ଫନିକୁ ୮ ମାସ ବିତିଲା, ସଫା ହେଉନି ସବୁଜ ଆବର୍ଜନା: ଜୟଦେବ ପୀଠକୁ ନିଆଁ ଡର

ବାଲିଅନ୍ତା: ମହାବାତ୍ୟା ‘ଫନି’କୁ ଏହା ମଧ୍ୟରେ ୮ ମାସ ବିତିଗଲାଣି। ହେଲେ କେନ୍ଦୁବିଲ୍ବସ୍ଥିତ ଜୟଦେବ ପୀଠ ଏ ପର୍ଯ୍ୟନ୍ତ ସଜାଡ଼ି ହୋଇପାରିଲା ନାହିଁ। ୨୫ ଏକର ପରିମିତ ଜୟଦେବ ପୀଠର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ରହିଥିବା ସବୁଜ ଆବର୍ଜନା ଯଥା ଶୁଖିଲା ପତ୍ର, କାଠଗଣ୍ଡି ଓ ଗଛ ଡାଳ ଏବେ ବି ସେମିତି ପଡ଼ି ରହିଛି। ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକର ବଡ଼ ବଡ଼ କାଠଗଣ୍ଡି ଓ ଡାଳ ଶୁଖି ଝୁଲୁଛି। କେତେବେଳେ ଯେ ଏହା ପର୍ଯ୍ୟଟକମାନଙ୍କ ଉପରେ ଖସି ପଡ଼ି କାହା ଜୀବନ ନ ନେଇଯିବ, ତାହା କହି ହେଉନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଶୁଖିଲା ଆବର୍ଜନା ଯୋଗୁଁ ସପ୍ତାହକ ତଳେ ପୀଠରେ ଦୁଇଥର ନିଆଁ ଲାଗିଥିଲା। ପ୍ରାୟ ଦୁଇ ଏକର ପରିମିତ ଜଙ୍ଗଲକୁ ନିଆଁ ବ୍ୟାପିଯିବାରୁ ଅନେକ ଜୀବନ୍ତ ଗଛ ବି ଜଳି ଯାଇଥିଲା। ସ୍ଥାନୀୟ ଲୋକ ଓ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ପୀଠରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ବହୁ ଶୁଖିଲା କାଠଗଣ୍ଡି ଓ ଗଛ ଜଳି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଅଘଟଣକୁ ଚାପି ଦେବା ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ଉଦ୍ୟମ କରିଥିଲେ ହେଁ କଥା ପଦାକୁ ଆସିଥିଲା।

ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଶୁଖିଲା ସବୁଜ ଆବର୍ଜନା ସଫା ନ ହେବା ଫଳରେ ଅସାମାଜିକ ବ୍ୟକ୍ତିଙ୍କ ବିଡି, ସିଗାରେଟ୍‌ ନିଆଁ ଓ ଭୋଜିଭାତ ପରେ ପିଣ୍ଡିର ନିଆଁ ବିପଦ ଆଣି ଦେଉଛି। ମୁଖ୍ୟ କଥା ହେଉଛି, ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି। ନିକଟରେ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ପୀଠ ପରିଦର୍ଶନରେ ଆସି ସ୍ଥାନୀୟ ପ୍ରଶାସନ, ବାଲିପାଟଣା ବନ ବିଭାଗ ଓ ପର୍ଯ୍ୟଟନ ଅଧିକାରୀଙ୍କୁ ପୀଠ ପରିସର ପରିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦାୟିତ୍ବରେ ଥିବା କର୍ମକର୍ତାଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଘୋର୍‌ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ଜୟଦେବ ଅଂଚଳର ଅର୍ଜୁନ ଜେନାମଣିଙ୍କ ସୂଚନା ମୁତାବକ, ପୀଠର ରକ୍ଷଣାବେକ୍ଷଣ ପ୍ରତି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଉନାହିଁ। ପର୍ଯ୍ୟଟନ ଋତୁ ଆସି ଯାଇଥିବା ବେଳେ ଫନି ମାଡ଼ରେ ଉଜୁଡ଼ି ଯାଇଥିବା ଜୟଦେବ ପୀଠର ପୁନରୁଦ୍ଧାର କାର୍ଯ୍ୟ ଏଯାଏ ହୋଇପାରି ନାହିଁ। ଫଳରେ ପୀଠ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ହନ୍ତସନ୍ତ ହୋଇ ଫେରୁଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବାତ୍ୟା‌ରେ ପ୍ରଭାବିତ ହୋଇଥିବା ଜୟଦେବ ସଂଗ୍ରହାଳୟରେ ସଂରକ୍ଷିତ ଫଟୋ କପିରେ ଉଇ ଚରିଗଲେଣି। ଐତିହ୍ୟ ଜଡ଼ିତ ବିଭିନ୍ନ ସାମଗ୍ରୀ ଓ କୀର୍ତ୍ତିରାଜି ପାଣି ପବନ ସଂସ୍ପର୍ଶରେ ଆସି ନଷ୍ଟ ହେବା ଅବସ୍ଥାକୁ ଆସି ଗଲାଣି। ୫୦୦ ମିଟର ପାଚେରି ଖୋଲା ପଡ଼ିଥିବାରୁ ଜୟଦେବ ପୀଠ ଗୋରୁଗାଈଙ୍କ ଚରାଭୂମି ପାଲଟିଛି। ନିର୍ମାଣ କାମ ଅଧା କରି ଠିକାଦାର ୧୦ ଲକ୍ଷ ଟଙ୍କା ବିଲ୍‌ ଉଠାଇ ଛୁ’ ମାରିଥିବା ଅଭିଯୋଗ ହୋଇଛି। ଏ ଦିଗରେ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର