୱାଭାବିକ ହୋଇନି ଟ୍ରାଫିକ୍ ପରିଚାଳନା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଫନି’ର ସିଧାସଳଖ ପ୍ରଭାବ ପଡ଼ିଛି ରାଜଧାନୀର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ଉପରେ। କେଉଁଠି ଟ୍ରାଫିକ୍‌ ସିଗନାଲ ଠିକ୍‌ ଭାବେ କାମ ଦେଉନି ତ ଆଉ କେଉଁଠି ସିସିଟିଭି ମୁହଁବଙ୍କା ହୋଇଯାଇଛି। ଫଳରେ ଆଇନ ଉଲ୍ଲଂଘନକାରୀଙ୍କୁ ସିସିଟିଭି ନୋଟିସ୍‌ ପଠା ଯାଇ ପାରୁନାହିଁ। ରାଜଧାନୀର ବିଭିନ୍ନ ଟ୍ରାଫିକ୍‌ ଛକ ଏବେ ବି ଅନ୍ଧାର। ସେଠାରେ ଆସ୍କା ଲାଇଟ ହିଁ ସାହା ଭରସା। ରାଜଧାନୀର ବିଭିନ୍ନ ପ୍ରମୁଖ ରାସ୍ତା ଏବେ ବି ଅନ୍ଧାର ଥିବାରୁ ଦ୍ରୁତ ଗାଡ଼ି ଚାଳନା କାରଣରୁ ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି। ସେହିପରି ବିଦ୍ୟୁତ୍‌ ନ ଥିବାରୁ ଅନେକ ଟ୍ରାଫିକ୍‌ ପୋଷ୍ଟ ରାତି ୯ଟା ପରେ ଫାଙ୍କା ହୋଇଯାଉଛି। ସାମୁଦ୍ରିକ ଝଡ଼ ଫନିକୁ ଦୁଇସପ୍ତାହ ବିତିଲାଣି। କିନ୍ତୁ ଏବେ ବି ରାଜଧାନୀର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହୋଇନାହିଁ। ରାତିରେ ରାଜଧାନୀର ଟ୍ରାଫିକ୍‌ ପୋଷ୍ଟଗୁଡ଼ିକର ଅବସ୍ଥା ପରିଖିଥିଲା ସମ୍ବାଦ ଟିମ୍।

ରସୁଲଗଡ଼ ଓ ମାଷ୍ଟରକ୍ୟାଣ୍ଟିନ ଛକରେ ଆସ୍କା ଲାଇଟ ଏବେ ଭରସା:
ରସୁଲଗଡ଼ ଓ ମାଷ୍ଟର କ୍ୟାଣ୍ଟିନ୍‌ ଛକ ଏବେ ସଂପୂର୍ଣ୍ଣ ଭାବେ ଅନ୍ଧାର। ରାଜଧାନୀର ଏହି ଦୁଇଟି ପ୍ରବେଶ ପଥ ଛକ ଅନ୍ଧାର ଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ଏହି ଦୁଇ ଛକରେ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯାଇଛି। ଦୁଇଟି ଛକରେ ଏନଡିଆରଏଫ ପକ୍ଷରୁ ଆସ୍କା ଲାଇଟ ଲଗାଯାଇଛି। ଫଳରେ ଦୁଇଟି ଛକ ଆଲୋକିତ ହୋଇପାରୁଛି। କିନ୍ତୁ ସ୍ଥାନୀୟ କେତେକ ଯୁବକଙ୍କ କହିବା କଥା ହେଉଛି, ରାତି ୧୧ଟା ପରେ ଏନଡିଆରଏଫ ଟିମ୍ ଲାଇଟ କାଢ଼ି ନେଉଛି। ଫଳରେ ବିଳମ୍ବିତ ରାତିରେ ଅବସ୍ଥା ଯାହାକୁ ତାହା। ଏହି କାରଣରୁ ଏହି ଦୁଇ ଛକରେ ରାତିରେ ଦୁର୍ଘଟଣା ମଧ୍ୟ ଘଟୁଛି।

ଜାତୀୟ ରାଜପଥ ଓ ଜନପଥ ରାସ୍ତାରେ ଜଳିଲାଣି ଲାଇଟ୍‌
କିଛି ଦିନ ହେଲା ଜାତୀୟ ରାଜପଥ ଓ ଜନପଥ‌ର କିଛି ଅଂଶରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଛି। ଜନପଥରେ ବାଣୀବିହାର ଛକରୁ ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ ଜଳୁଥିବା ବେଳେ ରୁପାଲି ଛକରୁ ରାମ ମନ୍ଦିର ଛକ ଯାଏଁ ଲାଇଟ୍‌ କିଛି ଜଳୁ ନାହିଁ। ଫଳରେ ଏହି ସବୁ ଛକରେ ଥିବା ଟ୍ରାଫିକ୍‌ ପୋଷ୍ଟ ସଂପୂର୍ଣ୍ଣ ଭାବେ ଅନ୍ଧାର। ଟ୍ରାଫିକ୍‌ ପୁଲିସ ଦେଉଥିବା ହ୍ୟାଣ୍ଡ ସିଗନାଲ ଦେଖା ମଧ୍ୟ ଯାଉନାହିଁ।

