ପିଲାଙ୍କୁ ମାଡ଼ୁଛି ଡର! ବିଦ୍ୟାଳୟରୁ ହଟିଲାନି ଫନି ଭଙ୍ଗା ଘର

ବାଲିପାଟଣା: ସାମୁଦ୍ରିକ ବାତ୍ୟା ଫନିକୁ ସାଢ଼େ ୩ ବର୍ଷ ବିତିଗଲାଣି। ଏବେ ବି ଫନି କ୍ଷୟକ୍ଷତିର ଚିହ୍ନ ବିଭିନ୍ନ କ୍ଷେତ୍ରରେ ରହିଛି। ବିଶେଷକରି ବାଲିପାଟଣା ଅଞ୍ଚଳରେ ବିଭିନ୍ନ ବିଦ୍ୟାଳୟରେ ଫନି ଦ୍ବାରା ହୋଇଥିବା କ୍ଷତି ଆଜି ବି ସମସ୍ୟା ହୋଇ ରହିଛି। ଫନି ଦ୍ବାରା ଭାଙ୍ଗିଯାଇଥିବା ଶ୍ରେଣୀ ଗୃହ ତଥା ଅନ୍ୟାନ୍ୟ କକ୍ଷ ଆଜି ବି ବିପଦସଂକୁଳ ଅବସ୍ଥାରେ ରହିଛି। ଏହି ବ୍ଲକ୍‌ର ପ୍ରାୟ ୨୦ରୁ ଅଧିକ ବିଦ୍ୟାଳୟ ପରିସରରେ ଥିବା ଭଙ୍ଗା ଦଦରା ଘର ପିଲାଙ୍କ ମନରେ ଭୟ ସଂଚାର କରୁଛି। ଏସବୁ ଭଙ୍ଗା ଘରକୁ ତୁରନ୍ତ ହଟାଇ ବିଦ୍ୟାଳୟ ପରିସର ସଫା ରଖିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏବାବଦରେ ଅର୍ଥ ବାଧକ ସାଜୁଥିବା ସଫେଇ ଦେଇ ପିଲାଙ୍କୁ ବିପଦ ଭିତରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଆସୁଛି।

ଆମଣାକୁଦ ପ୍ରାଚୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଭଙ୍ଗା ଦଦରା ଘରକୁ ନେଇ ସ୍ଥାନୀୟ ଲୋକେ ଓ ଏସ୍‌ଏମ୍‌ସି କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ବାରମ୍ବାର ସଫେଇ କଥା ଉଠିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ। ସ୍କୁଲ ହତା ଭିତରେ ଥିବା ଭଙ୍ଗା ଘରୁ ବିଭିନ୍ନ ସମୟ ଇଟା, ପଥର, ଆଜବେଷ୍ଟସ ଭାଙ୍ଗି ଖଣ୍ଡଖଣ୍ଡ ହୋଇ ପଡ଼ୁଛି। ବିପଦସଂକୁଳ ସ୍ଥାନରେ ଛୋଟ ପିଲାମାନେ ଖେଳକୁଦ କରିବା ସହ ସାଇକେଲ ରଖୁଛନ୍ତି। କେତେବେଳେ କିଛି ଅଘଟଣ ଘଟିବା ଆଶଙ୍କାରେ ପିଲାମାନେ ଭୟଭୀତ ହୋଇ ରହୁଛନ୍ତି। କେବଳ ଏହି ବିଦ୍ୟାଳୟ ନୁହେଁ, ଏମିତି ପ୍ରାୟ ୨୦ ବିଦ୍ୟାଳୟର ଅବସ୍ଥା। ଏନେଇ ବ୍ଲକ୍‌ ଶିକ୍ଷାଧିକାରୀ ଶୈଳାଧୀରାଜ ତନୟା ଶତପଥୀଙ୍କ କହିବା କଥା ଭଙ୍ଗା ଘର ଓ ପାଚେରି ହଟାଇବା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‌ ପ୍ରଶାସନକୁ ଜଣାଇଦିଆଯାଇଛି। ସେହିଭଳି ବିଡିଓ ଆଦିକନ୍ଦ ବେହେରାଙ୍କ କହିବା କଥା ଏବାବଦରେ ବ୍ୟୟ କରିବାକୁ ବ୍ଲକ୍‌ ପ୍ରଶାସନ ପାଖରେ ସ୍ବତନ୍ତ୍ର ପାଣ୍ଠି ନାହିଁ। ତେଣୁ ପଞ୍ଚାୟତଗୁଡ଼ିକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର