୧୧୩୪୮ ଉଠା ଦୋକାନୀଙ୍କୁ ମିଳିବ ବାତ୍ୟା ସହାୟତା, ବ୍ୟାଙ୍କ ଆକାଉଣ୍ଟକୁ ଯିବ ୧୦ ହଜାର ଲେଖାଏଁ ଟଙ୍କା

ଭୁବନେଶ୍ବର: ଗତ ‘ଫନି’ ବାତ୍ୟା ଯିବାର ୮ମାସ ପରେ ରାଜଧାନୀରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀଙ୍କୁ ଶେଷରେ ସହାୟତା ରାଶି ଘୋଷଣା କରିଛି ବିଏମ୍‌ସି। ସମୁଦାୟ ୧୧ ହଜାର ୩୪୮ ହିତାଧିକାରୀ ୧୦ ହଜାର ଟଙ୍କା ଲେଖାଏଁ ପାଇବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ। ସାମନ୍ତରାପୁରସ୍ଥିତ ଆକ୍ସିସ୍ ବ୍ୟାଙ୍କ ଆଜିଠାରୁ ହିତାଧିକାରୀଙ୍କୁ ଟଙ୍କା ପଠାଇବା କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବାତ୍ୟାର କିଛି ମାସ ଭିତରେ ସର୍ଭେ ରିପୋର୍ଟ ପ୍ରଦାନ କରିବା ପରେ ସରକାର କ୍ଷତିପୂରଣ ଦେଇସାରିଛନ୍ତି। ମାତ୍ର ରାଜଧାନୀରେ କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀ, ଭେଣ୍ଡିଂ ଜୋନ୍ ବ୍ୟବସାୟୀଙ୍କୁ ବାତ୍ୟାର ୮ ମାସ ପରେ ମଧ୍ୟ କ୍ଷତିପୂରଣ ବାବାଦ ଟଙ୍କା ମିଳି ନ ଥିଲା। ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ବିଏମ୍‌ସିକୁ ପ୍ରାୟ ୧୩କୋଟି ଟଙ୍କା ମିଳିଥିଲା। ମାତ୍ର ବିଏମ୍‌ସି କର୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଉଠା ଦୋକାନୀମାନେ ଏହି ଟଙ୍କା ପାଇ ପାରି ନ ଥିଲେ। ଏ ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍‌ସି କର୍ତୃପକ୍ଷ ଚେତିଛନ୍ତି। ୨୦୧୫ ଓ ୧୬ରେ ଆଇବିଆଇ ଗ୍ରୁପ୍‌ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ରାଜଧାନୀରେ ୨୧ ହଜାର ୪୮୩ ଉଠାଦୋକାନୀ ରହିଥିବା ଜଣାପଡ଼ିଥିଲା। ତେବେ ବାତ୍ୟାରେ କ୍ଷତିଗ୍ରସ୍ତ ୧୧ ହଜାର ୪୩୮ଜଣଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯାଇଛି। ଆଜିଠାରୁ ହିତାଧିକାରୀଙ୍କୁ ଟଙ୍କା ପଠାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଯଦି ଏଥିରେ କୌଣସି ସମସ୍ୟା ଉପୁଜେ, ତେବେ ତୁରନ୍ତ ବିଏମ୍‌ସି କର୍ତୃପକ୍ଷଙ୍କୁ ଜଣାଇବାକୁ ଆକ୍ସିସ୍ ବ୍ୟାଙ୍କକୁ କୁହାଯାଇଛି।

ସମ୍ବନ୍ଧିତ ଖବର