କାମ କରୁନି ଇଲେକ୍ଟ୍ରି ସିଗନାଲ, ଲାଇଟ୍‌ ବାଟନ ସିଗନାଲର ଦେଖା ମିଳିନୁ
ରାଜଧାନୀ‌ର ଅଧିକାଂଶ ସ୍ଥାନରେ ଇଲେକ୍ଟ୍ରି ଟ୍ରାଫିକ୍‌ ସିଗନାଲ କାମ କରୁନାହିଁ। ଏଭଳି ସମୟରେ ଲାଇଟ୍‌ ବାଟନ ସିଗନାଲର ମଧ୍ୟ ଦେଖା ମିଳୁନି। କିଛି ବର୍ଷ ତଳେ ଟ୍ରାଫିକ ପୁଲିସ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ କରାଯାଇ ଏହି ଲାଇଟ ବାଟନ ସିଗନାଲ ମେସିନ କିଣା ଯାଇଥିଲା। ଏହି ସମୟରେ ଏହା ଭଲ କାମ ଦେଇଥାନ୍ତା। କିନ୍ତୁ ଏବେ ଏଗୁଡ଼ିକର ଦେଖା ମିଳୁନି।

କାମରେ ଆସୁନି ଇ-ଚାଲାଣ: ସିସିଟିଭି ନୋଟିସ ମଧ୍ୟ ଠପ୍‌
ଅଧିକାଂଶ ଛକରେ ଲାଗିଥିବା ସିସି କ୍ୟାମେରା ମୋଡ଼ି ମକଚି ହେବା ସହ ଭାଙ୍ଗି ରୁଜି ଯାଇଛି। ଏହି କାରଣରୁ ସିସି କ୍ୟାମେରା ମଧ୍ୟ କାମରେ ଲାଗୁନାହିଁ। ଫଳରେ ଟ୍ରାଫକ୍‌ ଉଲ୍ଲଂଘନକାରୀଙ୍କୁ ମଧ୍ୟ ନୋଟିସ ପଠା ଯାଇପାରୁନାହିଁ। ସେହିପରି ଏଯାଏଁ ଭୁବନେଶ୍ବର ଟେଲିକମ୍‌ ସେବା ଠିକ୍ ଭାବେ ମିଳୁ ନ ଥିବାରୁ ଇ-ଚାଲାଣ ମେସନ୍‌ ମଧ୍ୟ କାମରେ ଆସୁନାହିଁ।

ରାତି ୯ଟା ପରେ ଟ୍ରାଫିକ ପୋଷ୍ଟ ହୋଇ ଯାଉଛି ଖାଲି
ଏବେ ବି ଟ୍ରାଫିକ୍‌ ପୁଲିସର ଫନି ହ୍ୟାଙ୍ଗ ଓଭର୍‌ କମି ନାହିଁ। କାରଣ ଜନପଥ ଓ ସଚିବାଳୟ ମାର୍ଗ ଭଳି କେତେକ ପ୍ରମୁଖ ରାସ୍ତାର ଛକକୁ ଛାଡ଼ି ଦେଲେ ଅନ୍ୟ ରାସ୍ତାଗୁଡ଼ିକରେ ଥିବା ଟ୍ରାଫିକ୍‌ ପୋଷ୍ଟ ଫାଙ୍କା ହୋଇଯାଉଛି। ଅନ୍ଧାର କାରଣରୁ ଅଧିକାଂଶ ଟ୍ରାଫିକ୍‌ ପୁଲିସ ଡ୍ୟୁଟି କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଏହା ଛଡ଼ା ଦ୍ରୁତ ବାଇକ୍‌ ଚାଳକମାନେ ମଧ୍ୟ ଟ୍ରାଫିକ ସିଗନାଲକୁ ମାନୁ ନାହାନ୍ତି। ଫଳରେ ଦୁର୍ଘଟଣା ହେବାର ଆଶଙ୍କା ମଧ୍ୟ ରହିଛି। ଏହି କାରଣରୁ ରାତି ୯ଟା ପରେ ରାଜଧାନୀର ଅଧିକାଂଶ ଟ୍ରାଫିକ୍‌ ପୋଷ୍ଟ ଫାଙ୍କା। ଆଜି ରୁପାଲି ଛକରେ ମଧ୍ୟ କୌଣସି ଟ୍ରାଫିକ୍‌ ପୁଲିସ ନ ଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର