ଭୁବନେଶ୍ବର: ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ କାର୍ଯ୍ୟ କରିବା ସହ ପୁଲିସର ସାମାଜିକ ଦାୟିତ୍ବ ରହିଛି। ପୁଲିସ ବି ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇପାରେ। ବିପଦରେ ପଡ଼ିଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇପାରେ। ଫନି ବାତ୍ୟାର ପୁନରୁଦ୍ଧାର ସମୟରେ କମିସନରେଟ୍ ପୁଲିସ ଏଭଳି ଉଦାହରଣ ସୃଷ୍ଟି କରିଛି। ପୁଲିସ ପ୍ରତି ଥିବା ଲୋକଙ୍କ ମନରେ ଥିବା ନକାରାତ୍ମକ ଭାବନା ଦୂର କରିବା ସହ ଜନସାଧାରଣ ନିକଟତର ହେବାପାଇଁ ପୁଲିସର ଏହା ଆଉ ଏକ ପ୍ରୟାସ ବୋଲି କୁହାଯାଉଛି। ପୁଲିସ କମିସର ସତ୍ୟଜିତ୍ ମହାନ୍ତି କହିଛନ୍ତି, ଫନି ରାଜଧାନୀ ଛୁଇଁବା ପରେ ସବୁ ଅଚଳ ହୋଇପଡ଼ିଥିଲା। ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଫୋନ୍ ବି କାମ କରୁ ନଥାଏ। କେବଳ ୱାକିଟକି ହିଁ ଥିଲା ଭରସା। ଆଉ ୱାକିଟକିରେ ଆରମ୍ଭ ହୋଇଥିଲା ଅପରେସନ୍। ଲୋକଙ୍କୁ ଉଦ୍ଧାର କରିବା ପାଇଁ ବରିଷ୍ଠ ଅଧକାରୀଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଥିଲେ। ବସ୍ତିକୁ ବସ୍ତି ବୁଲି ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ବୋହି ନେଇଥିଲେ। ଆହତମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ।
ଚ୍ୟାଲେଞ୍ଜ ଥିଲା ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା
ହଠାତ୍ ଫୋନ୍ ଅସିଲା ମୁଖ୍ୟମନ୍ତ୍ରୀ ବାତ୍ୟା ସମୀକ୍ଷା ପାଇଁ ସଢ଼େ ୫ଟା ସମୟରେ ସଚିବାଳୟ ଆସିବେ। ଯାହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କାରଣ ନବୀନ ନିବାସରୁ ସଚିବାଳୟ ପର୍ଯ୍ୟନ୍ତ ସମସ୍ତ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥାଏ। ସେହିପରି ଅନେକ ସ୍ଥାନରେ ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟ ଶୋଇ ରହିଥାଏ। ହାତରେ ମାତ୍ର ଘଣ୍ଟାଏ ସମୟ। ଏପଟେ ବର୍ଷା ସାଙ୍ଗକୁ ପବନ। ତୁରନ୍ତ ଓଡ୍ରାଫ ଓ ଏନ୍ଡିଆରଏଫ୍ ଟିମ୍କୁ ଡକାଯାଇଥିଲା। ଖୋଦ୍ ପୁଲିସ କମିସନର ଓ ଡିସିପି ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଅବରୋଧ ହଟାଯାଇଥିଲା। ମୁଖ୍ୟମନ୍ତ୍ରୀ ସଚିବାଳୟ ଆସିବା ପୂର୍ବରୁ ସମସ୍ତ କାର୍ଯ୍ୟ ସରିଥିଲା।
ଜୀବନକୁ ବାଜି ଲଗାଇ ଯୁବକଙ୍କୁ ବଞ୍ଚାଇଲେ ଏଏସ୍ଆଇ
ବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ବାହାରିଥିଲେ ଖଣ୍ଡଗିରି ଥାନା ଏଏସ୍ଆଇ ଡିଜିଏସ୍ ସ୍ବାଇଁ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ହେବ ପବନ ପ୍ରକୋପରେ ଜୋର୍ ଥାଏ। ଏହି ସମୟରେ ଖବର ଆସିଲା ଜଣେ ଯୁବକ ଓୟୁଏଟି ରେସ୍କ୍ୟୁ କ୍ୟାମ୍ପରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ତାଙ୍କ ଉପରେ ଡାଳ ପଡ଼ିରହିଛି। ଖବର ପାଇବା ମାତ୍ରେ ଏଏସ୍ଆଇ ସ୍ବାଇଁ ଯୁବକଙ୍କୁ ଉଦ୍ଧାର ପାଇଁ ଯାଇଥିଲେ। ଯୁବକଙ୍କୁ ଉଦ୍ଧାର କରି ଫେରିବା ବେଳକୁ ସେହି ଗଛର ଆଉ ଏକ ଡାଳ ଭାଙ୍ଗି ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଫଳରେ ସେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ପାଖରେ ଥିବା ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲ୍ରେ ଭର୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା ହେବା ପରେ ୫ ତାରିଖରେ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗଦେଇଥିଲେ। ତାଙ୍କର ଏଭଳି ସାହସ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ ଆଜି କମିସନରେଟ୍ ପୁଲିସ ପକ୍ଷରୁ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି ଓ ଡିସିପି ଅନୁପ ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-13-6.jpg)